ଭାରତର ବିଶ୍ୱକପ୍ ବିଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ବର୍ଷିଲେ ଶେହଜାଦ
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ୯୬ ରନରେ ହରାଇବା ପରେ ବରିଷ୍ଠ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହଜାଦ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମ୍ୟାଚରେ ଭାରତ ୨୫୫ ରନ୍ ସଂଗ୍ରହ କରିଥିଲା ଏବଂ ନ୍ୟୁଜିଲାଣ୍ଡକୁ ୧୫୯ ରନରେ ଅଲଆଉଟ୍ କରି ଅନେକ ରେକର୍ଡ ନିଜ ନାମରେ କରିଥିଲା।
ପାକିସ୍ତାନର କ୍ରିକେଟ୍ ବ୍ୟବସ୍ଥା (ସିଷ୍ଟମ୍) କୁ ସମାଲୋଚନା କରି ଶେହଜାଦ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଭାରତ ଭଳି ଶୃଙ୍ଖଳା ଏବଂ ବ୍ୟବସ୍ଥା ଏଠାରେ ଦେଖିବାକୁ ମିଳୁନାହିଁ।
ପାକିସ୍ତାନର ଏକ ଟିଭି ଶୋ’ ‘ହାରନା ମନା ହୈ’ ରେ ଭାଗ ନେଇ ଶେହଜାଦ କହିଛନ୍ତି, “ପାକିସ୍ତାନରେ ବହୁତ ପ୍ରତିଭା ଅଛନ୍ତି। ପ୍ରତିଭାର କୌଣସି ଅଭାବ ନାହିଁ। କିନ୍ତୁ ତ୍ରୁଟି ଆମ ସିଷ୍ଟମରେ ଅଛି। ଭାରତରେ କଣ ଅଛି? ସେଠାରେ ଉଭୟ ପ୍ରତିଭା ଏବଂ ସିଷ୍ଟମ୍ ରହିଛି। ଆପଣ ଦେଖିପାରିବେ ଯେ ପ୍ରତିଭା ଏବଂ ସିଷ୍ଟମ୍ ମାଧ୍ୟମରେ ସେଠାରେ କିପରି ଖେଳାଳି ସୃଷ୍ଟି ହେଉଛନ୍ତି। ଉଦାହରଣ ସ୍ୱରୂପ, ସଞ୍ଜୁ ସାମସନଙ୍କୁ କ୍ୱଚିତ୍ ସୁଯୋଗ ମିଳେ କିନ୍ତୁ ସେ ବିଶ୍ୱକପରେ ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଛନ୍ତି। ସେହିପରି ଈଶାନ କିଷନ ମଧ୍ୟ ଖୁବ୍ କମ୍ ଖେଳନ୍ତି। ସେଠାରେ ଶୃଙ୍ଖଳା ଏତେ କଡ଼ା ଯେ ତାଙ୍କୁ ମଧ୍ୟ ବାଦ୍ ଦିଆଯାଇଥିଲା। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ହିଁ ସେ ଦଳକୁ ଫେରିଛନ୍ତି।”
ଏହା ସହିତ ସେ ଯୁବ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି, ଯିଏକି ଫାଇନାଲ୍ ଭଳି ଚାପପୂର୍ଣ୍ଣ ପରିସ୍ଥିତିରେ ମାତ୍ର ୨୧ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ।
ଜିମ୍ବାୱେ, ଉଗାଣ୍ଡା ଏବଂ କେନିଆ ଭଳି ତଳୁଆ ମାନ୍ୟତା ପ୍ରାପ୍ତ ଦଳ ବିପକ୍ଷରେ ବିଜୟକୁ ପାଳନ କରୁଥିବାରୁ ଶେହଜାଦ ପାକିସ୍ତାନ କ୍ରିକେଟକୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ବର୍ତ୍ତମାନ ପାକିସ୍ତାନରେ ଆପଣମାନେ କେଉଁ ସ୍ତରର କ୍ରିକେଟ୍ ଖେଳୁଛନ୍ତି? ଆପଣ କେବଳ ଜିମ୍ବାୱେକୁ ଡାକୁଛନ୍ତି ଏବଂ ହରାଉଛନ୍ତି, କେନିଆକୁ ଡାକୁଛନ୍ତି ଏବଂ ହରାଉଛନ୍ତି, ଉଗାଣ୍ଡାକୁ ଡାକି ହରାଉଛନ୍ତି ଓ ସେତିକିରେ ଖୁସି ହେଉଛନ୍ତି।”
ଶେହଜାଦ ଏପରିକି ପରାମର୍ଶ ଦେଇଛନ୍ତି ଯେ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଶୀର୍ଷ ଦଳ ସହ ଖେଳିବା ପରିବର୍ତ୍ତେ ଜିମ୍ବାୱେ, କେନିଆ ଏବଂ ଉଗାଣ୍ଡା ଭଳି ଦୁର୍ବଳ ଦଳ ବିପକ୍ଷରେ ପାକିସ୍ତାନର ଏକ ଅଲଗା ଆଇସିସି (ICC) ରାଙ୍କିଙ୍ଗ୍ ହେବା ଉଚିତ୍।
ଶେଷରେ ସେ କହିଛନ୍ତି, “ଆମର ରାଙ୍କିଙ୍ଗକୁ ଅଲଗା କରିଦିଅନ୍ତୁ, ଯେଉଁଥିରେ କେବଳ କେନିଆ, ଉଗାଣ୍ଡା ଏବଂ ଜିମ୍ବାୱେ ହିଁ ରହିବେ।”
Comments are closed.