ଆଜି ବିହାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନୀତୀଶ କୁମାର, ତେଜସ୍ୱୀ ଯାଦବ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ
ବିହାର ରାଜନୀତିରେପୁଣି ଏକ ବଡ଼ ହଟଚମଟ ହୋଇଛି । କିଛିଦିନ ହେଲା ଲାଗି ରହିଥିବା ବିବାଦ ପରେ ଶେଷରେ ମଙ୍ଗଳବାର ଏନ୍ଡିଏରୁ ଓହରି ଯାଇଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ଏଥିସହ ୨୧ ମାସର ଜେଡିୟୁ-ବିଜେପି ସରକାରର ପତନ ହୋଇଛି । ବିଜେପି ସହ ସଂପର୍କ ଛିନ୍ନ କରି ପୁଣିଥରେ ମହାମେଣ୍ଟକୁ ଫେରିଛନ୍ତି ନୀତୀଶ ।
ବୁଧବାର ଅପରାହ୍ନ ୨ଟାରେ ନୂଆ ସରକାର ଶପଥ ନେବ । ଏହାକୁ ମିଶାଇ ନୀତୀଶ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ସେପଟେ ଆର୍ଜେଡି ନେତା ତେଜସ୍ୱୀ ଯାଦବ କିମ୍ବା ତାଙ୍କ ପତ୍ନୀ ରାଜଶ୍ରୀ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ବିହାର ରାଜନୀତିରେ ଦିନଟି ଘଟଣାବହୁଳ ଥିଲା । ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଜେଡିୟୁର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଏନ୍ଡିଏ ସହ ସମ୍ପର୍କ ତୁଟାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ବୈଠକ ପରେ ନୀତୀଶ ରାଜଭବନରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ଦେଇଥିଲେ । ସେଠାରୁ ଫେରି ସେ ସିଧାସଳଖ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ବାସଭବନକୁ ଯାଇ ତେଜସ୍ୱୀଙ୍କ ସହିତ ଆଲୋଚନା କରିଥିଲେ । ସାକ୍ଷାତ ବେଳେ ସେ ମହାମେଣ୍ଟରୁ ସମ୍ପର୍କ ତୁଟାଇବା ନେଇ ଅନୁଶୋଚନା କରିବା ସହ ପୁଣିଥରେ ନୂଆ କରି ମିଳିମିଶି କାର୍ଯ୍ୟ କରିବା ଉପରେ ଜୋର୍ ଦେଇଥିଲେ । ତେଜସ୍ୱୀ ମଧ୍ୟ ତାଙ୍କୁ ଆରଜେଡିର ସମର୍ଥନ ପତ୍ର ପ୍ରଦାନ କରିଥିଲେ । ସେଠାରେ ଉପସ୍ଥିତ ଥିବା ହାମ୍ ଦଳର ମୁଖ୍ୟ ଜିତନ ରାମ୍ ମାଁଝୀ ମଧ୍ୟ ନୀତୀଶଙ୍କୁ ସମର୍ଥନ ଜଣାଇଥିଲେ । ଏହା ପରେ ମହାମେଣ୍ଟର ବୈଠକ ବସିଥିଲା ଏବଂ ସେଥିରେ ନୀତୀଶଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ନେତା ନିର୍ବାଚିତ ହେବା ପରେ ତେଜସ୍ୱୀଙ୍କ ସହ ନୀତୀଶ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ନୂଆ ସରକାର ଗଠନ ଲାଗି ଦାବି ଜଣାଇଥିଲେ । କେବଳ ଏତିକି ନୁହେଁ ତାଙ୍କ ପାଖରେ ୧୬୪ ବିଧାୟକଙ୍କ ସମର୍ଥନ ରହିଥିବା ପତ୍ର ସେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।
