ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ମହତ୍ୱକୁ ଉପସ୍ଥାପନ କରିବା ପାଇଁ ନୋଏଡାରେ ହେବ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର ମହୋତ୍ସବ
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସରେ ନୋଏଡାର ସେକ୍ଟର ୨୧ଏସ୍ଥିତ ରାମଲୀଳା ମଇଦାନଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର ମହୋତ୍ସବ ଆୟୋଜିତ ହେବ । ସାମୁଦାୟିକ ବିକାଶ ସମିତି ଅଧିନରେ ଡିସେମ୍ବର ୩ରୁ ୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୫ ଦିନିଆ ମହୋତ୍ସବ ଭାରତ ଓ ୩୦ରୁ ଅଧିକ ଦେଶରୁ ଭକ୍ତ, ସାଧୁସନ୍ଥ ଓ ସାଂସ୍କୃତିକ ପ୍ରତିନିଧିମାନଙ୍କୁ ଏକାଠି କରିବ । ସମିତିର ଅଧ୍ୟକ୍ଷ ଡଃ ମନୋରଞ୍ଜନ ମହାନ୍ତିଙ୍କ କହିବା ଅନୁସାରେ, ଏହି ମହୋତ୍ସବ କେବଳ ଏକ ଆଧ୍ୟାତ୍ମିକ ଉତ୍ସବ ହେବ ନାହିଁ ବରଂ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ମହତ୍ୱକୁ ଉପସ୍ଥାପନ କରିବା ପାଇଁ ଏକ ମଂଚ ହେବ । ୩୦ରୁ ୩୫ଟି ଦେଶର ଭକ୍ତ ଓ ପ୍ରତିନିଧିଙ୍କ ସମେତ ବିଶ୍ୱବ୍ୟାପୀ ୧୦୦୦ରୁ ଅଧିକ ଜଗନ୍ନାଥ ମନ୍ଦିରର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।
ସମିତି ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ସାମୂହିକ ପ୍ରୟାସ ମାଧ୍ୟମରେ ମହୋତ୍ସବ ପାଇଁ ପ୍ରସ୍ତୁତି କରାଯାଉଛି । ପ୍ରମୋଦ ଭାଲ୍, ନିତ୍ୟାନନ୍ଦ ରାଉତ, ଗୁରୁଜୀ ଗୌତମ ରିଷି ଓ ଆଚାର୍ଯ୍ୟ ଶୈଳେଶ ତିୱାରୀ ଆୟୋଜନର ଦାୟିତ୍ୱ ନେଇଥିବା ବେଳେ ସ୍ୱାମୀ ଦେବାନନ୍ଦ ସରସ୍ୱତୀ, ଧନେଶ୍ୱର ନାୟକ, ସନ୍ତୋଷ ରାଉତ, ଅକ୍ଷୟ ସାମଲ, ଜି.ପି ସାମନ୍ତ, ଆଲୋକ ପାଢୀ, ବିମଳ ବାରିକ, ପ୍ରିତମ ନାୟକ, ରାମକ୍ରିଷ୍ଣ ସାହୁ, ଜିତେନ୍ଦ୍ର ମୁଖୀ, ରଞ୍ଜନ ଦାଦା ଓ ସଞ୍ଜୟ ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି । ଏହାବ୍ୟତୀତ ଦିଲ୍ଲୀ-ଏନସିଆର ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡିକ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ୨୭ଟି ମନ୍ଦିରର ପ୍ରତିନିଧିଙ୍କ ସହ ଶ୍ରୀ ରବି ପ୍ରଧାନ ଏଥିରେ ଅଂଶଗ୍ରହଣ କରିବେ । ସେହିପରି ଅଯୋଧ୍ୟା, ଓଡିଶା ଏବଂ ଭାରତ ଓ ବିଦେଶର ଅନ୍ୟାନ୍ୟ ପ୍ରମୁଖ ଧାର୍ମିକ କେନ୍ଦ୍ରଗୁଡିକର ସାଧୁ ସନ୍ଥମାନେ ମହୋତ୍ସବରେ ଯୋଗ ଦେବେ ବୋଲି ସମିତି ପକ୍ଷରୁ ନିଶ୍ଚିତ କରାଯାଇଛି ।
ଏହି ମହୋତ୍ସବ ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ପରିଚାଳିତ ହେବ ଯେଉଁଥିରେ ମଙ୍ଗଳ ଆଳତୀ, ବାଳ ଧୂପ, ଯଜ୍ଞ, ଭକ୍ତିପୂର୍ଣ୍ଣ ପ୍ରବଚନ ଓ ଭଜନ ଆଦି ସାମିଲ ରହିଛି । ସନ୍ଧ୍ୟା ସମୟରେ ଓଡିଶୀ, କଥକ, ଗୋଟିପୁଅ ଓ ମାହାରୀ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏଠାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କର ୨୪ଟି ରୂପ ଦେଖିପାରିବା ସହିତ ପ୍ରତିଦିନ ସ୍କନ୍ଦ ପୁରାଣ ଉପରେ ପ୍ରବଚନ ଶୁଣିପାରିବେ । ଏହାବ୍ୟତୀତ ୧୦୦ରୁ ଅଧିକ ଯଜ୍ଞସ୍ଥଳୀରେ ପ୍ରାୟ ୪୦୦ ଜଣ ଅଂଶଗ୍ରହଣକାରୀ ଏକକାଳୀନ ପୂଜାର୍ଚ୍ଚନା କରିବେ । ଏଠାରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଓଡିଶାର ୩୦ଟି ଜିଲ୍ଲାରୁ ପାରମ୍ପରିକ ନିରାମିଷ ଖାଦ୍ୟ ଉପଲବ୍ଧ କରୁଥିବା ଫୁଡ୍ ଷ୍ଟଲ ରହିବ । ମହୋତ୍ସବ ସମ୍ପର୍କରେ ସମସ୍ତ ବିବରଣୀ ଅଫିସିଆଲ ୱେବସାଇଟ svsamiti.com ରେ ଉପଲବ୍ଧ ରହିଛି । ଅନ୍ଲାଇନ ଯଜ୍ଞ ପାଇଁ ସିଟ୍ ବୁକିଙ୍ଗ ଓ ମେମ୍ବରସିପ ପାସ୍ ମଧ୍ୟ ଏହି ୱେବ୍ସାଇଟରେ ଉପଲବ୍ଧ ଅଛି ।
Comments are closed.