ଓଡ଼ିଶା ଏବଂ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Share It

ସୁସ୍ଥାୟୀ କୃଷି ନିମନ୍ତେ ଏକ ଐତିହାସିକ ବିକାଶ ଜନିତ ପଦକ୍ଷେପ ସ୍ଵରୂପ, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଆଜି ରାଜ୍ୟର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କୃଷିକୁ ସାମଗ୍ରିକ ରୂପାନ୍ତରଣ କରିବା ଦିଗରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା କୃତ୍ରିମ ବୃଦ୍ଧିମତ୍ତା, ଜଳବାୟୁ ଅନୁକୁଳ ଆନୁଷଙ୍ଗିକ କୃଷି ଏବଂ ଯଥା ଯଥ କୃଷି ପଦ୍ଧତି ଦ୍ୱାରା କୃଷି, ମତ୍ସ୍ୟ ଓ ଗୋପାଳନର ଉତ୍ପାଦକତା ବୃଦ୍ଧି ଘଟି ପାରିବ । କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଆନୀତ ଏହି ଦୀର୍ଘକାଳୀନ ସହଭାଗିତା, ଗବେଷଣା,ବୈଷୟିକ ସହାୟତା ଏବଂ ଜଳବାୟୁ ଅନୁକୁଳ କୃଷିକୁ ରାଜ୍ୟରେ ପ୍ରୋତ୍ସାହିତ କରିବ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ ଗେଟ୍ସ ଫାଉଣ୍ଡେସନ ସହିତ ବୁଝାମଣାପତ୍ର ଓଡ଼ିଶାକୁ ଭବିଷ୍ୟତ କୃଷିର ଉତ୍ଥାନ ନିମନ୍ତେ ପ୍ରସ୍ତୁତ କରିବ । ରାଜ୍ୟର ଚାଷୀମାନଙ୍କୁ ଲାଭ ପହଞ୍ଚାଉଥିବା ଜ୍ଞାନ, ନବସୃଜନ ଏବଂ ସହଭାଗିତାରେ ନିବେଶ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
ଗେଟ୍ସ ଫାଉଣ୍ଡେସନ ଦାରିଦ୍ର୍ୟତା ହ୍ରାସ ନିର୍ଦ୍ଦେଶକ ବିଭାଗ ଅଲକେଶ ୱାଧୱାନୀ କହିଲେ ଯେ, ଓଡ଼ିଶା ସହ ବିଶେଷକରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ସହଭାଗିତାରେ କାର୍ଯ୍ୟ କରି ଆମେ ଖୁସି l ଏହି ସହଭାଗିତାକୁ ଆଗକୁ ବଢାଇବାକୁ ଆମେ ଉତ୍ସୁକ l ଫାଉଣ୍ଡେସନ ଓଡିଶାରେ କୃଷି ସହନଶୀଳ ପଦ୍ଧତିକୁ ଆଧାର କରି ପ୍ରଚଳିତ ବୈଷୟିକ ଜ୍ଞାନର ସଂଗ୍ରହ ସହିତ ଏହା କିପରି କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିବ ଏବଂ ରାଜ୍ୟରେ କୃଷି କ୍ଷେତ୍ରର ଅଭିବୃଦ୍ଧି ସହିତ ନବସୃଜନକୁ ପ୍ରୋତ୍ସାହିତ କରିବ, ସେ ଦିଗରେ ଯଥା ସମ୍ଭବ ପ୍ରଚେଷ୍ଟା କରିବ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ସ୍ଵାକ୍ଷରିତ ଏହି ବୁଝାମଣା ପତ୍ର ମାଧ୍ୟମରେ ଜଳବାୟୁ ଅନୁକୁଳ କୃଷି ସହଭାଗିତା ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଛି । ଜଳବାୟୁ ଅନୁକୁଳ କୃଷି ସହଭାଗିତା ଚୁକ୍ତି ବିଭିନ୍ନ ସରକାରୀ ସଂସ୍ଥା, ଗବେଷଣା ପ୍ରତିଷ୍ଠାନ, ନାଗରିକ ସମାଜ ଏବଂ ବେସରକାରୀ ଅନୁଷ୍ଠାନ ଏବଂ କୃଷକ ସଂଘମାନଙ୍କୁ ଏକତ୍ର କରି ଜଳବାୟୁ ଅନୁକୁଳ କୃଷି ଆପଣେଇବା ଏବଂ ନବସୃଜନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସହଯୋଗୀ ପ୍ଲାଟଫର୍ମ ଯୋଗାଇ ଦେବ ।