ରାଜଭବନରୁ ଫେରିବା ପରେ ନୀତୀଶ ଓ ତେଜସ୍ୱୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠାରେ ନୀତୀଶ କହିଥିଲେ ଯେ ସେ ରାଜ୍ୟପାଳଙ୍କୁ ଭେଟି ୭ଟି ଦଳର ୧୬୪ ଜଣ ବିଧାୟକଙ୍କ ସମର୍ଥନପତ୍ର ଦେଇଛନ୍ତି । ବିହାରର ବିକାଶ ପାଇଁ ୭ ଦଳ ଏକାଠି ହୋଇଛନ୍ତି । କେବଳ ବିଜେପି ଏଠାରେ ଏକଘରିକିଆ ହୋଇଯାଇଛି । ଅନ୍ୟ ସବୁ ଦଳ ଏକାଠି ଅଛନ୍ତି । ପରେ ତେଜସ୍ୱୀ ଯାଦବ ବିଜେପି ଉପରେ ଜୋରଦାର ବର୍ଷିଥିଲେ । କହିଲେ ବିଜେପିର କୌଣସି ମେଣ୍ଟ ସହଯୋଗୀ ନାହାନ୍ତି । ଇତିହାସ କହୁଛି ବିଜେପି ମେଣ୍ଟ କରୁଥିବା ଦଳଗୁଡ଼ିକୁ ନଷ୍ଟ କରିଦେଇଥାଏ । ପଞ୍ଜାବ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ କ’ଣ ହେଲା ତାହା ସମସ୍ତେ ଦେଖିଛନ୍ତି ।
ଅନ୍ୟପକ୍ଷରେ ନୀତୀଶ ଜନାଦେଶକୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପିର ଏକ କୋର୍ କମିଟି ବୈଠକ ବସିଥିଲା । ବୈଠକ ପରେ ରବିଶଙ୍କର ପ୍ରସାଦଙ୍କ ଠାରୁ ଆରମ୍ଭ କରି ଗିରିରାଜ ସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ନୀତୀଶଙ୍କୁ କଡା ସମାଲୋଚନା କରିଥିଲେ । ସିଂହ କହିଥିଲେ ନୀତୀଶଙ୍କ ମହାତ୍ତ୍ୱାକାଂକ୍ଷୀ ପୁଣିଥରେ ଚେଇଁ ଉଠିଛି । କିନ୍ତୁ ବିହାରର ଜନତା ତାଙ୍କୁ ଉଚିତ ଶିକ୍ଷା ଦେବେ । ପ୍ରସାଦ କହିଛନ୍ତି ଯେ ଏକଦା ନୀତୀଶ ମଧ୍ୟ ଲାଲୁ ଯାଦବଙ୍କ ଶାସନକୁ ଜଙ୍ଗଲ ରାଜ ବୋଲି କହୁଥିଲେ । ଏହି କାରଣରୁ ସେ ମହାମେଣ୍ଟ ଛାଡିଥିଲେ । କିନ୍ତୁ ପୁଣିଥରେ ସେହି ମହାମେଣ୍ଟ ସହିତ ହାତ ମିଳାଇଛନ୍ତି । ଏହା ବିହାରର ଜନତାଙ୍କ ଦ୍ୱାରା ଦିଆଯାଇଥିବା ଜନାଦେଶ ପ୍ରତି ବିଶ୍ୱାସଘାତକତା ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆ ସରକାର ଗଠିତ ହେଲେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଯଦି ସେ ନହୁଅନ୍ତି ତେବେ ତାଙ୍କ ପତ୍ନୀ ରାଜଶ୍ରୀ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।
