ଅର୍ଜୁନ ପୁରଷ୍କାର ପାଇଁ ଦୂତିଙ୍କ ନାମ ସୁପାରିସ କଲା ଭାରତୀୟ ଆଥଲେଟିକ ସଂଘ
ଭାରତୀୟ ଆଥ୍ଲେଟିକ୍ ସଙ୍ଘ(ଏଏଫ୍ଆଇ) ପକ୍ଷରୁ ସମ୍ମାନ ଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ପ୍ରତିଭାବାନ୍ ଜାଭେଲିନ ଥ୍ରୋୟାର ନୀରଜ ଚୋପ୍ରାଙ୍କ ନାମ ସୁପାରିଶ କରାଯାଇଛି । ଗତ ଦୁଇ ବର୍ଷ ଧରି ନୀରଜଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇ ଆସୁଥିଲେ ହେଁ ଅନ୍ତିମ ମୁହୂର୍ତ୍ତରେ ସେ ସେ ଏପର୍ଯ୍ୟନ୍ତ ପୁରସ୍କାର ପାଇନାହାନ୍ତି । ଏଏଫ୍ଆଇ ଖେଳରତ୍ନ ପୁରସ୍କାର ପାଇଁ ୨୦୧୮ରେ ନୀରଜଙ୍କ ନାମ ସୁପାରିଶ କରିଥିଲା । ହେଲେ ମୀରାବାଇ ଚାନୁଙ୍କୁ ପ୍ରାଥମିକତା ଦିଆଯିବାରୁ ନୀରଜ ବାଦ ପଡ଼ିଥିଲେ । ୨୦୧୯ରେ ବଜରଙ୍ଗ ପୁନିଆଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଫଳରେ ସଫଳତା ସତ୍ତେ୍ୱ ନୀରଜ ଖେଳରତ୍ନରୁ ବଞ୍ଚିତ ହୋଇଥିଲେ । ଏଥର ନୀରଜଙ୍କୁ ସୁଯୋଗ ମିଳିବ ବୋଲି ଏଏଫ୍ଆଇ ସଭାପତି ଆଦିଲ ସୁମାରିୱାଲା ପ୍ରକାଶ କରିଛନ୍ତି ।
ନୀରଜଙ୍କୁ ୨୦୧୮ରେ ଅଜୁର୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ନୀରଜଙ୍କ ନାମ ଉଭୟ ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲା । ନୀରଜଙ୍କୁ ଅର୍ଜୁନ ପୁରସ୍କାରରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେହିବର୍ଷ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ମଧ୍ୟ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଇତି ମଧ୍ୟରେ ନୀରଜ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ, ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଟ୍ରିପଲ ଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅର୍ପିନ୍ଦର ସିଂହ, ୮୦୦ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ମନଜୀତ ସିଂହ ଓ ପିୟୁ ଚିତ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।
ସେହିପରି ରାଧାକ୍ରିଷ୍ଣନ ନାଏରଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରାଯାଇଥିବାବେଳେ ୧୯୮୨ ଏସୀୟ କ୍ରୀଡ଼ାରେ ଡିସ୍କସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଥିବା କୁଲଦୀପ ସିଂହ ଭୁଲର, ୨୦୦୨ ବୁସାନ ଏସୀୟ କ୍ରୀଡ଼ାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜିନ୍ସି ଫିଲିପଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।