ଦକ୍ଷିଣ ଏସିଆର ପ୍ରଥମକରି କିଟରେ ଆରମ୍ଭ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

Share It

ଭୁବନେଶ୍ୱର : ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍‌, କୋରିଆ ଓ ଜାପାନର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କିଟ୍‍ ଓ କିସ୍‍ ଏହି ସବୁ ଐତିହ୍ୟ ସ୍ଥଳର ସୁରକ୍ଷା କିପରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବ। ଇଣ୍ଡିଆନ୍ ଟ୍ରଷ୍ଟ ଫର୍‍ ରୁରାଲ ହେରିଟେଜ୍ ଆଣ୍ଡ୍ ଡେଭେଲପମେଣ୍ଟ ଦ୍ୱାରା ଗ୍ରାମାଞ୍ଚଳରେ ଅସୁରକ୍ଷିତ ବୌଦ୍ଧ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ପରିଚାଳନା ପାଇଁ ଏକ ଅନ୍ତର୍ଜାତୀୟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି। କିସ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଏହି ଏକାଡେମୀର ନେତୃତ୍ୱ ନେବେ। ପ୍ରଫେସର ଗାଲା କିଟ୍‍ ଲ ସ୍କୁଲ ସହଯୋଗରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। କିଟ୍‍ ଲ ସ୍କୁଲରେ ଏହି ପାଠ୍ୟକ୍ରମ ଆରମ୍ଭ ହେବା ପରେ ଏହା ଦକ୍ଷିଣ ଏସିଆରେ ପ୍ରଥମ ଶୈକ୍ଷିକ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଛି।

ପ୍ରଫେସର ଗାଲା ଗତ ବର୍ଷ ଏକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଏକାଡେମୀ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେହି ପ୍ରସ୍ତାବକୁ ଆଧାର କରି ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କର ଏକ ପ୍ରତିନିଧି ଦଳ ଗତ ୭ ତାରିଖରେ ନୂଆଦିଲ୍ଲୀରେ ଏହି ଏକାଡେମୀର ଗଠନ, ପାଠ୍ୟକ୍ରମ ଓ ଦୀର୍ଘକାଳୀନ ରୋଡ୍‍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଗ୍ରାମୀଣ ପ୍ରେକ୍ଷାପଟ୍ଟରେ ଅସୁରକ୍ଷିତ ବୌଦ୍ଧ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଇନଗତ ଢାଞ୍ଚା, ସ୍ଥାନୀୟ ଲୋକଙ୍କ ଭାଗୀଦାରି ଓ ନୈତିକ ପରିଚାଳନା ସମନ୍ୱିତ ମଡେଲର ଆବଶ୍ୟକତା ଉପରେ ପ୍ରଫେସର ଗାଲା ଗୁରୁତ୍ୱାରୋପ କରିଥିଲେ।

ଏହି ପ୍ରୟାସ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ସଂପ୍ରତି ୟୁନେସ୍କୋ ଏକ କ୍ରମିକ ନାମାଙ୍କନ ମାଧ୍ୟମରେ ରାଜ୍ୟର ପ୍ରସିଦ୍ଧ ବୌଦ୍ଧ ସ୍ୱର୍ଣ୍ଣ ତ୍ରିଭୁଜ – ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ଭାରତର ଅସ୍ଥାୟୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଯଦି ଏହାକୁ ପୂର୍ଣ୍ଣ ବିଶ୍ୱ ଐତିହ୍ୟ ମାନ୍ୟତା ମିଳେ, ତେବେ ପ୍ରସ୍ତାବିତ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଏକାଡେମୀ ଏହି ଐତିହାସିକ ସ୍ଥଳଗୁଡ଼ିକୁ ପରିଚାଳନା, ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦେବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କୁହାଯାଉଛି।


Share It

Comments are closed.