ସରକାର ଗଠନକୁ ନେଇ ନୀତୀଶ ଓ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି । କିଛି ସହମତି ବି ହୋଇଥିବା କୁହାଯାଉଛି । ଏହା ମୁତାବକ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ଏବଂ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କାହାକୁ ମନ୍ତ୍ରୀ ପଦ ମିଳିବ ତାହାର ସବୁ ତାଲିକା କେବଳ ନୀତୀଶ ହିଁ ପ୍ରସ୍ତୁତ କରିବେ । ଏଥିସହିତ କାହାକୁ କେଉଁ ବିଭାଗ ବଣ୍ଟାଯିବ ସେହି ନିଷ୍ପତ୍ତି ମଧ୍ୟ ନୀତୀଶ ନେବେ । ଅନ୍ୟପକ୍ଷରେ ତେଜସ୍ୱୀଙ୍କ ଦଳ ଆର୍ଜେଡିରୁ ବାଚସ୍ପତି ମନୋନୀତ କରାଯିବ । ଉଭୟ ଦଳରୁ ୧୪ ଜଣ ଲେଖାଏ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ଏଥିସହିତ ଅନ୍ୟ ସହଯୋଗୀ ଦଳ କଂଗ୍ରେସ, ହାମ୍ ଓ ବାମଦଳରୁ ମଧ୍ୟ କିଛି ବିଧାୟକ ମନ୍ତ୍ରୀ ହେବାର ସମ୍ଭାବନା ରହିଛି ।
ସେପଟେ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଏବେ ଆସ୍ଥା ଭୋଟ ପାଇଁ ପ୍ରସ୍ତୁତି କରୁଛନ୍ତି । ସେ ଅନୁସାରେ, ଜେଡିୟୁର ସମସ୍ତ ବିଧାୟକଙ୍କୁ ଆଗାମୀ ୭୨ ଘଣ୍ଟା ଯାଏ ପାଟ୍ନାରେ ରହିବାକୁ ନିର୍ଦ୍ଦେଶ ମିଳିଛି । ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ । ସେଥିମଧ୍ୟରୁ ମ୍ୟାଜିକ ନମ୍ବର ହେଉଛି ୧୨୨ । ଅର୍ଥାତ ଯେଉଁ ଦଳ କିମ୍ବା ମେଣ୍ଟ ସପକ୍ଷରେ ୧୨୨ ବିଧାୟକଙ୍କ ସମର୍ଥନ ଥିବ ସେ ହିଁ ସରକାର ଗଠନ କରିବ । ତେବେ ସର୍ବାଧିକ ୭୯ ବିଧାୟକଙ୍କ ସହ ଆରଜେଡି ହେଉଛି ରାଜ୍ୟର ଏକକ ସର୍ବବୃହତ୍ ଦଳ । ୭୭ ଆସନ ସହ ଏହା ତଳକୁ ରହିଛି ବିଜେପି ।
ନିର୍ବାଚନରେ ବିଜେପି ୭୪ ଆସନ ପାଇଥିଲା । କିନ୍ତୁ ଭିଆଇପି (ବିକାଶଶୀଳ ଇନ୍ସାନ ପାର୍ଟି)ର ୩ ବିଧାୟକ ବିଜେପିରେ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ସେହିଭଳି ନୀତୀଶ କୁମାରଙ୍କ ଜେଡିୟୁ ବିଧାୟକଙ୍କ ସଂଖ୍ୟା ହେଉଛି ୪୪ । କଂଗ୍ରେସର ୧୯ ଜଣ ବିଧାୟକ ରହିଥିଲା ବେଳେ ସିପିଆଇ-ଏମ୍ଏଲ୍ (ଏଲ୍)ର ୧୨ ବିଧାୟକ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଁଝୀଙ୍କ ହାମ୍ର ୪, ସିପିଆଇର ୨, ସିପିଏମ୍ର ୨, ଏଲ୍ଜେପିର ୧, ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମ୍ଆଇଏମ୍ର ୧ ଓ ଜଣେ ସ୍ୱାଧୀନ ବିଧାୟକ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଜଣେ ଆରଜେଡି ବିଧାୟକଙ୍କ ମୃତ୍ୟୁ ହେବା ପରେ ବିଧାନସଭାର ଗୋଟିଏ ଆସନ ଏବେ ଖାଲି ରହିଛି ।
Comments are closed.