ମହିଳାଙ୍କ ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୃତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାରେ ସବୁଠୁ ସିଂହଭାଗ ଲାଭ ଭାରତବର୍ଷର ମହିଳାମାନେ ପାଇଛନ୍ତି ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ବିଜେପିର ମହିଳା ଜନ ସମ୍ବାଦ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଭର୍ଚୁଆଲ ରାଲି ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ମୋର୍ଚ୍ଚାର ସଦସ୍ୟମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତା ନେବାର ପ୍ରଥମ ଦିନରୁ ହିଁ ଦେଶର ମା ଭଉଣୀ ମାନଙ୍କୁ ସମ୍ମାନ ଦେଖାଇ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି । ପର ଘରେ ବାସନ ମାଜି ଘର ଚଳାଉଥିବା ମାର ପୁଅ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଗରିବ ମା ମାନଙ୍କର ଦୁଃଖକୁ ଲାଘବ କରିଛନ୍ତି । ସେମାନଙ୍କ ପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ଶୋଚାଳୟ ନିର୍ମାଣ କରି ମହିଳାଙ୍କ ପ୍ରତି ଥିବା ଦରଦର ପ୍ରମାଣ କରିଛନ୍ତି ।
ସେହିପରି କରୋନା ମହାମାରୀ ସମୟରେ ଜନଧନ ଆକାଉଂଟରେ ଓଡିଶାର ୪୦ ଲକ୍ଷ ମହିଳା ମାନଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଁଏ ପଠାଇ ସେମାନଙ୍କୁ ଆର୍ଥିକ ସହଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୭ ଲକ୍ଷ ଲାଭାର୍ଥୀଙ୍କୁ ଗ୍ୟାସ ଯୋଗାଇ ଜୀବନଶୈଳିକୁ ପରିବର୍ତନ କରିଛନ୍ତି । ସେହିପରି ଆବାସ ଯୋଜନା, ସୁକନ୍ୟା ସମୃଦ୍ଧି, ଇନ୍ଧ୍ରଧନୁଷ, ମୁଦ୍ରା ଯୋଜନା ପଷୋଣ ଭଳି କାର୍ଯ୍ୟକ୍ରମ କରି ମହିଳାଙ୍କୁ ସବୁ ସ୍ତରରେ ସ୍ୱାବଲମ୍ବୀ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ପୂର୍ବ ଭାରତକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଆତ୍ମନିର୍ଭର ଭାରତ ସେବେ ସମ୍ଭବ ଯେବେ ଆତ୍ମନିର୍ଭର ଓଡିଶା ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡିଶାରେ ମୋଦିଙ୍କ ବିକାଶର କାମକୁ ଆଗେଇ ନେବା ପାଇଁ ମହିଳା ଜନପ୍ରତିନିଧି ମାନଙ୍କୁ ଆହ୍ୱାନ କରିଥିଲେ । ଏହାବ୍ୟତିତ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କରିବାକୁ ଆହ୍ୱାନ କରିଥିଲେ ଶ୍ରୀ ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୩୭ ହଜାର ବୁଥରେ ମହିଳା ମୋର୍ଚ୍ଚାକୁ ମଜବୁତ୍ କରିବା ପାଇଁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରାହଟକର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସାଂସଦ ସରୋଜା ପାଣ୍ଡେ ପ୍ରମୁଖ ଉଦବୋଧନ ଦେଇ ମୋଦି ସରକାରରେ ମହିଳା ମାନଙ୍କ ପାଇଁ ହୋଇଥିବା ଯୋଜନା ଏବଂ ଏହାଦ୍ୱାରା ଓଡିଶା ତଥା ଭାରତର ମହିଳା ମାନଙ୍କୁ ମିଳିଥିବା ସୁବିଧା ଉପରେ ଆଲୋକପାତ କରିଥିଲେ ।
ଏହାସହ କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ପ୍ରଭାତି ପରିଡା, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ନେତ୍ରୀ ସୁରମା ପାଢୀ, ସାଂସଦ ଅପରାଜିତା ଷଡଙ୍ଗୀ ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ କସ୍ତୁରି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


Share It

Comments are closed.