ନିଜ ଜୀବନକୁ ବାଜିରେ ଲଗାଇ ରକେଟ ମାଡର ଲାଇଭ ଭିଡିଓ ଦେଖାଇଲେ ସାମ୍ବାଦିକା

Share It

ଯେକୌଣସି ବି ପରିସ୍ଥିତିରେ ଘଟଣା ହେଉକି ଦୁର୍ଘଟଣା ସବୁ ସ୍ଥାନରେ ସବୁ ମୁହୂର୍ତ୍ତରେ ଲୋକଙ୍କ ସମସ୍ୟା ପାଇଁ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇଥାଏ ସାମ୍ବାଦିକଟିଏ। ଇସ୍ରାଇଲର ପାଲେଷ୍ଟାଇନ୍ ସହ ଜଡ଼ିତ ଖବର ସାରା ଦୁନିଆକୁ ଦେଖାଇବାକୁ ସାମ୍ବାଦିକମାନେ ନିଜ ଜୀବନକୁ ପାଣି ଛଡେଇ ଖବର ଦେଉଛନ୍ତି। ତେବେ ପାଲେଷ୍ଟାଇନରୁ ଜଣେ ମହିଳା ସାମ୍ବାଦିକଙ୍କ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ସାବାସ୍। ଏହି ମହିଳା ସାମ୍ବାଦିକା ଜଣକ ଲାଇଭ୍ ରିପୋଟିଂ କରୁଥିବା ବେଳେ ତାଙ୍କ ସାମ୍ନାରେ ଏକ ରକେଟ୍ ଖସି ପଡିଥିଲା। ହେଲେ ସେ ଭୟରେ ରିପୋଟିଂ ବନ୍ଦ କରି ନଥିଲେ ବରଂ ଜାରି ରଖିଥିଲେ।

ୟୁଏସ୍ ଟୁଡେର ରିପୋର୍ଟ ଅନୁଯାୟୀ, ଏହି ମହିଳା ସାମ୍ବାଦିକାଙ୍କ ନାମ ୟୋମାନା ଅଲ ସଇଦ। ସେ ଗାଜାରେ ରୁହନ୍ତି। ୟୋମାନା ଇସ୍ରାଇଲ ଦ୍ଵାରା କରାଯାଉଥିବା ଆକ୍ରମଣର ଲାଇଭ୍ ରିପୋଟିଂ କରୁଥିଲେ। ସେ ଲାଇଭ୍ କ୍ୟାମେରାରେ ସହରର ଅବସ୍ଥା ଦେଖାଉଥିଲେ। ଏହି ସମୟରେ ଏକ ରକେଟ ଆସି ତାଙ୍କର ଠିକ୍ ସାମ୍ନାରେ ପଡିଥିଲା। ଫଳରେ ସାମ୍ବାଦିକା ଜଣଙ୍କ ଟିକେ ହଡବଡେଇ ଯାଇଥିଲେ। ହେଲେ ସେ ଲାଇଭ୍ ରିପୋଟିଂ ରୋକିନଥିଲେ। ବରଂ ଏଭଳି ସ୍ଥିତିକୁ ସାମ୍ନା କରି ରିପୋଟିଂ ଜାରି ରଖିଥିଲେ।


ୟୋମାନା ଯଦି ଚାହିଁଥାନ୍ତେ ତେବେ ସେହି କ୍ଷଣି ସେଠାରୁ ଚାଲି ଯାଇଥାନ୍ତେ, କିନ୍ତୁ ସେ ତାଙ୍କର କର୍ତ୍ତବ୍ୟକୁ ଅଧିକ ଗୁରୁତ୍ଵ ଦେଇଥିଲେ। ତେବେ ଏହା ସିନା ଥିଲା ୟୋମାନାଙ୍କ କାହାଣୀ। ହେଲେ ୟୋମାନାଙ୍କ ଭଳି ଦେଶ ବିଦେଶର ପ୍ରତ୍ୟେକ ସାମ୍ବାଦିକଟିଏ ନିଜ ଜୀବନକୁ ଏହିଭଳି ବାଜି ଲଗେଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇଥାଏ।

ଇସ୍ରାଇଲ ଏବଂ ପାଲେଷ୍ଟାଇନରେ ଚାଲିଥିବା ସଙ୍ଘର୍ଷରେ ବହୁ ଲୋକଙ୍କ ଜୀବନ ଗଲାଣି। ସେପଟେ ଇସ୍ରାଇଲ ସ୍ପଷ୍ଟ କରିଛି ଯେ, ଖୁବ୍ ସୀଘ୍ର ଏହି ଯୁଦ୍ଧ ଶେଷ ହେବ ନାହିଁ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟେହୁ ଗୁରୁବାର କହିଛନ୍ତି ଯେ, ସେ ନାଗରିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶତ୍ରୁଙ୍କ ଉପରେ ଆକ୍ରମଣ କରୁଛନ୍ତି। ସମସ୍ତ ଆତଙ୍କୀ ଠିକଣା ନଷ୍ଟ କରିବାକୁ ସମୟ ଲାଗିବ, କିନ୍ତୁ ଆମେ ପଛକୁ ହଟିବୁ ନାହିଁ।


Share It

Comments are closed.