ମୋଦିଙ୍କ ରାସ୍ତାରେ ହାରିସ, ଆତଙ୍କବାଦ ବନ୍ଦ କରିବାକୁ ପାକିସ୍ତାନକୁ ଦେଲେ ପରାମର୍ଶ

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରି ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ତେବେ ମୋଦିଙ୍କ ଆମେରିକା ଗସ୍ତକୁ ହଜମ କରିପାରୁନି ପାକିସ୍ତାନ। ଏହି ମଧ୍ୟରେ କମଳା ହାରିସ୍‌ଙ୍କ ସହ ସାକ୍ଷାତକାର ବେଳେ ମୋଦି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି। ମୋଦି କହିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ କାମ କରୁଛନ୍ତି। ଏହି ସମୟରେ ହାରିସ୍‌ କହିଛନ୍ତି ଯେ, ଇସଲାମବାଦ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ। ଯାହାଦ୍ଵାରା ଆମେରିକା ଓ ଭାରତର ସୁରକ୍ଷା ଉପରେ ଏହା ପ୍ରଭାବ ନପକାଇବ।

ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସହଭାଗିତା ଉପରେ ଚର୍ଚ୍ଚା କରିଛନ୍ତି। ଏହା ସହ ବିଭିନ୍ନ ବୈଶ୍ଵିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗଣତନ୍ତ୍ର, ଆଫଗାନିସ୍ତାନ ଏବଂ ଭାରତ ମହାସାଗର ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା କହିଛନ୍ତି ଯେ, ଯେତେବେଳେ ଆତଙ୍କବାଦ ପ୍ରସଙ୍ଗ ଉଠିଥିଲା ସେହି ସମୟରେ ହାରିସ୍ ନିଜେ ଆତଙ୍କବାଦରେ ପାକିସ୍ତାନର ଭୂମିକା ବିଷୟରେ କହିଥିଲେ।

ଭାରତ ଓ ଆମେରିକାର ମୂଲ୍ୟବୋଧ ସମାନ-
ମୋଦି-ହାରିସ୍‌ଙ୍କ ଆଲୋଚନା ସମୟରେ ହାରିସ୍‌ କହିଛନ୍ତି ଯେ, ପାକିସ୍ତାନରେ ଆତଙ୍କୀ ସଙ୍ଗଠନମାନେ କାମ କରୁଛନ୍ତି। ଏଥିପାଇଁ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ହାରିସ୍ ସୀମା ପାର୍ ଆତଙ୍କବାଦ ଓ ଭାରତ ଉପରେ ପଡୁଥିବା ଏହାର ପ୍ରଭାବକୁ ମଧ୍ୟ ସ୍ଵୀକାର କରିଛନ୍ତି। ହାରିସ୍ କହିଛନ୍ତି ଯେ, ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନ ସହଯୋଗ ନକରି ଏହାକୁ ବିରୋଧ କରିବା ଉଚିତ୍। ତେବେ ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମୋଦି କମଳା ହାରିସ୍‌ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ହାରିସ୍‌ଙ୍କୁ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଦୁଇ ନେତା ମିଳିତ ବିବୃତ୍ତିରେ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ର ଭାବରେ ଭାରତ ଏବଂ ଆମେରିକା ପ୍ରାକୃତିକ ଅଂଶୀଦାର। ଦୁଇ ଦେଶର ସମାନ ମୂଲ୍ୟବୋଧ ରହିଛି। ଦୁଇ ଦେଶ ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଆଜି ବାଇଡେନ୍‌ଙ୍କୁ ଭେଟିବେ ମୋଦି-
ଆଜି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ତାଙ୍କ ସହ ଏହା ମୋଦିଙ୍କର ପ୍ରଥମ ସାକ୍ଷାତକାର। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ସପ୍ତମ ଆମେରିକା ଯାତ୍ରା।


Share It

Comments are closed.