ବିଜେଡି ସହ ହାତ ମିଶାଇବା କଂଗ୍ରେସର ବଡ଼ ଭୁଲ୍ :ମହମ୍ମଦ ମୋକିମ୍
କଟକ,୧୨/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ବଢ଼ିବା ସହ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଦଳର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ କଂଗ୍ରେସ ଯଦି ବିଜୁ ଜନତା ଦଳ ସହ ରାଜ୍ୟସଭା ନିର୍ବାଚନରେ ହାତ ମିଶାଏ, ତେବେ ଏହା କଂଗ୍ରେସ ପାଇଁ ବଡ଼ ରାଜନୈତିକ ଭୁଲ୍ ହେବ।
ମୋକିମ୍ ଙ୍କ କହିବା ଅନୁଯାୟୀ, ଗତ ପ୍ରାୟ ୨୪ ବର୍ଷ ଧରି ବିଜେଡି ଶାସନକାଳରେ କଂଗ୍ରେସ ଦଳ ଓ କର୍ମୀମାନେ ଅନେକ ଅନ୍ୟାୟ ଓ ଦମନର ସମ୍ମୁଖୀନ ହୋଇଛନ୍ତି। ବହୁ କଂଗ୍ରେସ କର୍ମୀଙ୍କୁ ଜେଲ୍ରେ ପଠାଯାଇଥିଲା ଓ ଦଳକୁ ଦୁର୍ବଳ କରାଯାଇଥିଲା। ଏମିତି ଦଳ ସହ ଏବେ ମିଳିତ ହେବା କଂଗ୍ରେସ ପାଇଁ କ୍ଷତିକାରକ ବୋଲି ସେ ମତ ପ୍ରକାଶ କରିଛନ୍ତି।ସେ ଆହୁରି କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଦଳ ନିଜ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଛନ୍ତି, ଯାହା ଦେଖିଲେ ଲାଗୁଛି ଯେ ଦୁଇ ଦଳର ମୁଖିଆଙ୍କୁ ନିଜ ବିଧାୟକମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଭରସା ନାହିଁ।
ମୋକିମ୍ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ ଏବେଠାରୁ କିଛି ବିଧାୟକଙ୍କ ଶାରୀରିକ ସମସ୍ୟା ଆରମ୍ଭ ହେଉଛି, କିନ୍ତୁ ସମସ୍ତ କଥା ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ଭୋଟିଂ ସମୟରେ ସ୍ପଷ୍ଟ ହେବ।ଏହା ସହ ତାଙ୍କ ଝିଅ ସୋଫିଆ ଫିର୍ଦୋସ ନିଜ ଦଳର ନିଷ୍ପତ୍ତି ଅନୁଯାୟୀ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବେ। ମୋକିମ୍ ଙ୍କ ଏହି ବକ୍ତବ୍ୟ ପରେ ଓଡ଼ିଶାର ରାଜନୀତିରେ ବିଜେଡି-କଂଗ୍ରେସ ସମ୍ପର୍କ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.