ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଚଳିତ ଖରିଫରେ ରାଜ୍ୟରେ କୃଷକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦୀ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ କୃଷି କାର୍ଯ୍ୟକୁ ଅବ୍ୟାହତ ରଖି ଖାଦ୍ୟ ଉତ୍ପାଦନ ଓ ଜନସାଧାରଣଙ୍କର ଖାଦ୍ୟ ସୁରୁକ୍ଷାକୁ ରାଜ୍ୟ ସରକାର ପ୍ରାଥମିିିକତା ପ୍ରଦାନ କରୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ହୋଇଥିବାରୁ ଫସଲ ଋଣ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଶ୍ରୀ ସ୍ୱାଇଁ କହିଛନ୍ତି । କୋଭିଡ-୧୯ କୁ ଦୃଷ୍ଟିରେ ରଖି ପ୍ୟାକସ୍ ଓ ଲ୍ୟାମ୍ପସଗୁଡିକରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ରରେ ୯୦୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପତ୍ର ଲେଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ପ୍ରାୟ ୬୫ ପ୍ରତିଶତ ସମବୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୨୦ ଋତୁରେ ସମୁଦାୟ ସଂସ୍ଥାଗୁଡିକ ପକ୍ଷରୁ ମୋଟ ୮୩୨୦.୧୩ କୋଟି ଟଙ୍କା ରାଜ୍ୟର ୧୮,୭୩,୯୦୫ ଜଣ ଚାଷୀଙ୍କୁ ଋଣ ବାବଦରେ ଯୋଗାଇ ଦେଇଥିଲେ । ସେହିପରି ସମବାୟ ବିଭାଗ ପକ୍ଷରୁ ୨୦୨୦-୨୧ ରବି ଫସଲ ନିମନ୍ତେ ୧୫ ଲକ୍ଷ ୬୫ ହଜାର ୨୫ ଜଣ ଚାଷୀଙ୍କୁ ମୋଟ ୬୮୬୯ କୋଟି ୯୦ ଲକ୍ଷ ୭୧ ଜାର ଟଙ୍କା ଋଣ ଆକାରରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇ ଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦ୍ୱାରା ଚାଷୀମାନଙ୍କୁ ଫସଲ ଋଣ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ଏବଂ ଏହାକୁ କିଷାନ କ୍ରେଡିଟ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଏବଂ ମଞ୍ଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଋଣ ଅନୁମୋଦନ ଓ ପ୍ରଦାନ ସମୟରେ ପ୍ୟାକସ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶଖାଗୁଡିକରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ନିୟମକୁ କଡାକଡି ଭାବେ ପାଳନ କରାଯିବ । ପାଞ୍ଚଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ । ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ । ଯୁଗ୍ମ ଦେୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ । ଏଥି ସହିତ ଅଧିକରୁ ଅଧିକ ନୂତନ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ । ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ , କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଫସଲ ଋଣଗୁଡିକ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗକୁ ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.