ଅକ୍ଟୋବର ୩୧ରେ ନୂଆ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେଶନ ଲୋକାର୍ପଣ
ଭୁବନେଶ୍ବରର ଲିଙ୍ଗରାଜ ଟେମ୍ପଲ ରୋଡ ରେଳ ଷ୍ଟେଶନ ନୂଆ ରୂପ ପାଇବାକୁ ଯାଉଛି। ଚଳିତବର୍ଷ ଅକ୍ଟୋବର ୩୧ରେ ଏହି ନୂଆ ଷ୍ଟେଶନ ଲୋକାର୍ପଣ ହେବ ବୋଲି ସୂଚନା ରହିଛି। ମଙ୍ଗଳବାର ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ ରେଳ ଷ୍ଟେଶନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ପୂର୍ବତଟ ରେଳପଥର ଡିଆରଏମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ନିର୍ଦ୍ଦୋ ଦେଇଛନ୍ତି । ସୂଚନାଥାଉକି, ଏହି ଉନ୍ନତିକରଣ ପ୍ରକଳ୍ପ ପାଇଁ ମୋଟ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ ୨ର ଏକ ନୂତନ ଷ୍ଟେଶନ ବିଲ୍ଡିଂ ନିର୍ମାଣ କରାଯାଉଛି। ବର୍ତ୍ତମାନ ଷ୍ଟେଶନର ସମ୍ମୁଖକୁ ମୁହଁକରି ଥିବା ୧୧ଶହ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସେହିପରି ୧୨ ମିଟର ଓସାରର ଏକ ଫୁଟ ଓଭର ବ୍ରିଜ ନିର୍ମାଣ କରାଯିବ। ୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ ପୃଥକ ପାର୍କିଂସ୍ଥଳ ସହ ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ ।
ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ ମଡ୍ୟୁଲାର ଟଏଲେଟ ସାଙ୍ଗକୁ ୧, ୨ ଏବଂ ୩ ନମ୍ବର ପ୍ଲାଟଫର୍ମରେ ଗ୍ରାନାଇଟ ଏବଂ ମୋଜାଇକ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି । ଏହା ସମେତ ୨୯ ବେଜର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ। ଏହି ୨୯ ବେଜ ମଧ୍ୟରେ ୧୩ ବେଜର ସେଲ୍ଟର ୧ ନମ୍ବର ଏବଂ ୨ ନମ୍ବର ପ୍ଲାଟଫର୍ମ ଲାଗି , ଆଉ ୧୬ ବେଜର ସେଲ୍ଟର ୩ ନମ୍ବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ। ଏହା ବ୍ୟତୀତ କୋଚ୍ ଇଣ୍ଡିକେଶନ ବୋର୍ଡ, ଟ୍ରେନ ଇଣ୍ଡିକେଶନ ବୋର୍ଡ ଏବଂ ସାଇନେଜ ଲାଗି ମଧ୍ୟ ଅନୁଦାନ ରେଳ ମନ୍ତ୍ରାଳୟ ଅନୁଦାନ ପ୍ରଦାନ କରିଛି । ଏହି ରେଳ ନବୀକରଣ କାମ ପାଇଁ ଭୀମଟାଙ୍ଗିବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏନେଇ ଭୁବନେଶ୍ବର ଏମପି ଷଡ଼ଙ୍ଗୀଙ୍କୁ ଅବଗତ କରାଯାଇଥିଲା। ଏହି ଉନ୍ନତିକରଣ କାମ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏମପି ଚିଠି ଲେଖିଥିଲେ। ବର୍ତ୍ତମାନ ଏହି ରେଳ ଷ୍ଟେଶନରେ ୧୪ଟି ଟ୍ରେନ ରହଣି କରୁଥିବାବେଳେ ଏଥିମଧ୍ୟରେ ୧୧ଟି ପାସେଞ୍ଜର ଓ ୩ଟି ଏକ୍ସପ୍ରେସ ଟ୍ରେନ୍ ରହିଛି। ପ୍ରତ୍ୟକ ଦିନ ଏହି ଷ୍ଟେଶନ ଦେଇ ୮ ଶହ ଲୋକ ଯାତାୟତ କରୁଛନ୍ତି । ଏହି ସମୀକ୍ଷା ବୈଠକରେ ଭୁବନେଶ୍ବର ସାଂସଦଙ୍କ ସହିତ ଡିଆରଏମ ଇଷ୍ଟକୋଷ୍ଟ ଏଚ ଏସ ବାଜଓ୍ବା, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।
Comments are closed.