ହିମାଚଳରେ ଭୟାବହ ଭୂସ୍ଖଳନ: ୧୩ ମୃତ

Share It

ହିମାଚଳ ପ୍ରଦେଶରେ ବୁଧବାର ଏକ ଭୟାବହ ଭୂସ୍ଖଳନ ଘଟଣା ଘଟିଛି । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି । ୧୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏକ ଯାତ୍ରୀବାହୀ ବସ୍‌ ସମେତ ବିଭିନ୍ନ ଗାଡ଼ି ଉପରେ ମାଟି ଅତଡ଼ା ଧସିବାରୁ ଏଥିରେ ପ୍ରାୟ ୬୦ ଜଣ ଫସିରହିଛନ୍ତି । ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଓ ଆଇଟିବିପି ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଏହି ଅଘଟଣ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୫ରେ ଘଟିଛି ।

ସିମ୍‌ଲା-କିନ୍ନୌର ଜାତୀୟ ରାଜପଥ-୫ ଅନ୍ତର୍ଗତ ଜ୍ୟୁରି ରୋଡ୍‌ର ନୁଗୁଲସାରୀ ଓ ଚୌରା ମଧ୍ୟରେ ଅଚାନକ ଭୂସ୍ଖଳନ ହେବାରୁ ଏକ ପାହାଡ଼ର କିଛି ଅଂଶ ଧସିଯାଇଥିଲା । ସେହି ବାଟ ଦେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌, ଏକ ଟ୍ରକ୍‌, ବୋଲେରୋ ଓ ୩ଟି କାର୍‌ ଉପରେ ପାହାଡ଼ରୁ ଧସିଥିବା ମାଟି ଅତଡ଼ା, ଛୋଟ ଛୋଟ ପଥର ଅଜାଡ଼ି ହୋଇପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କେଇ ମିନିଟ୍‌ ଯାଏ ସେହି ଅଞ୍ଚଳ ଧୂଳିମୟ ହୋଇ ରହିଥିଲା ।
ମାଟି ଅତଡ଼ା ତଳେ ଯାତ୍ରୀବାହୀ ବସ୍‌ ଓ କିଛି କାର୍‌ ଫସିରହିଥିଲା । ବସ୍‌ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ମିଶାଇ ମୋଟ ୫୦ ଜଣ ମାଟି ଅତଡ଼ା ତଳେ ଫସିରହିଛନ୍ତି । ଅନ୍ୟ ୧୪ ଜଣଙ୍କୁ ଆହତାବସ୍ଥାରେ ଉଦ୍ଧାର କରାଯାଇଛି । ଏହାପରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର ଅଭିଯାନରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଏନ୍‌ଡିଆରଏଫ୍‌ର ୨୫ ସଦସ୍ୟବିଶିଷ୍ଟ ଟିମ୍‌ ସାମିଲ ଅଛନ୍ତି । ଆଇଟିବିପିର ୩୦୦ ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ସେପଟେ ହିମାଚଳ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ଓ ହରିଆଣା ସରକାରଙ୍କୁ ହେଲିକପ୍ଟର ମାଗିଛନ୍ତି । ଭାରତୀୟ ସେନା ଏଥିପାଇଁ ୨ଟି ହେଲିକପ୍ଟର ପଠାଇଛି । ତେବେ ପାହାଡ଼ରୁ ଛୋଟ ଛୋଟ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ଏହି ଅଘଟଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଠାକୁରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ରିପୋର୍ଟ ଅନୁସାରେ ଧ୍ୱଂସାବଶେଷ ତଳେ ଫସିଥିବା ବସ୍‌ ହିମାଚଳ ସଡ଼କ ପରିବହନ ନିଗମର । ତାହା ମୁରଙ୍ଗରୁ ହରିଦ୍ୱାର ଯାଉଥିଲା । ପାହାଡ଼ରୁ ଧସିଥିବା ଏକ ବଡ଼ ମାଟି ଅତଡ଼ା ବସ୍‌ ଉପରେ ପଡ଼ିଯିବାରୁ ଏହି ଘଟଣା ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସୂଚନାଥାଉ କି, ଏହା ପୂର୍ବରୁ ଜୁଲାଇ ୨୫ ତାରିଖରେ କିନ୍ନୌରରେ ଭୂସ୍ଖଳନ ହେବା ପରେ ପାହାଡ଼ରୁ ମାଟି ଅତଡ଼ା ଏତେ ଜୋର୍‌ରେ ତଳକୁ ଖସିଥିଲା ଯେ ବସ୍ପା ନଦୀର ପୋଲ ଭାଙ୍ଗିଯାଇଥିଲା । ଏହାଯୋଗୁ ୯ ଜଣ ଯାତ୍ରୀଙ୍କର ପ୍ରାଣହାନି ଘଟିଥିଲା ।


Share It

Comments are closed.