କରୋନା ଭୟାବହତା : ୩୬ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ୧୦ ଗୁଣା ବୃଦ୍ଧି

Share It

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ଆସି ପହଞ୍ଚି ସାରିଲାଣି । ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଏବଂ ତାମିଲନାଡୁରେ କରୋନା ଭାଇରସ ନୂଆ ମାମଲା ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ସାଜିଛି । ଦେଶରେ ୧୩ ଏପ୍ରିଲ ପର୍ଯ୍ୟନ୍ତ ୯,୩୫୨ ଜଣ ସଂକ୍ରମିତ ଚିହ୍ନଟ ଥିବାବେଳେ ବର୍ତ୍ତମାନ ୩୬ ଦିନ ମଧ୍ୟରେ ଏହାର ସଂଖ୍ୟା ୧୦ ଗୁଣା ଅଧିକ ବଢିଯାଇଛି ।
ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ କରୋନାରେ ପ୍ରଭାବିତ ଅନ୍ୟ ଦେଶମାନଙ୍କ ତୁଳନାରେ ଏଠାରେ ସଂକ୍ରମଣ ହାର କମ୍ ରହିଛି । ଜନ୍ସ ହଂପିଙ୍ଗସ ବିଶ୍ୱବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଭାରତରେ ୧୦ ହଜାରରୁ ୧ ଲକ୍ଷରେ ପର୍ଯ୍ୟନ୍ତ କରୋନା ମାମଲା ପହଞ୍ଚିବା ପାଇଁ ୩୬ ଦିନ ସମୟ ଲାଗିଛି । ଅନ୍ୟଦେଶମାନଙ୍କରେ ମାମଲା ୧ ହଜାରରୁ ୧୦ ହଜାରରେ ପହଞ୍ଚିବା ପାଇଁ ମାତ୍ର ୨୪ ଦିନ ଲାଗିଛି ।
ସେହିଭଳି ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନରେ ପ୍ରତ୍ୟେକ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ଏହି ରାଜ୍ୟ ମାନଙ୍କ ତୁଳନାରେ ବର୍ତ୍ତମାନ ବିହାରରେ ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି । ଗତ ଏକ ସପ୍ତାହ ମଧ୍ୟରେ ସେଠାରେ ୧୪୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ସଂକ୍ରମିତଙ୍କ ମାମଲାରେ ୬୫ ପ୍ରତିଶତ କେବଳ ମହାରାଷ୍ଟ୍ର, ବିହାର ଏବଂ ରାଜସ୍ଥାନରୁ ଆସିଛି । ସେହିଭଳି ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଏବଂ ଆନ୍ଦ୍ରପ୍ରଦେଶରେ ପୂର୍ବ ଅପେକ୍ଷା କରୋନା ସଂକ୍ରମିତଙ୍କ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି


Share It

Comments are closed.