ବିଜେପିରେ ଯୋଗ ଦେବେ ‘ମେଟ୍ରୋ ମ୍ୟାନ’ ଶ୍ରୀଧରନ, ଆସନ୍ତା ୨୧ରେ ଗ୍ରହଣ କରିବେ ଦଳର ସଦସ୍ୟତା
କୋଲକାତାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନର କର୍ଣ୍ଣଧାର ତଥା ମେଟ୍ରୋ ମ୍ୟାନ୍ ନାମରେ ବିଖ୍ୟାତ ଇ ଶ୍ରୀଧରନ ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ବିଜେପି ଦାବି କରିଛି ଯେ, ମେଟ୍ରୋ ମ୍ୟାନ୍ ଶ୍ରୀଧରନ ଫେବୃଆରୀ ୨୧ରେ ପାର୍ଟିର ବିଜୟ ଯାତ୍ରା ସମୟରେ ପାର୍ଟିରେ ସାମିଲ ହେବେ। ଉଲ୍ଲେଖଯୋଗ୍ୟ, କେରଳ ବିଜେପିର ସଭାପତି ସୁରେନ୍ଦ୍ରନଙ୍କ ନେତୃତ୍ଵରେ ଫେବୃଆରୀ ୨୧ରେ ବିଜେପି ବିଜୟ ଯାତ୍ରା ବାହାର କରୁଛି।
କେରଳରେ ଭାରତୀୟ ଜନତା ପାର୍ଟିର ପ୍ରମୁଖ ସୁରେନ୍ଦ୍ର କହିଛନ୍ତି, ଶ୍ରୀଧରନ ଫେବୃଆରୀ ୨୧ରେ କାସରଗୋଡରୁ ଆରମ୍ଭ ହେଉଥିବା ପାର୍ଟିର ବିଜୟ ଯାତ୍ରା ସମୟରେ ବିଜେପିରେ ସାମିଲ ହେବେ। ସେ ଦାବି କରିଛନ୍ତି, ଶ୍ରୀଧରନ ବିଜେପି ସହିତ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ଅଦ୍ୟାବଧି ଶ୍ରୀଧରନଙ୍କ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ। ମେଟ୍ରୋ ମ୍ୟାନ ନାମରେ ପ୍ରସିଦ୍ଧ ଶ୍ରୀଧରନ କୋଲକାତା ମେଟ୍ରୋରୁ ଦିଲ୍ଲୀ ମେଟ୍ରୋ ପର୍ଯ୍ୟନ୍ତ ନିର୍ମାଣରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ପରିବହନରେ ମେଟ୍ରୋ ପରି କ୍ରାନ୍ତିକାରୀ ଆଣିବାରେ ତାଙ୍କର ଏହି ଯୋଗଦାନ କାରଣରୁ ୨୦୦୧ରେ ତାଙ୍କୁ ପ୍ରଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେବଳ ଏତିକି ନୁହେଁ ବିକାଶ କାର୍ଯ୍ୟରେ ତାଙ୍କର ଯୋଗଦାନକୁ ଦେଖି ଫ୍ରାନ୍ସ ସରକାର ମଧ୍ୟ ୨୦୦୫ରେ ‘Chavalier de la Legion d’honneur’ ଆଓ୍ଵାର୍ଡରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ଆମେରିକାର ବିଶ୍ଵ ପ୍ରସିଦ୍ଧ ପତ୍ରିକା ଟାଇମ୍ ମ୍ୟାଗଜିନ୍ ମଧ୍ୟ ଶ୍ରୀଧରନଙ୍କୁ ‘ଏସିଆର ହିରୋ’ ଉପାଧି ଦେଇଥିଲା।
Comments are closed.