ସତ୍ୟର ଜୟ: ମଦ ଦୁର୍ନୀତି ମାମଲାରୁ କେଜ୍ରିୱାଲ୍ ନିର୍ଦ୍ଦୋଷରେ ଖଲାସ, ସିବିଆଇ କେସ୍ ବନ୍ଦ
ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ତଥା କଥିତ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (AAP) ପାଇଁ ଏକ ବଡ଼ ବିଜୟ ହୋଇଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ଅନ୍ୟ ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିବା ସିବିଆଇ ମାମଲାକୁ ବନ୍ଦ କରିଦେଇଛନ୍ତି । କୋର୍ଟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ନାହିଁ ଏବଂ ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍ରେ ଅନେକ ଦୁର୍ବଳତା ରହିଛି ।
ବିଶେଷ ବିଚାରପତି ଜିତେନ୍ଦ୍ର ସିଂହ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଅବକାରୀ ନୀତି ପ୍ରଣୟନରେ କୌଣସି ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଉଦ୍ଦେଶ୍ୟର ପ୍ରମାଣ ମିଳିନାହିଁ । ସିବିଆଇ ଯେଉଁ ଅଭିଯୋଗ ଆଣିଥିଲା, ତାହାକୁ ପ୍ରମାଣିତ କରିବା ପାଇଁ ଆବଶ୍ୟକୀୟ ଦସ୍ତାବିଜ କିମ୍ବା ସାକ୍ଷ୍ୟ ପ୍ରଦାନ କରିବାରେ ବିଫଳ ହୋଇଛି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଅନୁମାନ ଭିତ୍ତିରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ହଜାର ହଜାର ପୃଷ୍ଠାର ଦସ୍ତାବିଜ ଅନୁଧ୍ୟାନ କରିବା ପରେ ଅଦାଲତ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଏହି ମାମଲା ଆଗକୁ ବଢ଼ିବା ପାଇଁ କୌଣସି ଯଥାର୍ଥ ଆଧାର ନାହିଁ ।
ଏହି ମାମଲାରେ କେଜ୍ରିୱାଲ ଓ ସିସୋଦିଆଙ୍କ ବ୍ୟତୀତ ବିଜୟ ନାୟାର, କେ. କବିତା, ଅମନଦୀପ ଢଲ୍ଲଙ୍କ ଭଳି ହାଇପ୍ରୋଫାଇଲ ବ୍ୟକ୍ତିମାନେ ସାମିଲ ଥିଲେ । ସମସ୍ତ ୨୩ ଜଣଙ୍କୁ କୋର୍ଟ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ କରିଛନ୍ତି । କେଜ୍ରିୱାଲଙ୍କ ଓକିଲ ଏନ. ହରିହରନ କହିଛନ୍ତି ଯେ, କୋର୍ଟ ସମସ୍ତ ଦିଗକୁ ବିଚାର କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।
କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅରବିନ୍ଦ କେଜ୍ରିୱାଲ ବେଶ୍ ଆବେଗପୂର୍ଣ୍ଣ ହୋଇପଡ଼ିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ସତ୍ୟର ଜୟ ହୋଇଛି ।” ଏଥିସହିତ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଛି । ଦୀର୍ଘ ଦିନ ଜେଲରେ ରହିବା ପରେ ଏହି କ୍ଲିନ୍ ଚିଟ୍ ଆମ୍ ଆଦମୀ ପାର୍ଟିର ନୈତିକ ବଳକୁ ବଢ଼ାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ୨୦୨୧-୨୨ ବର୍ଷ ପାଇଁ ଦିଲ୍ଲୀ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଥିଲା ଯେ, ଏହି ନୀତି ଦ୍ୱାରା କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଯାଇଛି ଏବଂ ଏହାର ବଦଳରେ କୋଟି କୋଟି ଟଙ୍କାର କିକବ୍ୟାକ୍ ବା ଲାଞ୍ଚ ନିଆଯାଇଛି । ଏହି ଘଟଣାରେ ସିବିଆଇ ଓ ଇଡି (ED) ପୃଥକ ଭାବେ ତଦନ୍ତ କରୁଥିଲେ । କେଜ୍ରିୱାଲ ଓ ସିସୋଦିଆଙ୍କୁ ଏହି ମାମଲାରେ ଗିରଫ କରାଯାଇ ମାସ ମାସ ଧରି ତିହାର ଜେଲରେ ରଖାଯାଇଥିଲା ।
ସିବିଆଇ ମାମଲାରୁ ମୁକ୍ତି ମିଳିବା ପରେ ଆମ୍ ଆଦମୀ ପାର୍ଟି ଏବେ ଏହାକୁ ଜନତାଙ୍କ ନିକଟରେ ଏକ ବଡ଼ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରୁଛି । ବିଶେଷ କରି ଦିଲ୍ଲୀର ଆଗାମୀ ରାଜନୈତିକ ସମୀକରଣରେ ଏହା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ତେବେ ଇଡି ମାମଲାରେ ଆଗକୁ କ’ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ସିବିଆଇ କୋର୍ଟରୁ ଏଭଳି ଏକ ବଡ଼ ଆଶ୍ୱସ୍ତି ମିଳିବା ନିଶ୍ଚିତ ଭାବେ କେଜ୍ରିୱାଲଙ୍କ ପାଇଁ ଏକ ବଡ଼ ବିଜୟ ।

Comments are closed.