ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ : ରାଜା ସ୍ୱାଇଁ

Share It

ଓଡିଶାରେ ସମବାୟ ଆନ୍ଦୋଳନର ଆଦ୍ୟପ୍ରବକ୍ତା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ସମତାଭିତ୍ତିକ ସମାଜ ଗଠନ ଓ ଲକ୍ଷ ଲକ୍ଷ ଦରିଦ୍ର ଲୋକଙ୍କର ଆର୍ଥିକ ପ୍ରଗତି ନିମନ୍ତେ ସମବାୟ ହିଁ ଏକମାତ୍ର ନିର୍ଭରଯୋଗ୍ୟ ଉପାୟ ବୋଲି ମଧୁବାବୁ ବିଶ୍ୱାସ କରୁଥିଲେ । ଓଡିଶା ଜାତି ଘୋର ସଂକଟ ଦେଇ ଗତି କରୁଥିବାବେଳେ ସେ ଓଡିଆଙ୍କ ଅସ୍ମିତାକୁ ଫେରାଇ ଆଣିବା ସହିତ ଓଡିଆ ଭାଷାକୁ ପୁନଃପ୍ରତିଷ୍ଠା କରିଥିଲେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ମଧୁବାବୁଙ୍କର ଜୟନ୍ତୀ ଅବସରରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମବାୟ ଆନ୍ଦୋଳନରେ ମଧୁବାବୁଙ୍କ ଭୂମିକା ଓ ଅବଦାନ ସଂପର୍କରେ ଆଲୋଚନା କରିବା ଅବସରରେ କହିଲେ ଯେ ସମବାୟ ମଣିଷକୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ ହେବା ପାଇଁ ଶିଖାଇଥାଏ । ମଧୁବାବୁ ଓଡିଶାର ଅର୍ଥନୈତିକ ଅସମାନତାକୁ ବିଲୁପ୍ତ କରି ପ୍ରତ୍ୟେକ ଓଡିଆକୁ ଆତ୍ମନିର୍ଭର ସୁଯୋଗଦେଇ ଓଡିଆ ଜାତିର ସ୍ୱାଭିମାନ ରକ୍ଷା ଦିଗରେ ସତତ ପ୍ରୟାସୀ ଥିଲେ । ସମବାୟ ଆଇନ ପ୍ରଣୟନ ହେବା ବହୁପୂର୍ବରୁ ୧୮୯୮ ମସିହାରେ ମଧୁବାବୁଙ୍କ ପ୍ରଚେଷ୍ଟାରେ କଟକଠାରେ କଟକ କୋ-ଅପରେଟିଭ ଷ୍ଟୋର ଜନ୍ମଲାଭ କରିଥିଲା । କୃଷିର ଉନ୍ନତି ସହ ଗ୍ରାମାଞ୍ଚଳରେ କୃଷିଭିତ୍ତିକ ଶିଳ୍ପର ବିକାଶ ତଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ସମବାୟ ମାଧ୍ୟମରେ ଋଣ ଉପଲବ୍ଧ କରାଇ ସେମାନଙ୍କର ଜୀବିକା ନିର୍ବାହର ପଥ ସୁଗମ କରାଇବା ଚିନ୍ତାଧାରର ବାସ୍ତବଜନକ ହୋଇଛନ୍ତି ମଧୁସୂଦନ ଦାସ । ଓଡଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ମାଧ୍ୟମରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସେମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ମଧୁବାବୁ ଅହରହ ଚିନ୍ତା କରୁଥିଲେ । ସମାଜର ଏକ ବୃହତ ଅଂଶକୁ ଶୋଷଣରୁ ମୁକ୍ତ ରଖିବାକୁ ହେଲେ ସମବାୟକୁ ଏକ ଆନ୍ଦୋଳନର ଋପ ଦେବାକୁ ହେବ ବୋଲି ମଧୁବାବୁ ବିଶ୍ୱାସ କରୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ୱଦେଶୀ ତଥା ହସ୍ତ ଓ କୁଟୀର ଉତଥାନ ମାଧ୍ୟମରେ ଆତ୍ମନିର୍ଭର ହେବା ପାଇଁ ମଧୁବାବୁ ସର୍ବଦା କହୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଏଥି ସହିତ ମଧୁବାବୁ ସମବାୟ କ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ଛାପ ଛାଡି ଯାଇଛନ୍ତି ତାହାକୁ ଆଗେଇ ନେବା ପାଇଁ ଆଜି ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ସମବାୟ ସଂସ୍ଥା ମାଧ୍ୟମରେ ସଫଳ ଋପାୟନ କରି ଏହାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିଲେ ତାହା ହିଁ ହେବ ମଧୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ । ତେଣୁ ସମବାୟ ସହିତ ଜଡିତ ସମସ୍ତଙ୍କୁ ଅଧିକ ତତ୍ପରତା ପ୍ରକାଶ କରି ରାଜ୍ୟର ପ୍ରଗତିରେ ଭାଗୀଦାରିତା ପ୍ରକଟ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ୱେବିନାରରେ ଭାଗ ନେଇ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ ମଧୁବାବୁଙ୍କୁ ଜଣେ ଦୂରଦ୍ରଷ୍ଟୀ ଭାବରେ ଅଭିହିତ କରିବା ସହ ତାଙ୍କର ତ୍ୟାଗ ଓ ତିତିକ୍ଷାର ଫଳ ଆମେ ଓଡିଶାବାସୀ ଭୋଗ କରୁଛୁ ବୋଲି ସେ କହିଥିଲେ । ସମବାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତେ ତାଙ୍କର ଆଦର୍ଶରେ ପ୍ରେରିତ ହେବା ଆବଶ୍ୟକ ବୋଲି କହିଥିଲେ । ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭରଶୀଳ ରାଜ୍ୟର ୮୦ ପ୍ରତିଶତ ଜନସାଧାରଣ ବିଭିନ୍ନ ଭାଗରେ ସମବାୟ କ୍ଷେତ୍ର ସହିତ ଜଡିତ ବୋଲି କହିଥିଲେ । ସମବାୟ ଦ୍ୱାରା ହିଁ ସମାଜର ଏହି ବୃହତ ଅଂଶର ଅର୍ଥନୈତିକ ଓ ସମାଜିକ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ବାରିକ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଡ. ଆରତୀ କର, ଶ୍ରୀ ବିରେଶ୍ୱର ମହାନ୍ତି ଏବଂ ଏଜିସିଏସ ପ୍ରମୁଖ ୱେବିନାରରେ ଅଂଶଗ୍ରହଣ କରି ସମବାୟ ଆନ୍ଦୋଳନରେ ମଧୁବାବୁଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ୱେବିନାରରେ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ସ୍ତରରେ ଡିଆରସିଏସ, ଏଆରସିଏସ ଏବଂ ସମବାୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।


Share It

Comments are closed.