ସ୍କାଇପ୍ ମାଧ୍ୟମରେ ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭାଗନେଲେ ପଞ୍ଚାୟତିରାଜ ପ୍ରତିନିଧି, ସାମାଜିକ ସଂଗଠନ, ଗଣମାଧ୍ୟମ ଏବଂ ସାଧାରଣ ଲୋକ

Share It

କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଯେପରି କେହି ଜଣେ ହେଲେ ଗରିବ ଲୋକ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତୁ ସେଥିପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ପୂର୍ବାହ୍ନରେ ସ୍କାଇପ୍ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୨ଟି ଜିଲ୍ଲାର ପଞ୍ଚାୟତିରାଜ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ଗଣମାଧ୍ୟମର ପ୍ରତିନିଧି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଜନତାଙ୍କ ସହ ଖାଦ୍ୟ ସାମଗ୍ରୀର ଯୋଗାଣକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥି ସହିତ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରିଥିଲେ । ରାସନ କାର୍ଡଧାରୀମାନେ ୩ ମାସର ଅଗ୍ରିମ ପିଡିଏସ ସାମଗ୍ରୀ ଏକକାଳୀନ ପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସମସ୍ତ ରାସନ କାର୍ଡଧାରୀଙ୍କୁ ନଗଦ ରିଲିଫ ଆକାରରେ ଏକ ହଜାର ଟଙ୍କା ପ୍ରଦାନ ଯୋଗୁଁ ସେମାନେ ସନ୍ତୋଷ ବ୍ୟକ୍ତ କରିଥିବା କଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଆଲୋଚନା ଫଳପ୍ରଦ ହୋଇଥିବାବେଳେ ଲୋକମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୟୂରଭଞ୍ଜ, ନୟାଗଡ, ମାଲକାନଗିରି , କଳାହାଣ୍ଡି, ଗଜପତି, ସମ୍ବଲପୁର, ଦେବଗଡ, କୋରାପୁଟ, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାରକୁ କଡାକଡି ଭାବରେ ପାଳନ କରି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବା ପାଇଁ ଆହ୍ୱାନ ଦେଇଥିଲେ । ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।


Share It

Comments are closed.