ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲ୍‌ବର୍ଣ୍ଣ ୨୦୨୧ରେ ପ୍ରଦର୍ଶିତ ହେବ ନିଳମାଧବ ପଣ୍ଡାଙ୍କ ଫିଲ୍ମ କାଲିର ଅତୀତ

Share It

ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଓଡିଆ ଚଳଚିତ୍ର କାଲିର ଅତୀତ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲ୍‌ବର୍ଣ୍ଣ ୨୦୨୧ରେ ପ୍ରଦର୍ଶିତ ହେବ ଏବଂ ଜଳବାୟୁ ପରିବର୍ତନର ବିପଦକୁ ଆକ୍ରୋଶମୂଳକ ଭାବେ ଆଲୋକପାତ କରୁଥିବା ଏହି ଚଳଚିତ୍ର ବିଶ୍ୱବ୍ୟାପୀ ବିଭିନ୍ନ ଚଳଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଛି । ୨୦୦୫ରୁ ଜଳବାୟୁ ପରିବର୍ତନର ବିପଦ ସମ୍ପର୍କରେ ସଚେତନ କରିଆସୁଥିବା ଏହି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି, “ ମିଳିତ ଜାତିସଂଘର ଇଂଟରଗଭର୍ଣ୍ଣମେଂଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ (ଆଇପିସିସି) ଦ୍ୱାରା ଗତ ଅଗଷ୍ଟ ୯ ତାରିଖରେ ପ୍ରକାଶିତ ରିପୋର୍ଟ ବିଶ୍ୱର ଜଳବାୟୁ ପରିବର୍ତନ ଓ ବିଶ୍ୱବ୍ୟାପୀ ସମୁଦାୟଗୁଡିକ ଉପରେ ହେବାକୁ ଥିବା ଏହାର ପ୍ରଭାବକୁ ନେଇ ସତର୍କ ଘଂଟି ବଜାଇଥିଲା । ତେଣୁ ଆମକୁ ଏବେ ହିଁ ଏଦିଗରେ କାର୍ଯ୍ୟ କରିବାକୁ ପଡିବ ।” ଏହି ଚଳଚିତ୍ରକୁ ଜୁଲାଇ ୨୦୨୧ରେ ଲଣ୍ଡନ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା ଏବଂ ବର୍ତମାନ ଏହା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲ୍‌ବର୍ଣ୍ଣ ଅଗଷ୍ଟ ୨୦୨୧ରେ ଔପଚାରିକ ଚୟନର ଅଂଶ ହୋଇଛି । କାଲିର ଅତୀତ ଚଳଚିତ୍ରକୁ ଆସନ୍ତା ଅକ୍ଟୋବର ୨୦୨୧ରେ ପାରାଗୁଏ ଇଂଟରନ୍ୟାଶନାଲ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ କରାଯିବ ।
ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲ୍‌ବର୍ଣ୍ଣ (ଆଇଏଫ୍‌ଏଫ୍‌ଏମ୍‌) ହେଉଛି ଅଷ୍ଟ୍ରେଲିଆରେ ସର୍ବବୃହତ୍ ଚଳଚିତ୍ର ମହୋତ୍ସବ ମଧ୍ୟରୁ ଅନ୍ୟତମ, ଯାହା ଭାରତୀୟ ସିନେମାର ସମସ୍ତ ପ୍ରକାର ଓ ଆକାରକୁ ପାଳନ କରୁଛି । ଏଠାରେ ଲକ୍‌ଡାଉନ୍ କାରଣରୁ ଇନ୍‌-ସିନେମା ପ୍ରୋଗ୍ରାମ ସମେତ ଓପନିଙ୍ଗ୍ ନାଇଟ୍ ଷ୍ଟାଣ୍ଡ୍ ବାତିଲ ହୋଇଥିଲା । ତେବେ ଅନ୍‌ଲାଇନ୍ ପ୍ରୋଗ୍ରାମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଖୋଲିବ ବୋଲି ଧାର୍ଯ୍ୟ ହୋଇଛି । ଆଇଏଫ୍‌ଏଫ୍‌ଏମ୍‌ରେ ଫିଲ୍ମର ଚୟନ ସମ୍ପର୍କରେ ନୀଳମାଧବ ପଣ୍ଡା ଆହୁରି କହିଥିଲେ, ‘ ଯେତେବେଳେ ମୁଁ ଏହି ଚଳଚିତ୍ର ତିଆରି କରିଥିଲି ମୋର ଇଚ୍ଛା ଥିଲା ଚଳଚିତ୍ରର ବାର୍ତାକୁ ସମଗ୍ର ବିଶ୍ୱରେ ପହଂଚାଇବା । ମୋର ଚଳଚିତ୍ର ମାଧ୍ୟମରେ ମୁଁ ବାସ୍ତବ ଘଟଣାଗୁଡିକ ସମ୍ପର୍କରେ କହିବା ଏବଂ ଏଭଳି ଗମ୍ଭୀର ପ୍ରସଙ୍ଗ ଉପରକୁ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି । ଆଇଏଫ୍‌ଏଫ୍‌ଏମ୍‌ରେ ଔପଚାରିକ ଚୟନ ହେବା ଆମ ଟିମ୍ ପାଇଁ ଏକ ଗୌରବର ବିଷୟ ।


Share It

Comments are closed.