ପ୍ରବାସୀମାନଙ୍କ ଖାଦ୍ୟ ନିରାପତ୍ତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଯୋଗୁଁ ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଓଡିଶା ଆସୁଛନ୍ତି । ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଦୁଇମାସ ନିମନ୍ତେ ବିନା ମୂଲ୍ୟରେ ଦିଆଯିବା ବ୍ୟବସ୍ଥା ସଂପର୍କରେ ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ ।
ପୂର୍ବରୁ ଏପ୍ରେଲ ୧୩ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଭିନ୍ନ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହିତ କରିଥିବା ଆଲୋଚନାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଲାବନ୍ଦ ସମୟରେ ବାହାର ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ତିନିମାସ ପାଇଁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ପ୍ରବାସୀମାନଙ୍କ ସମସ୍ୟାକୁ ବିଚାର କରି ସେମାନଙ୍କ ନିମନ୍ତେ ବିନାମୂଲ୍ୟରେ ଦୁଇମାସର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କୁ ବାର୍ତ୍ତାଳାପ ସମୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧନ୍ୟବାଦ ଜଣାଇଛନ୍ତି ।


Share It

Comments are closed.