କେତେ ମହାନ ଏବଂ ସହୃଦୟର ବ୍ୟକ୍ତି ଥିଲେ ଶାସ୍ତ୍ରୀଜୀ, ଏହି ଘଟଣାରୁ ଆପଣ ଜାଣିପାରିବେ


ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ ଆମ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ। ଅକ୍ଟୋବର ୨ ତାରିଖ ତାଙ୍କର ଜନ୍ମଦିନ। ସେଦିନଟି ମଧ୍ୟ ଗାନ୍ଧୀଜୀଙ୍କର ଜନ୍ମଦିନ ହୋଇଥିବାରୁ, ଗାନ୍ଧୀଜୀ ଅଧିକ ଗୁରୁତ୍ୱ ପାଇଥାଆନ୍ତି। କିନ୍ତୁ ଶାସ୍ତ୍ରୀଜୀଙ୍କ ଜୀବନ ମଧ୍ୟ ଆମକୁ ସାଧୁ ଓ ନୀତିବାନ୍ ରହିବା ପାଇଁ ପ୍ରଚୁର ପ୍ରେରଣା ଦିଏ। ସାଧୁତା ଓ ନୀତିନିଷ୍ଠତା ତାଙ୍କ ପାଇଁ ଥିଲା ଆଧ୍ୟାତ୍ମିକତାର ଦୁଇଟି ସୋପାନ।

ଶାସ୍ତ୍ରୀଜୀ ମନ୍ତ୍ରୀ ଥିବା ବେଳର କଥା। ଥରେ ତାଙ୍କର ପୁଅମାନେ, ତାଙ୍କ ସରକାରୀ ଗାଡ଼ିଟିକୁ ନେଇ ବୁଲିବାକୁ ଚାଲିଗଲେ। ତାହା ଜାଣି ଶାସ୍ତ୍ରୀଜୀ ଦୁଃଖିତ ହେଲେ। ପୁଅମାନଙ୍କୁ ତାଙ୍କର ଅନୁଚିତ ଆଚରଣ ସଂପର୍କରେ ସୂଚାଇଦେବା ସହିତ, ସେମାନଙ୍କର ବୁଲିବା ବାବଦରେ ଯେଉଁ ତେଲ ଖର୍ଚ୍ଚ ହୋଇଥିଲା, ସେ ଟଙ୍କା ନିଜ ଦରମାରୁ ସରକାରୀ ତହବିଲରେ ଜମା କରିଦେଲେ।

ଶାସ୍ତ୍ରୀଜୀଙ୍କ ଶେଷ ଜୀବନର ଆଉ ଗୋଟିଏ କଥାରୁ ତାଙ୍କ ସହୃଦୟତାର ପରିଚୟ ମିଳେ। ଯାହା ନିହାତି ପ୍ରୟୋଜନ ନୁହେଁ, ତାହା ଗ୍ରହଣ କରିବାକୁ, କିମ୍ବା କୌଣସି ଜିନିଷ୍ଟ ନଷ୍ଟ କରିବାକୁ ସେ ଚାହୁ ନଥିଲେ। ଗାନ୍ଧୀଜୀଙ୍କ ପରି, ସେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ତାହା କରିବା ହେଉଛି ହିଂସା। ୧୯୬୬ରେ ସୋଭିଏତ୍ ଋଷ୍‌ର ତାସ୍‌କେଣ୍ଟକୁ ଶାନ୍ତିଚୁକ୍ତି ସ୍ୱାକ୍ଷର କରିବାକୁ ଯାଇଥିବାବେଳେ ଘଟଣାଟି ଘଟିଥିଲା।

ତାହା ଥିଲା ଖୁବ୍ ଥଣ୍ଡା ଜାଗା। ସେହି ଥଣ୍ଡା ସହିବା ପରି ସୁନ୍ଦର ସୁନ୍ଦର, ଦାମୀ କୋଟ୍ ସେଠାରେ ମିଳେ। ଶାସ୍ତ୍ରୀଜୀଙ୍କ ତାସ୍‌କେଣ୍ଟ ଗସ୍ତକୁ ଦୃଷ୍ଟିରେ ରଖି, ସୋଭିଏତ୍ ଋଷ୍‌ର ପ୍ରିମିୟର ଆଲେକ୍‌ସି କୋସିଗିନ୍ ତାଙ୍କପାଇଁ ଗୋଟିଏ ସୁନ୍ଦର ଓ ଦାମୀ କୋଟ୍ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଇଥିଲେ। କିନ୍ତୁ କୋଟ୍‌ଟିକୁ ଉପହାର ରୂପେ ଗ୍ରହଣ କରିବା ପରେ, ଶାସ୍ତ୍ରୀଜୀ ତାଙ୍କର ଜଣେ କର୍ମଚାରୀଙ୍କୁ ତାହା ଦେଇଦେଲେ। ପରେ ଯେତେବେଳେ “କୋଟ୍‌ଟି କେମିତି ଲାଗିଲା” ବୋଲି କୋସିଗିନ୍ ତାଙ୍କୁ ପଚାରିଲେ, ଶାସ୍ତ୍ରୀଜୀ କହିଲେ, “ଏଠାର ଥଣ୍ଡା ସହିପାରିବା ଭଳି ଭଲ କୋଟ୍ ମୋର ଜଣେ କର୍ମଚାରୀଙ୍କର ନଥିଲା। ତେଣୁ ମୁଁ ସେଇ ସୁନ୍ଦର କୋଟ୍‌ଟିକୁ ତାଙ୍କୁ ଦେଇଦେଇଛି। ତା’ଛଡ଼ା, ମୋର ଏଇ ଖଦି କୋଟ୍‌ଟି ତ ମତେ ଯଥେଷ୍ଟ ଉଷୁମ ଦେଉଛି!”

ତାହା ଶୁଣି କୋସିଗିନ୍ ତାଙ୍କୁ କହିଥିଲେ, “ଆମ ଋଷିଆ ହେଉଛି ଏକ କମ୍ୟୁନିଷ୍ଟ ଦେଶ। କିନ୍ତୁ ମୁଁ ଯାହା ଦେଖୁଛି, ଆପଣ ତ ପରମ ସାମ୍ୟବାଦୀ। “ସୁପର କମ୍ୟୁନିଷ୍ଟ!”


Share It

Comments are closed.