ପ୍ରତିଟି ଉଜ୍ଜ୍ୱଳ ଘର ପଛରେ ରହିଛି ଲାଇନମ୍ୟାନଙ୍କ ଅଦୃଶ୍ୟ ସଂଘର୍ଷ ଓ ସାଧନା
ପ୍ରତିଟି ଝଲସୁଥିବା ଷ୍ଟ୍ରିଟ୍ ଲାଇଟ୍, ଆଲୋକିତ ଘର ଏବଂ ସୁରୁଖୁରୁରେ ଚାଲୁଥିବା ବ୍ୟବସାୟ ପ୍ରତିଷ୍ଠାନ ପଛରେ ରହିଛି ସମ୍ମୁଖ ଭାଗରେ କାମ କରୁଥିବା ଲାଇନମ୍ୟାନମାନଙ୍କ ଅକ୍ଲାନ୍ତ ପରିଶ୍ରମ। ପ୍ରତିକୂଳ ପାଣିପାଗ, ଦୁର୍ଗମ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ପରିସ୍ଥିତିକୁ ଖାତିର ନକରି ଏହି ନିଷ୍ଠାପର ପେସାଦାରମାନେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଖରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପହଞ୍ଚାଇବା ସୁନିଶ୍ଚିତ କରନ୍ତି।
ନିକଟରେ ଟିପିସିଓଡିଏଲ୍ କର୍ପୋରେଟ୍ ଅଫିସରେ ଅନୁଷ୍ଠିତ ଲାଇନମ୍ୟାନ ଦିବସ ଅବସରରେ କମ୍ପାନୀ ପକ୍ଷରୁ କାର୍ଯ୍ୟକ୍ଷେତ୍ରର ଏହି ଅଗ୍ରଯୋଦ୍ଧାମାନଙ୍କ ସାହସ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଯାଇଛି। ଟିପିସିଓଡିଏଲ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସେଣ୍ଟ୍ରାଲ ଓଡ଼ିଶାର କୋଣ ଅନୁକୋଣରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସେମାନଙ୍କ ଅତୁଳନୀୟ ଅବଦାନ ଓ କର୍ତ୍ତବ୍ୟପରାୟଣତା ପାଇଁ ଲାଇନମ୍ୟାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଲାଇନମ୍ୟାନ ଦିବସ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନଥିଲା ବରଂ ବିଦ୍ୟୁତ ବିତରଣ ବ୍ୟବସ୍ଥାର ପ୍ରକୃତ ମେରୁଦଣ୍ଡ ସାଜିଥିବା ସେହି ଅଜ୍ଞାତ ନାୟକମାନଙ୍କୁ ସମ୍ମାନ ଜଣାଇବାର ଏକ ମାଧ୍ୟମ ଥିଲା। ସେମାନଙ୍କ ପରିଶ୍ରମ ଅନେକ ସମୟରେ ଲୋକଲୋଚନକୁ ଆସିପାରେନାହିଁ କିନ୍ତୁ ବିନା ବାଧାରେ ବିଦ୍ୟୁତ ସେବା ପାଉଥିବା ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ସେମାନଙ୍କ ଅବଦାନ ଅତୁଳନୀୟ। ପ୍ରଳୟଙ୍କରୀ ବାତ୍ୟା ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତି ସବୁ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇ ଏହି ଲାଇନମ୍ୟାନମାନେ ଅତି ପେସାଦାର ଭାବେ କାର୍ଯ୍ୟ କରନ୍ତି ଯାହା ସମଗ୍ର ସମୁଦାୟର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିଥାଏ।
ଏହି ଅବସରରେ ସମ୍ମାନିତ ଲାଇନମ୍ୟାନମାନେ ସେମାନଙ୍କ ଅନୁଭୂତି ବାଣ୍ଟିବା ସହ ଟିପିସିଓଡିଏଲ୍ ର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ, ବହୁ ବର୍ଷ ଧରି ଏହି କାମରେ ନିୟୋଜିତ ଥିବା ନିରଞ୍ଜନ ପରିଡ଼ା ଦୈନନ୍ଦିନ କାର୍ଯ୍ୟରେ ‘ସୁରକ୍ଷା’ର ଗୁରୁତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କହିଥିଲେ ଯେ:
