ଜିଓ-ବିପି ଓ ଟିଭିଏସ୍ ମୋଟର ମଧ୍ୟରେ ସହଯୋଗିତା, ଚାର୍ଜିଂ ଷ୍ଟେସନ ସ୍ଥାପନ କରିବେ

Share It

ଭୁବନେଶ୍ୱର: ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ ସ୍ଥାପନ କରି ଏକ ଦୃଢ଼ ମୁଳଦୁଆ ଢ଼ାଂଚା ପ୍ରସ୍ତୁତ କରିବାରେ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଜିଓ-ବିପି ଓ ଟିଭିଏସ୍ ମୋଟର ପରସ୍ପର ସହ ହାତ ମିଳାଇଛନ୍ତି । ଏହା ଜିଓ-ବିପି ନେଟ୍‌ୱର୍କ ଉପରେ ଆଧାରିତ ରହିବ । ଏହି ପ୍ରସ୍ତାବିତ ସହଯୋଗିତା ଅନୁସାରେ ଟିଭିଏସ୍‌ର ଇଲେକ୍ଟ୍ରିକ ଗାଡ଼ିର ଗ୍ରାହକମାନେ ଜିଓ-ବିପିର ବ୍ୟାପକ ଚାର୍ଜିଂ ନେଟ୍‌ୱର୍କ ପାଖରେ ପହଂଚିପାରିବେ । ଏହି ଚାର୍ଜିଂ ଷ୍ଟେସନଗୁଡ଼ିକ ଅନ୍ୟ ଗାଡ଼ି ପାଇଁ ମଧ୍ୟ ଖୋଲାରହିବ ।

ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ବିଶ୍ୱସନୀୟ ଚାର୍ଜିଂ ଭିତିଭୂମି ଉପଲବ୍ଧ କରାଇବା ଲାଗି ଏଭଳି ଚାର୍ଜିଂ ନେଟ୍‌ୱର୍କ ସହିତ ଡିସି ଫାଷ୍ଟ-ଚାର୍ଜିଂ ନେଟ୍‌ୱର୍କ ମଧ୍ୟ ପ୍ରସ୍ତୁତ କରାଯିବ ।

ଇଲେକ୍ଟ୍ରିଫିକେସନ କ୍ଷେତ୍ରରେ ଉଭୟ କଂପାନିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ସଫଳତା ମିଳିଛି । ଏହି ଦୁଇ କଂପାନି ସେହି ଅଭିଜ୍ଞତାକୁ ଭାତୀୟ ବଜାରରେ ବ୍ୟବହାର କରିବେ ଯଦ୍ୱାରା ଗ୍ରାହକମାନଙ୍କୁ ଏକ ନୂଆ ଅନୁଭବ ପ୍ରଦାନ କରାଯାଇପାରିବ ।

ଜିଓ-ବିପି ପକ୍ଷରୁ ଏହାର ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜିଂ ଓ ସ୍ୱାପିଂ ଷ୍ଟେସନଗୁଡ଼ିକୁ ଜିଓ-ବିପି ପଲ୍‌ସ ବ୍ରାଣ୍ଡ୍ ଅନୁସାରେ ପରିଚାଳନା କରାଯିବ । ଜିଓ-ବିପି ପଲ୍‌ସ ଆପ୍ ଜରିଆରେ ଗ୍ରାହକମାନେ ସହଜରେ ଆଖପାଖରେ ଥିବା ଚାର୍ଜିଂ ଷ୍ଟେସନ ଖୋଜିପାରିବେ ଓ ନିଜ ଗାଡ଼ିକୁ ଚାର୍ଜ କରିପାରିବେ । ଜିଓ-ବିପି ଏକ ମଜଭୁତ ଚାର୍ଜିଂ ବ୍ୟବସ୍ଥା ପ୍ରସ୍ତୁତ କରୁଛି ଯାହାର ଲାଭ ସମସ୍ତ ଅଂଶୀଦାରଙ୍କ ନିକଟରେ ପହଂଚିପାରିବ ।

ଟିଭିଏସ୍ ମୋଟର କଂପାନି ନୂଆ ଇଲେକ୍ଟ୍ରିକ୍ ଯାନବାହନ ଉତ୍ପାଦ ଓ ତତ୍ ସଂକ୍ରାନ୍ତ ପ୍ରଯୁକ୍ତି ବିକଶିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ଶୁଭାରମ୍ଭ ହେବା ପରଠାରୁ କଂପାନି ଏହାର ହାଇସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଟିଭିଏସ୍ ଆଇକ୍ୟୁବ୍‌ର ୧୨,୦୦୦ରୁ ଅଧିକ ୟୁନିଟ୍ ବିକ୍ରି କରିସାରିଲାଣି । ଟିଭିଏସ୍ ଆଇକ୍ୟୁବ୍ ଏକ ସ୍ମାର୍ଟକନେକ୍ଟେଡ୍ ଓ ବ୍ୟାବହାରିକ ଇଲେକ୍ଟ୍ରିକ୍ ଯାନ ଯାହା ଗ୍ରାହକଙ୍କ ଦୈନିକ ଯାତାୟାତ ଆବଶ୍ୟକତାକୁ ପୂରଣ କରୁଛି । କଂପାନି ୫-୨୫ କିଲୋୱାଟ୍ ରେଂଜ୍‌ରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିର ଏକ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ପ୍ରସ୍ତୁତ କରୁଛି ଯାହାକୁ ଆସନ୍ତା ୨୪ ମାସ ଭିତରେ ବଜାରରେ ଉପସ୍ଥାପନ କରାଯିବ ।

ଏହି ସହଯୋଗିତା ଦେଶରେ ଦୁଇ ଚକିଆ ଓ ତିନି ଚକିଆ ଯାନର ଗ୍ରାହକମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ଆପଣେଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିବ ଓ ଏହା ସହିତ ଭାରତର ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବାରେ ଏହା ସହାୟକ ହେବ ।


Share It

Comments are closed.