ଏହି କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଅଧ୍ୟୟନ କେନ୍ଦ୍ର (ସିଏସଟିଏପି) ଦ୍ୱାରା ପ୍ରସ୍ତୁତ “ଓଡ଼ିଶାରେ ଜଳବାୟୁ ଅନୁକୁଳ କୃଷି ଓ ଜିଲ୍ଲାଗୁଡ଼ିକର ତଥ୍ୟ ସମ୍ବଳିତ ପ୍ରାଥମିକତା” ଉପରେ ଏକ ସ୍କୋପିଂ ରିପୋର୍ଟ ଉନ୍ମୋଚନ ହୋଇଥିଲା । ଏହି ରିପୋର୍ଟରେ ଜିଲ୍ଲାୱାରୀ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୂଲ୍ୟାୟନ, ବିଭିନ୍ନ ଉତ୍ସର ବ୍ୟବହାର, କୃଷି କ୍ଷେତ୍ରରୁ ସବୁଜ ଗ୍ୟାସ ନିର୍ଗମନ ସହ ଜିଲ୍ଲାୱାରୀ ଜଳବାୟୁ ଅନୁକୁଳ କୃଷି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା “ପଡିଆ ଜମିର ରୂପାନ୍ତରଣ – ଓଡ଼ିଶାରେ ବ୍ୟାପକ ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ପରିଚାଳନା କାର୍ଯ୍ୟକ୍ରମର ପ୍ରଭାବ ମୂଲ୍ୟାୟନ” ଶୀର୍ଷକ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ଫଳରେ ଡାଲି ଓ ତୈଳଜାତୀୟ ଫସଲ ବ୍ୟାପକୀକରଣ ହୋଇପାରିଛି । ମୂଲ୍ୟାୟନ ମାଧ୍ୟମରେ ଯୋଜନାର ଉପାଦେୟତା, ଜମିର ବ୍ୟବହାରିତା ଓ ଉତ୍ପାଦକତା ବୃଦ୍ଧି ଇତ୍ୟାଦିକୁ ପ୍ରମାଣ କରିବା ସହ ଯୋଜନା ପ୍ରଣୟନରେ ତଥ୍ୟର ଆବଶ୍ୟକତାକୁ ପ୍ରତିପାଦନ କରୁଛି ।
ଏହି ଅବସରରେ ଓଡିଶା କୃଷି ପରିସଂଖ୍ୟାନ ପୁସ୍ତକ ୨୦୨୩-୨୪ ମଧ୍ୟ ଉନ୍ମୋଚନ କରାଯାଇଛି ଯାହାକି ରାଜ୍ୟର କୃଷି କ୍ଷେତ୍ରରେ ପ୍ରଣୟନ ସମସ୍ତ ଯୋଜନାର ପ୍ରତିଫଳନ କରିବା ସହ ପରିସଂଖ୍ୟାନ ସୂଚନା ଦ୍ୱାରା ଯୋଜନା ପ୍ରଣୟନକୁ ସୁଦୃଢ କରିବ ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ବୁଝାମଣା ପତ୍ର ସ୍ଵାକ୍ଷର ଦ୍ୱାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଜ୍ଞାନ ଓ ତଥ୍ୟ ସମ୍ବଳିତ ଯୋଜନା ପ୍ରଣୟନ ଦିଗରେ ସହାୟକ ହେବ ବୋଲି କହିଛନ୍ତି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ଡକ୍ଟର ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ, ଏହି ପଦକ୍ଷେପ ବିଜ୍ଞାନ, ନୀତି ଏବଂ ସହଭାଗୀତାର ଏକ ଅନନ୍ୟ ସମନ୍ୱୟ । ଏହି ବୁଝାମଣା ପତ୍ର ଏକ ଦୀର୍ଘକାଳୀନ ସହଭାଗିତା ମାଧ୍ୟମରେ ଆନ୍ତର୍ଜାତୀୟ ଉତ୍ତମ ଅଭ୍ୟାସ ଗୁଡିକୁ ଏକ ଡିଜିଟାଇଜଡ୍ ପ୍ଲାଟଫର୍ମ ଦ୍ୱାରା ଆମ ରାଜ୍ୟରେ ପ୍ରଚଳନ କରାଯାଇପାରିବ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା ପତ୍ର ରାଜ୍ୟରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କୃଷକ ମାନଙ୍କୁ ଡିଜିଟାଲ ସେବା ଯୋଗାଇବା, ରପ୍ତାନି ବୃଦ୍ଧି ସହ ବଜାର ସଂଯୋଗୀକରଣ, ଫସଲ ବିବିଧିକରଣ, ଉନ୍ନତ ଗୋ-ସମ୍ପଦର ବିକାଶ ହେବା ସହ ଲିଙ୍ଗଗତ ସମାନତା ଓ କୃଷି କ୍ଷେତ୍ରରେ ସହନଶୀଳତା ବୃଦ୍ଧିରେ ସାହାଯ୍ୟ କରିବ ।


Share It

Comments are closed.