“ବିଦ୍ୟୁତ ଲାଇନରେ କାମ କରିବା ପାଇଁ ନିରନ୍ତର ସତର୍କତା ଓ ଶୃଙ୍ଖଳା ଆବଶ୍ୟକ। ଟିପିସିଓଡିଏଲ୍ ସବୁବେଳେ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବାରୁ ଆମେ ଆତ୍ମବିଶ୍ୱାସର ସହ କାମ କରିପାରୁଛୁ। କୌଣସି କାମ ଆମ ସୁରକ୍ଷା ଠାରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କମ୍ପାନୀ ପକ୍ଷରୁ ଆମକୁ ବାରମ୍ବାର ସତର୍କ କରାଯାଇଥାଏ। ସୁରକ୍ଷା ଡ୍ରିଲ୍ ଠାରୁ ଆରମ୍ଭ କରି କଠୋର ନିୟମାବଳୀ ପର୍ଯ୍ୟନ୍ତ, ଏହି ସୁରକ୍ଷା ସଂସ୍କୃତି ଆମକୁ ନିଜର ଏବଂ ନିଜ ସାଥୀମାନଙ୍କ ଜୀବନ ରକ୍ଷା କରିବା ସହ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବାର ଶକ୍ତି ଯୋଗାଇଥାଏ।
ସେହିପରି ଜଣେ ଲାଇନମ୍ୟାନ ଭାବରେ ସନ୍ନ୍ୟାସୀ ବେହେରାଙ୍କ ପାଇଁ ନିରନ୍ତର ଦକ୍ଷତା ବିକାଶ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ଏ ସମ୍ପର୍କରେ ନିଜର ମତାମତ ରଖି ସେ କହିଥିଲେ ଯେ:
“ଟିପିସିଓଡିଏଲ୍ ପକ୍ଷରୁ ମିଳୁଥିବା ପ୍ରଶିକ୍ଷଣ ଆମର ପେସାଦାର ଜୀବନକୁ ଏକ ନୂଆ ଦିଗ ଦେଇଛି। ନିୟମିତ କର୍ମଶାଳା ଏବଂ ବ୍ୟାବହାରିକ ଶିକ୍ଷା ମାଧ୍ୟମରେ ଆମେ ନୂତନ ବୈଷୟିକ ଜ୍ଞାନକୌଶଳ, ସୁରକ୍ଷା ପଦ୍ଧତି ଏବଂ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଜାଣିବାକୁ ପାଉଛୁ। ଏହି ପ୍ରଶିକ୍ଷଣ କେବଳ ଆମର ଜ୍ଞାନ ବଢ଼ାଉନାହିଁ, ବରଂ ଜଟିଳ ପରିସ୍ଥିତିକୁ ସାହସର ସହ ସାମ୍ନା କରିବା ପାଇଁ ଆମର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରୁଛି।”
ସେହିଭଳି କ୍ଷେତ୍ର କର୍ମଚାରୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବାରେ ଟିପିସିଓଡିଏଲ୍ର ସୁଦୃଢ଼ ସହଯୋଗୀ ବ୍ୟବସ୍ଥା କିଭଳି ସହାୟକ ହେଉଛି, ସେ ସମ୍ପର୍କରେ ବିଜୟ କୁମାର ରାଉତ ନିଜର ମତ ରଖି କହିଥିଲେ ଯେ:
“ଆମ କାମରେ ଅନେକ ସମୟରେ ଅପ୍ରତ୍ୟାଶିତ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣା ହେଉଛି ଯେ, ଟିପିସିଓଡିଏଲ୍ ଆମର ସମସ୍ୟାଗୁଡ଼ିକୁ ଅତି ଗମ୍ଭୀରତାର ସହ ଶୁଣିଥାଏ ଏବଂ ତାହାର ତ୍ୱରିତ ସମାଧାନ କରେ। ବୈଷୟିକ ତ୍ରୁଟି ହେଉ, ପରିଚାଳନାଗତ ଆହ୍ୱାନ କିମ୍ବା ଜରୁରୀକାଳୀନ ସମୟରେ ଆବଶ୍ୟକ ସହଯୋଗ ହେଉ ଟିପିସିଓଡିଏଲ୍ ପକ୍ଷରୁ ସବୁବେଳେ କ୍ଷେତ୍ର କର୍ମଚାରୀଙ୍କ ସମସ୍ୟାର ସମୟୋଚିତ ସମାଧାନ କରାଯାଏ, ଯାହା ଆମକୁ ନିରନ୍ତର କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ।”
ଆଧୁନିକ ଯନ୍ତ୍ରପାତି ଏବଂ ଭିତ୍ତିଭୂମିର ବିକାଶ ଲାଇନମ୍ୟାନମାନଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିଛି। କ୍ଷେତ୍ର କର୍ମଚାରୀମାନଙ୍କୁ ସଠିକ୍ ସମ୍ପଦ ଯୋଗାଇବାରେ ଟିପିସିଓଡିଏଲ୍ର ପ୍ରୟାସକୁ ପ୍ରଶଂସା କରି ବିନୋଦ କୁମାର ପରିଡ଼ା କହିଥିଲେ ଯେ:
