ଏନଏସଇ ଓ ଇଣ୍ଡିଆ ହାବିଟାଟ ସେଂଟର ସହବନ୍ଧିତ
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ପକ୍ଷରୁ ଇଣ୍ଡିଆ ହାବିଟାଟ ସେଂଟର (ଆଇଏଚସ) ନୂଆଦିଲ୍ଲୀ, ସହ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି । ଆଇଏଚସି ସହ ଜଡିତ ସମ୍ଭାବ୍ୟ ଓ ବିଦ୍ୟମାନ ନିବେଶକମାନଙ୍କ ପାଇଁ ଏକାଧିକ ଆର୍ଥିକ ସାକ୍ଷରତା ଓ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିବା ପାଇଁ ଏନଏସଇ ଏହି ସହଭାଗିତା କରିଛି । ଏହି ସହଭାଗିତା ନାଗରିକଙ୍କୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୂଚନା ଓ ଦକ୍ଷତା ସହ ସଶକ୍ତ କରିବା, ସେମାନଙ୍କୁ ପୁଞ୍ଜି ବଜାରରେ ସୂଚିତ ନିଷ୍ପତି ନେବା ପାଇଁ ସକ୍ଷମ କରିବା ଲାଗି ଉଭୟ ସଂସ୍ଥାର ଏକ ମିଳିତ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଛି । ଇଣ୍ଡିଆ ହାବିଟାଟ ସେଂଟର, ବାସସ୍ଥାନ-ସମ୍ବନ୍ଧିତ କ୍ଷେତ୍ରରେ କାର୍ଯ୍ୟରତ ବିବିଧ ସଂସ୍ଥାଗୁଡିକ ମଧ୍ୟରେ ସହଭାଗିତା ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଭାବେ ପରିଚିତ, ଯାହା ପେସାଦାର ବ୍ୟକ୍ତି, ନୀତି ନିର୍ମାତା ଏବଂ ସାମାଜିକ, ସାଂସ୍କୃତିକ ଓ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ନାଗରିକଙ୍କ ପାଇଁ ଏକ କେନ୍ଦ୍ରରେ ପରିଣତ ହୋଇଛି । ଏହି ଇକୋସିଷ୍ଟମକୁ ବ୍ୟବହାର କରି ଏନଏସଇ ଓ ଆଇଏଚସି ପକ୍ଷରୁ ଆଇଏଚସି କର୍ମଚାରୀ ଓ ପରିଦର୍ଶକ ଏବଂ ଆଇଏଚସିର ପହଂଚ ନେଟ୍ୱର୍କ ମାଧ୍ୟମରେ ଚିହ୍ନିତ ବ୍ୟାପକ ସମୁଦାୟ ଗୋଷ୍ଠୀ ପାଇଁ ସଂରଚିତ ଆର୍ଥିକ ସାକ୍ଷରତା ଓ ନିବେଶକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।
ଏନଏସଇ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଏହି ଅଧିବେଶନଗୁଡିକ ଆର୍ଥିକ ଯୋଜନା, ପୁଞ୍ଜି ବଜାରର ମୌଳିକତା, ମ୍ୟୁଚୁଆଲ ଫଣ୍ଡ, ନିବେଶକଙ୍କ ଅଧିକାର ଓ କର୍ତବ୍ୟ, ଠକାମି ପ୍ରତିରୋଧ ଓ ସୁରକ୍ଷିତ ନିବେଶ ଅଭ୍ୟାସ ଆଦି ପ୍ରସଙ୍ଗକୁ କଭର କରିବ । ଏହି କାର୍ଯ୍ୟକ୍ରମଗୁଡିକୁ ସେମିନାର, ୱର୍କସପ ଓ ୱେବିନାର ଭଳି ଏକାଧିକ ଫର୍ମାଟରେ ପରିଚାଳନା କରାଯିବ ଯାହା ବ୍ୟାପକ ପହଂଚଯୋଗ୍ୟତା ନିଶ୍ଚିତ କରିବ । ଏହି ସହଭାଗିତା ସମ୍ପର୍କରେ ଆଇଏଚସିର ନିର୍ଦ୍ଦେଶକ ଡଃ କେ.