କେରଳରେ ଅନୁଷ୍ଠିତ ଫେଡେରେସନ୍‍ କପରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‍ପିସିର ଆଥଲେଟଙ୍କୁ ଏକାଧିକ ପଦକ

Share It

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‍ଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ଆଥଲେଟମାନେ ଗତ ସପ୍ତାହରେ କେରଳର କାଲିକଟଠାରେ ଅନୁଷ୍ଠିତ ଫେଡେରେସନ୍‍ କପ୍‍ରେ ସେମାନଙ୍କର ଅନନ୍ୟ ପ୍ରଗତିର ପ୍ରମାଣ ପୁନଃ ପ୍ରଦର୍ଶିତ କରିଛନ୍ତି । ଏଚ୍‍ପିସିର ତିନିଜଣ ଆଥଲେଟ- ଅମ୍ଲାନ ବୋରଗୋହେନ୍‍, ଜ୍ୟୋତି ୟାରାଜୀ ଏବଂ ସିଦ୍ଧାନ୍ତ ଥିଙ୍ଗାଲୟା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟଜଣେ ଆଥଲେଟ ମୌମିତା ମଣ୍ଡଳ ଏକ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି । ଏଚ୍‍ପିସିର ଅନ୍ୟ ବହୁ ଆଥ୍‍ଲେଟ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ପ୍ରଦର୍ଶନ କରିଥିବାବେଳେ ଆଉ କିଛି ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଛନ୍ତି, ଯାହା ହେଡ୍‍ କୋଚ୍‍ ଜେମ୍ସ ହିଲିଅର୍‍ଙ୍କୁ ତାଙ୍କର ଶିଷ୍ୟମାନଙ୍କୁ ନେଇ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଯୋଗାଇ ଦେଇଛି ଏବଂ ତାହାସହିତ ସେ ହାତଛଡା ହୋଇଥିବା ସୁଯୋଗକୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

“ମୁଁ ସନ୍ତୁଷ୍ଟ ବୋଲି କହିବା କଷ୍ଟକର, କାରଣ କୋଚ୍‍ ଭାବରେ ଜଣେ ଅଧିକ ଆଶା କରନ୍ତି,” ବୋଲି ହିଲିଅର୍‍ କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, “ପ୍ରତିଯୋଗିତାରେ ଆମ ଆଥଲେଟମାନେ କେତେକ ଅନନ୍ୟ ବ୍ୟକ୍ତିଗତ ପ୍ରଦର୍ଶନ କରିଥିଲେ କିନ୍ତୁ ମୋଟାମୋଟି ଭାବରେ ଆମେ କେତେକ ସୁଯୋଗକୁ ହାତଛଡା କରିଦେଲୁ ।”

ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ବୋରଗୋହେନ୍‍ ସ୍ପ୍ରିଣ୍ଟ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ୨୦.୬୩ ସେକେଣ୍ଡକୁ ଭାଙ୍ଗିବା ସହିତ ୨୦୦ ମିଟରକୁ ୨୦.୫୨ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ । ବୋର୍‍ଗୋହେନ୍‍ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାବେଳେ ୟାରାଜୀ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସତ୍ତ୍ୱେ କାନ୍ଦି ପକାଇଥିଲେ । ତାଙ୍କର ସମୟ ୧୩.୦୯ ସେକେଣ୍ଡ ସମ୍ପ୍ରତି ରହିଥିବା ୧୩.୩୮ସେକେଣ୍ଡର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ମଧ୍ୟ ତାଙ୍କୁ ଏହି ସମୟ ପ୍ରଦାନ ପାଇଁ ମନା କରାଯାଇଥିଲା, କାରଣ ପବନର ବେଗ (ଟେଲ୍‍ ୱିଣ୍ଡ୍‍) ଅନୁମୋଦିତ ସୀମାଠାରୁ ସାମାନ୍ୟ ଅଧିକ ରହିଥିଲା । ଅବଶ୍ୟ ଏହି ଧକ୍କା ସେହିସମୟରେ କିଛି ପରିମାଣରେ ଅବଦମିତ ହୋଇଥିଲା, ଯେତେବେଳେ ୟାରାଜୀଙ୍କ ତାଲିମ ସହଯୋଗୀ ମଣ୍ଡଳ ୧୩.୭୮ ସେକେଣ୍ଡ ସହିତ ରୌପ୍ୟ ପଦକ ହାସଲ କଲେ ଏବଂ ଏହା ଏଚ୍‍ପିସି ଆଥ୍‍ଲେଟମାନଙ୍କ ପାଇଁ ଉଲ୍ଲେଖନୀୟ ୧-୨ ସଫଳତା ଆଣିଦେଇଥିଲା ।

