ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ସମାଗମ, ଭିଡ଼ ନିୟନ୍ତ୍ରଣକୁ ପୋଲିସର ବିଶେଷ ବ୍ୟବସ୍ଥା

Share It

ପୁରୀ,୧୫/୦୩:ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଦୀର୍ଘ ଧାଡି ଲାଗିଥିଲା। ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଶ୍ରୀବିଗ୍ରହଙ୍କ ଦର୍ଶନ କରୁଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବାକୁ ବିଶେଷ ବ୍ୟାରିକେଡ୍‌, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମରିଚିକୋଟ ଛକ ଠାରୁ ଗାଡ଼ି ଯାତାୟାତକୁ ସ୍ଥାୟୀଭାବେ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି।

ଏପଟେ ଶ୍ରୀମନ୍ଦିରର ନୀତି ବିଳମ୍ବ ଓ ବିଶୃଂଖଳ ଆଚରଣ ଘଟଣାକୁ ଗୁରୁତ୍ୱ ଦେଇ ମନ୍ଦିର ପ୍ରଶାସନ କଠୋର ପଦକ୍ଷେପ ନେଇଛି। ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ବ୍ୟବହାର ଫଳରେ ଶ୍ରୀମନ୍ଦିରର ନୀତି ପ୍ରାୟ ୪ ଘଣ୍ଟା ବିଳମ୍ବ ହୋଇଥିଲା। ଏଥିରୁ ଭକ୍ତମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ।ଏହି ଘଟଣାରେ ସଂପୃକ୍ତ ଛାମୁ ଖୁଣ୍ଟିଆ ସେବକ ରାମକୃଷ୍ଣ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବନ କରାଯାଇଛି। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ସର୍ତ୍ତସହ କ୍ଷମା ଦେଇ କଠୋର ସତର୍କବାଣୀ ଜାରି କରାଯାଇଛି।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ସେବକମାନଙ୍କୁ କୈଫିୟତ ତଲବ କରିଥିଲେ। ମନ୍ଦିରର ଶୃଙ୍ଖଳା ଓ ନୀତି ନିୟମ ରକ୍ଷା ପାଇଁ ଆଗାମୀଦିନରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Share It

Comments are closed.