ଜୀବନ ଯୁଦ୍ଧରେ ହାରିଗଲେ ଦେଶର ପ୍ରଥମ କରୋନା ସଂକ୍ରମିତ ଡାକ୍ତର


ଇନ୍ଦୋର,୯ ଏପ୍ରିଲ ୨୦୨୦: ମଧ୍ୟପ୍ରଦେଶର ଇନ୍ଦୋର ସହରରେ କରୋନାର ପ୍ରକୋପ ଜାରି ରହିଛି । ଏଠାରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ଅନେକ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ସହରରେ ଆଜି ଜଣେ ସଂକ୍ରମିତ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଇନ୍ଦୋରରେ ମୃତକଙ୍କ ସଂଖ୍ୟା ୨୨ରେ ପହଂଚିଛି । ମଧ୍ୟପ୍ରଦେଶରେ କେବଳ ଇନ୍ଦୋରରେ ସର୍ବାଧିକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସିଏମ୍‌ଏଚ୍‌ଓ ଡଃ ପ୍ରବୀଣ ଜଡିଆ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଡଃ ଶତ୍ରୁଘ୍ନ ପଞ୍ଜବାନି କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ଓ ତାଙ୍କର ଗୋକୁଳଦାସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କୁ ପ୍ରଥମେ ସିଏଚ୍‌ଏଲ୍ ଓ ଅରବିନ୍ଦୋ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବା ପରେ ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଡାକ୍ତର ପଞ୍ଜବାନି ଇନ୍ଦୋରର ରୁପରାମ ନଗରରେ ରହୁଥିଲେ । କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ହିଁ ଡାକ୍ତର ପଞ୍ଜବାନି ଏହି ମାରାତ୍ମକ ଭୁତାଣୁରେ ସଂକ୍ରମିତ ହୋଇଥିଲେ । କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଦେଶରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । କରୋନା ଯୋଗୁଁ ଇନ୍ଦୋରକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରିଦିଆଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, କୋଭିଡ୍‌-୧୯ ବିରୋଧରେ ଯୁଦ୍ଧ ଲଢି ନିଜ ଜୀବନର ବଳିଦାନ ଦେଇଥିବା ଡାକ୍ତର ଶତ୍ରୁଘ୍ନ ପଞ୍ଜବାନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।


Share It

Comments are closed.