ଏସସିବି ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରର ନୀରବତାକୁ ନେଇ ପ୍ରଶ୍ନ କଲେ ନବୀନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

Share It

ଭୁବନେଶ୍ୱର: କଟକ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ ଏବଂ ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି।

ସାମ୍ବାଦିକମାନଙ୍କ ସହ ଆଲୋଚନା କରି ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଘଟଣାର ୯ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି, “ଏସସିବିରେ ରୋଗୀଙ୍କ ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣାର ୯ ଦିନ ପରେ ବି କେହି ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ଆସିନାହାନ୍ତି, ଯାହା ସତରେ ଶୋଚନୀୟ।”

ନବୀନ ପଟ୍ଟନାୟକ ନିଜ ସରକାର ସମୟର ଏକ ଘଟଣା ସହ ତୁଳନା କରି କହିଛନ୍ତି ଯେ, ସେତେବେଳେ ଏକ ଘରୋଇ ମେଡିକାଲରେ ଘଟିଥିବା ଅଘଟଣ ସମୟରେ ଅନେକ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ଆସିଥିଲେ। “ଆମ ସରକାର ସମୟରେ ଘଟିଥିବା ଦୁର୍ଘଟଣା ବେଳେ କେନ୍ଦ୍ର ମନ୍ତ୍ରୀମାନେ ପରିଦର୍ଶନରେ ଆସିଥିଲେ। ଓଡ଼ିଶାବାସୀଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣ ଏବେ ତୁଳନା କରିପାରିବେ,” ବୋଲି ସେ କହିଛନ୍ତି।

ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ସେ ପୁଣି ଥରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଏସସିବିରେ ଘଟିଥିବା ଏହି ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହି ପ୍ରସଙ୍ଗରେ ବିଜେଡି ଆଗକୁ ମଧ୍ୟ ବିକ୍ଷୋଭ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି।


Share It

Comments are closed.