“ଏହା ବାସ୍ତବିକ ଏକ ପ୍ରଭାବଶାଳୀ ପ୍ରଦର୍ଶନ ଥିଲା ଏବଂ କିଛି ସମୟରେ ଜ୍ୟୋତି ଆନୁଷ୍ଠାନିକ ଭାବରେ ଏହି ରେକର୍ଡକୁ ପୁନର୍ବାର ଭାଙ୍ଗିପାରିବେ,” ବୋଲି ହିଲିଅର୍‍ କହିଛନ୍ତି । ସେ କହିଛନ୍ତି ଯେ, “ଜ୍ୟୋତି ଆମମାନଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଆସିଥିଲେ ଏବଂ ତାଙ୍କ ଭିତରେ ଆତ୍ମବିଶ୍ୱାସ ଖୁବ୍‍ ନିମ୍ନରେ ଥିଲା, ତାଙ୍କ ଶରୀରରେ ଆଘାତ ଲାଗିଥିଲା ଏବଂ ସେ ଅନ୍‍ଫିଟ୍‍ ସ୍ଥିତିରେ ଥିଲେ । କ୍ରମଶଃ ମୁଁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଦେବା ଏବଂ ତାଙ୍କର ବେଗ, ସାମର୍ଥ୍ୟ ଏବଂ ତାଲିମରେ ନିରନ୍ତରତା ବଜାୟ ରଖିବା ପ୍ରୟାସ କରିଥିଲି ।”

୩୧ ବର୍ଷ ବୟସ୍କ ଥିଙ୍ଗାଲୟା ଜାତୀୟ ସର୍କିଟରେ ଅନ୍ୟତମ ଭେଟେରାନ୍‍ ହୋଇଥିବାବେଳେ ଅଢେଇ ବର୍ଷ ପରେ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରି ୧୧୦ ମିଟର ହର୍ଡଲ୍ସକୁ ୧୪.୦୮ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ । ସେହି ବିଭାଗରେ ଗ୍ରେସିସନ୍‍ ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ୧୪.୬୭ ସେକେଣ୍ଡ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । ମାତ୍ର ୧୯ ବର୍ଷ ବୟସ ହୋଇଥିବା ଗ୍ରେସିସନ୍‍ଙ୍କୁ ହିଲିଅର୍‍ ଭବିଷ୍ୟତର ଜଣେ ଉଜ୍ଜ୍ୱଳ ସମ୍ଭାବନା ଭାବରେ ଚିହ୍ନଟ କରିଛନ୍ତି ।

ହାଇ ଜମ୍ପର୍‍ ସ୍ୱାଧୀନ ମାଝୀ ଗୋଇଠିରେ କ୍ଷତ କାରଣରୁ ଗତ ମାସରେ ତାଲିମକୁ ସୀମିତ କରିଥିବା ସତ୍ତ୍ୱେ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୦ ମିଟର ପ୍ରଦର୍ଶନ ସହିତ ପଞ୍ଚମ ସ୍ଥାନରେ ରହିଥିଲେ । ଏଚପିସିରେ ନୂଆକରି ଯୋଗଦେଇଥିବା ୩୦୦୦ ମିଟର ଷ୍ଟିପଲଚେଜର୍‍ ସୁସ୍ମିତା ଟିଗା ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୧.୨୩.୧୦ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । କାଂସ୍ୟ ପଦକ ହାସଲ ଅଳ୍ପକେ ହାତଛଡା କରିଥିବା ଅନ୍ୟଜଣେ ଆଥଲେଟ ହେଉଛନ୍ତି ୪୦୦ ମିଡର ହର୍ଡଲ୍ସରେ ପ୍ରଜ୍ଞା ସାହୁ । ଲଙ୍ଗ ଜମ୍ପର୍‍ ସବିତା ଟପ୍ପୋ ଏବଂ ମନୀଷା ମେରେଲ ପଦକ ତାଲିକା ବାହାରେ ରହିଯାଇଥିଲେ, କାରଣ ଏହି ପ୍ରତଯୋଗିତା ସେମାନଙ୍କ ପାଇଁ ଶୀର୍ଷ ସ୍ତରରେ ଅନୁଭୂତି ଏବଂ ପ୍ରଦର୍ଶନ ସୁଯୋଗ ଯୋଗାଇବାକୁ ଉଦ୍ଦିଷ୍ଟ ଥିଲା ।

 


Share It

Comments are closed.