କିମ ଜଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସ୍ପଷ୍ଟିକରଣ ରଖିଲେ ଉତ୍ତର କୋରିଆ ସରକାର
ଦକ୍ଷିଣ କୋରିଆ ସରକାର କହିଛନ୍ତି କି ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଅବସ୍ଥା ଗୁରୁତର ହୋଇନାହିଁ । ବରଂ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ସେ ବାହାରକୁ ବେଶି ବାହାରୁ ନାହାନ୍ତି ଏବଂ ଗୋଟିଏ ସ୍ଥାନରେ ଅବସ୍ଥାନ କରୁଛନ୍ତି । ଦକ୍ଷିଣ କୋରିଆର ୟୁନିଫିକେସନ ମିନିଷ୍ଟର( ଦୁଇ କୋରିଆର ମିଶ୍ରଣ ଦାୟିତ୍ୱରେ ଥିବା ମନ୍ତ୍ରୀ) କିମ୍ ୟୋନ୍ ଚୁଲ୍ କହିଛନ୍ତି ଯେ କିମ୍ଙ୍କ ପ୍ରକୃତ ଅବସ୍ଥିତି ସମ୍ପର୍କରେ ସେମାନଙ୍କୁ ଜଣା ଅଛି। କିନ୍ତୁ ସେ ଏ ସମ୍ପର୍କରେ ବିସ୍ତୃତ ଭାବେ କିଛି ସୂଚନା ଦେଇ ନଥିଲେ ।
ସେପଟେ, କିମ୍ଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆମେରିକା ତରଫରୁ ୫ଟି ଗୁଇନ୍ଦା ବିମାନ ପ୍ରେରଣ କରାଯାଇଛି। ତିନୋଟି ବିଚକ୍ରାଫ୍ଟ ଆରସି-୧୨ ଗାଡ୍ରେଲ ବିମାନ ଏବଂ ଗୋଟିଏ ଇଓ-୫ସି କ୍ରେଜି ହକ୍ ବିମାନକୁ ନର୍ଥ କୋରିଆ ଉପରେ ଉଡି ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁଇନ୍ଦାଗିରି କରିବାକୁ ନିୟୋଜିତ କରାଯାଇଛି । କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଫୋନ କିମ୍ୱା ଅନ୍ୟ ଯୋଗାଯୋଗ ପ୍ରଣାଳୀ ବ୍ୟବହାର କରି କିଏ କ’ଣ କହୁଛି, ଏଗୁଡିକ ତାହାର ରେକର୍ଡିଂ ଏବଂ ବିଶ୍ଲେଷଣ କରିବେ । ଆମେରିକା ମଧ୍ୟ ନର୍ଥର୍ପ ଗ୍ରୁମ୍ୟାନ୍ ଇ-୮ ଜଏଣ୍ଟ ଷ୍ଟାରସ୍ ଏୟାରକ୍ରାଫ୍ଟକୁ ନର୍ଥ କୋରିଆରେ ସେନାର ଗତିବିଧି ନିରୀକ୍ଷଣ କରିବାକୁ ନିୟୋଜିତ କରିଛି । ସେହିପରି କିମ୍ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଦକ୍ଷିଣ କୋରିଆ ବି ଏକ ଗୁଇନ୍ଦା ବିମାନ ମୁତୟନ କରିଛି । କିନ୍ତୁ ସିଏ କେଉ ବିମାନ ମୁତୟନ କରିଛି, ତାହା ସ୍ପଷ୍ଟ ହୋଇନାହିଁ ।
ଉତ୍ତର କୋରିଆର ସରକାରୀ ଗଣମାଧ୍ୟମରେ କିମ୍ଙ୍କ ସମ୍ପର୍କରେ ଅନେକ ଖବର ପ୍ରକାଶିତ ହେଉଛି । କିନ୍ତୁ ସେଥିରେ ତାଙ୍କର ଫଟୋ ପ୍ରକାଶ ପାଉନାହିଁ । ଗତ କିଛି ଦିନ ହେବ କିମଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ସେ ଚଳିତ ମାସ ୧୫ ତାରିଖରେ ନିଜ ଜେଜେବାପାଙ୍କ ଜନ୍ମ ବାର୍ଷିକୀ ପାଳନ ଉପଲେକ୍ଷ ଆୟୋଜିତ କାୟୋକ୍ରମରେ ଯୋଗ ଦେଇନଥିଲେ । ଶେଷ ଥର ପାଇଁ ଏପ୍ରିଲ ୧୧ରେ ତାଙ୍କୁ ଉତ୍ତର କୋରିଆର ଶାସକ ଦଳର ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା । ସେବେଠାରୁ ଚର୍ଚ୍ଚା ହେଉଛି କି ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି କିମ୍ୱା ତାଙ୍କର ମୃତ୍ୟୁ ହୋଇସାରିଛି ।
କୁହାଯାଉଛି କି ତାଙ୍କର କିଛି ସପ୍ତାହ ତଳେ ହାର୍ଟ ସର୍ଜରି କରାଯାଇଥିଲା । ଏହାପରେ ତାଙ୍କର ଅବସ୍ଥା ସଙ୍ଗିନ ହୋଇପଡିଥିଲା । ସେହିପରି କିଛି ରିପୋର୍ଟରେ ଦାବି କରାଯାଇଥିଲା କି ତାଙ୍କର ହାର୍ଟ ସର୍ଜରି କରାଯାଇଥିବା ଚୀନ୍ର ଜଣେ ଡାକ୍ତରଙ୍କ ଠାରୁ ତାଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଛି । ପୁଣି ଖବର ଆସିଥିଲା କି ଚୀନ୍ ନର୍ଥ କୋରିଆକୁ ଏକ ମେଡିକାଲ ଟିମ୍ ପଠାଇଛି । ଜାପାନ ଓ ହଂକଂର କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା କି କିମଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦକ୍ଷିଣ କୋରିଆର ସରକାର ମୂଳରୁ କିମ୍ଙ୍କ ମୃତ୍ୟୁ ହୋଇଥିବାର ଖବରକୁ ଅସ୍ୱୀକାର କରିଆସୁଛନ୍ତି । ତେବେ କିମ୍ ପ୍ରଥମ ଥର ପାଇଁ ଏପରି ଗାଏବ ହୋଇନାହାନ୍ତି । କେବଳ ଚଳିତ ବର୍ଷ ଜାନୁଆରୀ ମାସରୁ ସେ ଏଭଳି ଦୁଇ ଥର ଗାଏବ ହୋଇଗଲେଣି ।
Comments are closed.