ଜି. ସୁରେଶ କହିଛନ୍ତି, “ଇଣ୍ଡିଆ ହାବିଟାଟା ସେଂଟର ସାର୍ଥକ ଆଲୋଚନା, ଶିକ୍ଷା ଓ ସାମାଜିକ ପ୍ରଗତି ପାଇଁ ସ୍ଥାନ ସୃଷ୍ଟି କରିବା ଲାଗି ପ୍ରତିବଦ୍ଧ ରହିଛି । ସଂରଚିତ ଆର୍ଥିକ ସାକ୍ଷରତା ଓ ନିବେଶକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଏନଏସଇ ସହ ସହଭାଗିତା, ଆମର ଲକ୍ଷ୍ୟ ସହ ଜଡିତ ରହିଛି ।
ଆର୍ଥିକ ଉତ୍ପାଦଗୁଡିକର ବଢୁଥିବା ଜଟିଳତା ଓ ଡିଜିଟାଲ ପ୍ଲାଟଫର୍ମଗୁଡିକର ଦ୍ରୁତ ବୃଦ୍ଧି ସହିତ , ଭାରତର ଆର୍ଥିକ ବଜାରରେ ସୁରକ୍ଷିତ ଓ ପ୍ରଭାବୀ ରୂପେ ଅଂଶଗ୍ରହଣ କରିବା ପାଇଁ ଲୋକମାନେ ସଠିକ ସୂଚନା ସହ ଅବଗତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଏନଏସଇର ମୁଖ୍ୟ ନିୟାମକ ଅଧିକାରୀ ଶ୍ରୀ ଅଙ୍କିତ ଶର୍ମା କହିଛନ୍ତି, “ଏନଏସଇରେ ଆମେ ବିଶ୍ୱାସ କରୁ ଯେ, ଏକ ସଶକ୍ତ ନିବେଶକ ସମୁଦାୟ ଗଠନ କରିବା ଦିଗରେ ଆର୍ଥିକ ସାକ୍ଷରତା ଓ ନିବେଶକ ସଚେତନତା ହେଉଛି ପ୍ରଥମ ପଦକ୍ଷେପ । ଇଣ୍ଡିଆ ହାବିଟାଟ ସେଂଟର ଏହାର ବିସ୍ତୃତ ଓ ବିବିଧ ପହଂଚ ସହିତ ଆମକୁ ଏହି ମିଶନକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ । ମିଳିତ ଭାବେ ଆମେ ଏକ ସମାବେଶୀ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଆଶା ରଖିଛୁ ଯେଉଁଥିରୁ ଅଂଶଗ୍ରହଣକାରୀମାନେ ଅର୍ଥ ପରିଚାଳନା କରିବା, ନିବେଶ ମାଧ୍ୟମଗୁଡିକୁ ବୁଝିବା ଓ ନିଜକୁ ଠକାମିରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଦକ୍ଷତା ହାସଲ କରିପାରିବେ । ଆମର ନିବେଶକ ସଚେତନତା କାର୍ଯ୍ୟକ୍ରମ ଦେଶବ୍ୟାପୀ ପହଂଚି ସାରିଥିବା ବେଳେ ଏହି ସହଭାଗିତା ଆର୍ଥିକ ସୂଚନା ଓ ନିବେଶକ ସଚେତନତାକୁ ସମସ୍ତଙ୍କ ପାଇଁ ପହଂଚଯୋଗ୍ୟ କରିବାରେ ଆମର ପ୍ରୟାସକୁ ଆହୁରି ସୁଦୃଢ କରିବ ।”
Comments are closed.