“ଟିପିସିଓଡିଏଲ୍ ପକ୍ଷରୁ ଆମକୁ ଉଚ୍ଚମାନର ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି, ଯାହା ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ଆମକୁ ସୁରକ୍ଷା ପ୍ରଦାନ କରେ। ଏହା ସହିତ କମ୍ପାନୀ ପକ୍ଷରୁ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି। ଉନ୍ନତ ଯନ୍ତ୍ରପାତି ଏବଂ ସୁଦୃଢ଼ ଭିତ୍ତିଭୂମି ଯୋଗୁଁ ଆମେ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବାକୁ ସମର୍ଥ ହେଉଛୁ ଏବଂ ଏହା ସହିତ ଆମ କର୍ମଚାରୀଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ମଧ୍ୟ ସୃଷ୍ଟି ହୋଇପାରୁଛି।”
ଜୟଦେବଙ୍କ ପାଇଁ ଏହି ସମ୍ବର୍ଦ୍ଧନା କେବଳ ଏକ ପୁରସ୍କାର ନଥିଲା ବରଂ ଏହା ଥିଲା ଗର୍ବ ଓ ପ୍ରେରଣାର ଏକ ଶ୍ରେଷ୍ଠ ମୁହୂର୍ତ୍ତ। ଏହି ଅବସରରେ ସେ କହିଥିଲେ:
“ଲାଇନମ୍ୟାନ ଭାବେ କାର୍ଯ୍ୟ କରିବା ମୋ ପାଇଁ କେବଳ ଏକ ଜୀବିକା ନୁହେଁ ବରଂ ଲୋକଙ୍କ ଜୀବନଧାରାକୁ ସୁରୁଖୁରୁରେ ଚଳାଇବା ପାଇଁ ଏହା ଏକ ବଡ଼ ଦାୟିତ୍ୱ। ଏହି ପେସାର ଏକ ଅଂଶ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଟିପିସିଓଡିଏଲ୍ ଯେଉଁଭଳି ଭାବେ ଲାଇନମ୍ୟାନମାନଙ୍କ କଠିନ ପରିଶ୍ରମକୁ ଚିହ୍ନଟ କରି ସମ୍ମାନିତ କରୁଛି, ତାହା ପ୍ରକୃତରେ ଉତ୍ସାହଜନକ। ଏହିଭଳି ସ୍ୱୀକୃତି ଆମକୁ ଆଗାମୀ ଦିନରେ ଉପଭୋକ୍ତାମାନଙ୍କୁ ଆହୁରି ନିଷ୍ଠାର ସହ ସେବା ଯୋଗାଇବା ପାଇଁ ପ୍ରେରିତ କରିବ।”
ଏହି ସମ୍ବର୍ଦ୍ଧନା ଉତ୍ସବ ଟିପିସିଓଡିଏଲ୍ର ସେହି କର୍ମଚାରୀଙ୍କ ପ୍ରତି ଥିବା ଗଭୀର ସମ୍ମାନକୁ ପ୍ରତିଫଳିତ କରୁଛି, ଯେଉଁମାନେ ପରଦା ପଛରେ ରହି ଅନ୍ଧକାରକୁ ଦୂରେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଲାଇନମ୍ୟାନମାନେ କେବଳ ଟେକନିସିଆନ ଭାବେ ନିରବଚ୍ଛିନ୍ନ ବିଦ୍ୟୁତଯୋଗାଣକୁ ସମ୍ଭବ କରନ୍ତି ତାହା ନୁହେଁ, ବରଂ ସେମାନେ ହେଉଛନ୍ତି ସେହି ସେବାର ଅସଲ ରକ୍ଷକ, ଯାହା ଆମ ଘର, ଡାକ୍ତରଖାନା, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପଗୁଡ଼ିକୁ ଆଲୋକିତ କରିଥାଏ।
‘ଲାଇନମ୍ୟାନ ଦିବସ’ ଅବସରରେ ସେମାନଙ୍କ ନିଷ୍ଠାକୁ ସମ୍ମାନିତ କରି ଟିପିସିଓଡିଏଲ୍ ପୁଣିଥରେ ପ୍ରମାଣିତ କରିଛି ଯେ, ସେମାନଙ୍କ ନେଟୱାର୍କର ପ୍ରକୃତ ଶକ୍ତି ଏହି ଲାଇନମ୍ୟାନମାନଙ୍କ ସାହସ ଓ ପେସାଦାର ମନୋଭାବ ମଧ୍ୟରେ ହିଁ ନିହିତ। ସେମାନେ ହେଉଛନ୍ତି ସେହି ବାସ୍ତବ ନାୟକ, ଯେଉଁମାନେ ପ୍ରତିଦିନ ଅଗଣିତ ଜୀବନରେ ଆଲୋକ ଭରିଦିଅନ୍ତି।

Comments are closed.