ଖରସ୍ରୋତା ପ୍ରକଳ୍ପ ଭିତରକନିକା ଜୈବ ବିବିଧତା ପ୍ରତି ବିପଦ : ପରିବେଶବିତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ଏବଂ ଏହା ଯୋଗୁଁ ଭିତରକନିକା ଜୈବ ବିବିଧତା ବିପନ୍ନ ହେବାର ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ଏହାକୁ ତୀବ୍ର ବିରୋଧ କରିଛନ୍ତି ପରିବେଶ ପ୍ରତି ଯତ୍ନବାନ ଥିବା ସଚେତନ ନାଗରିକ ମଞ୍ଚ ଭୁବନେଶ୍ୱର । ସଂଗଠନ ପକ୍ଷରୁ ଏହି ପ୍ରକଳ୍ପକୁ ସରକାରଙ୍କ ଏକ ଅଦୂରଦର୍ଶୀ ନିଷ୍ପତି ଭାବେ ଅଭିହିତ କରାଯାଇଥିବାବେଳେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭିତରକନିକାରେ ଲୁଣା ଏବଂ ମଧୁର ଜଳର ଏକ ବିଶେଷ ସମୀକରଣ ଦ୍ୱାରା ସୃଷ୍ଟି ହେଉଥିବା ଜୈବ ବିବିଧତା, ମଧୁର ଜଳର ଅଭାବ ହେତୁ ଆଗାମୀ ଦିନରେ ନଷ୍ଠ ହେବାର ଅନେକ ସମ୍ଭାବନା ସୃଷ୍ଟି କରିଛି । ତେଣୁ ସରକାର ଏହି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରନ୍ତୁ ଏବଂ ଏକ ବିଶେଷଜ୍ଞ କମିଟି ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉକ୍ତ ଅଞ୍ଚଳର ଜୈବ ବିବିଧତା ଉପରେ କି ପ୍ରଭାବ ପଡିବ ତାହା ଅନୁଧ୍ୟାନ କରନ୍ତୁ ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି ।
ଏ ସଂପର୍କରେ ସୂଚନା ଦେଇ ଶ୍ରୀ କାହ୍ନୁଚରଣ ବେହୁରା କହିଛନ୍ତି ଯେ, “ଖରସ୍ରୋତା ବଞ୍ଚିଲେ ଭିତରକନିକା ବଞ୍ଚିବ । ଭିତରକନିକା ଯାହା ଭାରତର ଦ୍ୱିତୀୟ ସର୍ବବୃହତ ହେନ୍ତାଳ ବଣ ଭାବେ ପରିଚିତ । ଏହା ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ପ୍ରଜାତିଙ୍କ ମାଧ୍ୟମରେ ଏକ ଜୈବ ବିବିଧତା ସୃଷ୍ଟି କରିପାରିଛି । ଏହି ହେନ୍ତାଳବଣ ଓଡିଶାକୁ ଅନେକ ମହାବାତ୍ୟାରୁ ରକ୍ଷା କରିଛି । ତେବେ ଖରସ୍ରୋତାରୁ ମଧୁର ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କଲେ ଏହା ସିଧାସଳଖ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପକାଇବ । ତେଣୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ ବିଭିନ୍ନ ପରିବେଶବିତ ଏବଂ ବୁଦ୍ଧିଜୀବ ଏହାକୁ ବିରୋଧ କରୁଥିବାବେଳେ, ସ୍ଥାନୀୟ ପରିବେଶବିତ ଶ୍ରୀକାନ୍ତ ନାୟକ ଗତ ୨୧ ଦିନ ଧରି ଆମରଣ ଅନଶନରେ ଅଛନ୍ତି । ସରକାର ବଳ ପୂର୍ବକ ପ୍ରଥମେ ତାଙ୍କୁ ଅନଶନ ସ୍ଥଳରୁ ଉଠାଇ ନେବା ପରେ କେନ୍ଦ୍ରପଡା ଏବଂ କଟକ ବଡ ମେଡିକାଲକୁ ଅଶୋଭନୀୟ ଭାବେ ସ୍ଥାନାନ୍ତର ଅତ୍ୟନ୍ତ ନିନ୍ଦନୀୟ ।”
ଏହାସହ ସେ କହିଛନ୍ତି “ରାଜ୍ୟ ସରକାରଙ୍କ ଜଳ ସଂରକ୍ଷଣ ପାଇଁ ସେପରି କିଛି ଆଖି ଦୃଶିଆ ସ୍ପଷ୍ଟ ନୀତି ନଥିବାବେଳେ ବିଭିନ୍ନ ନଦୀରୁ ଜଳକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବା ଫଳରେ ସ୍ଥାନୀୟ ଲୋକଙ୍କ ଜୀବିକା ଏବଂ ଏହାର ସ୍ଥାନୀୟ ଜୈବ ବିବିଧତା ଉପରେ ପ୍ରଭାବକୁ ଏଡାଇ ଯାଉଛନ୍ତି । ”
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମଳୟ ତ୍ରିପାଠୀ, ଗିରିଜା ନାୟକ, ଖଗେଶ୍ୱର ବଳ, ରମାକାନ୍ତ ମଣ୍ଡଳ, ସୌମ୍ୟରଞ୍ଜନ ମହାନ୍ତି, ପ୍ରଭାତ ରାଉତରାୟ, ଅରୁଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.