କୋଲ ଗ୍ୟାସିଫିକେସନ ଦ୍ୱାରା ଶକ୍ତି ସ୍ୱାବଲମ୍ବନ ଓ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣର ସାଜିଲା ମାର୍ଗଦର୍ଶକ
ନୂଆଦିଲ୍ଲୀ, ଏପ୍ରିଲ୍ ୬, ୨୦୨୬: ଜିନ୍ଦଲ ଷ୍ଟିଲ୍ ଉନ୍ନତ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସ୍ୱଦେଶୀ କୋଇଲା ବ୍ୟବହାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଭାରତର ଶକ୍ତି ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସହିତ କମ୍-କାର୍ବନ ଇସ୍ପାତ ଉତ୍ପାଦନକୁ ସକ୍ଷମ କରିଛି । ବିଶ୍ୱର ପ୍ରଥମ କମ୍ପାନି ଭାବେ ଜିନ୍ଦଲ ଷ୍ଟିଲର ଭାରତରେ କୋଲ ଗ୍ୟାସିଫିକେସନ ଆଧାରିତ ଡାଇରେକ୍ଟ ରେଡ୍ୟୁସଡ ଆଇରନ୍ (ଡିଆରଆଇ) ପ୍ଲାଣ୍ଟ ସ୍ଥାପନ ସହ ଇସ୍ପାତ ପ୍ରସ୍ତୁତି ପାଇଁ ସିନ-ଗ୍ୟାସର ବ୍ୟବହାର କରୁଛି । ପ୍ରାକୃତିକ ଗ୍ୟାସ, ଏଲପିଜି ଓ ପ୍ରୋପେନର କମ୍ ଉପଲବ୍ଧତା ପରିସ୍ଥିତିରେ ଗାଲଭାନାଇଜିଂ ଓ କଲର୍ କୋଟିଂ ଲାଇନ୍ ଫର୍ନେସ୍ରେ ଜିନ୍ଦଲ ଷ୍ଟିଲ ସିନ୍-ଗ୍ୟାସର ସଫଳ ବ୍ୟବହାର କରିଛି। ଇସ୍ପାତ ଶିଳ୍ପରେ ଏପରି ବ୍ୟବହାର ପ୍ରଥମ ଥର ପାଇଁ ହୋଇଛି। ଏହା ଇନ୍ଧନ ଅଭାବକୁ ମୁକାବିଲା କରିବାରେ କମ୍ପାନିକୁ ସହାୟକ ହୋଇଛି।
ଏହା ସହିତ ଇସ୍ପାତ ଶିଳ୍ପ ପାଇଁ ମାର୍ଗଦର୍ଶକ ଭାବେ ଜିନ୍ଦଲ ଷ୍ଟିଲ ସିନ-ଗ୍ୟାସ ଦ୍ୱାରା ବ୍ଲାଷ୍ଟ ଫର୍ନେସ ବି ଚଲାଇଛି। ଏହା ଦ୍ୱାରା ବିଦେଶୀ ଓ ଦାମୀ କୋଇଲା ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ହେବା ସହ ପ୍ରତି ଟନ ଇସ୍ପାତ ଉତ୍ପାଦନରେ ଅଙ୍ଗାରକାମ୍ଲ ନିର୍ଗମନର ମାତ୍ରା ମଧ୍ୟ ହ୍ରାସ ହୋଇଛି। ସମଗ୍ର ଇସ୍ପାତ ଉତ୍ପାଦନ ଶୃଙ୍ଖଳାରେ ସିନ୍-ଗ୍ୟାସ ବ୍ୟବହାର ଦ୍ୱାରା କାର୍ଯ୍ୟକ୍ଷମତା ବୃଦ୍ଧି, ସୁସ୍ଥିରତା ଓ ଶକ୍ତି ସ୍ୱାବଲମ୍ବନରେ ନୂତନ ମାନକ ସୃଷ୍ଟି କରିଛି ଜିନ୍ଦଲ ଷ୍ଟିଲ।
ଉଲ୍ଲେଖନୀୟ ଯେ ଜାତୀୟ କୋଇଲା ଗ୍ୟାସିଫିକେସନ୍ ମିଶନ୍ ଭାରତ ସରକାରଙ୍କ ଭବିଷ୍ୟତ ଅଗ୍ରଣୀ ନୀତି ଓ ପ୍ରୋତ୍ସାହନରେ ଅନ୍ତର୍ଭୁକ୍ତ, ତେଣୁ ଏହା ଆଶା କରାଯାଉଛି ଯେ କୋଇଲା ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟା ଗ୍ରହଣ ତ୍ୱରାନ୍ୱିତ ହେବ ଏବଂ ଏହା ଶକ୍ତି ଆତ୍ମନିର୍ଭରଶୀଳତା ଦିଗରେ ଦେଶର ପ୍ରୟାସକୁ ସହାୟତା କରିବ।
ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି.କେ. ବିଜୁ ନାୟାର କହିଛନ୍ତି, “ ସ୍ୱଦେଶୀ କୋଇଲାରୁ ଉତ୍ପାଦିତ ସିନ୍-ଗ୍ୟାସ ବିଦେଶରୁ ଆମଦାନି ହେଉଥିବା ମେଥାନଲ, ଆମୋନିଆ, ଆମୋନିୟମ ନାଇଟ୍ରେଟ ଓ ଏଲଏନଜିର ସ୍ଥାନ ପୂରଣ କରିପାରିବ । ଦେଶର ପ୍ରଗତି ଓ ବିଦେଶୀ ମୁଦ୍ରାଭଣ୍ଡାରକୁ ମଜଭୁତ କରିବା ପାଇଁ, ଦେଶରେ ମହଜୁଦ ବିଶାଳ କୋଇଲା ଭଣ୍ଡାରର ସଠିକ ଉପଯୋଗ ହେବା ଆବଶ୍ୟକ । ଯଦି କୋଲ ଗ୍ୟାସିଫିକେସନ ସହ ଅଙ୍ଗାରକାମ୍ଳ ନିୟନ୍ତ୍ରଣ କୌଶଳ (ସିସିୟୁଏସ)ର ଉପଯୋଗ କରାଯାଏ ତେବେ ପ୍ରଦୂଷଣ ହ୍ରାସ ପାଇବା ସହ ଅନ୍ତରାଷ୍ଟ୍ରୀୟ ମାନକ ପ୍ରାପ୍ତ କରି ଆମ ଇସ୍ପାତର ସ୍ଥିତି ବିଦେଶୀ ବଜାରରେ ଆହୁରି ମଜଭୁତ ହେବ।”
ସ୍ୱଦେଶୀ କୋଇଲା ବ୍ୟବହାର ଏବଂ ଅତ୍ୟାଧୁନିକ ସ୍ୱଚ୍ଛ କୋଲ ଗ୍ୟାସିଫିକେସନ କୌଶଳ ଉପଯୋଗ ଦ୍ୱାରା ପରିବେଶ ଅନୁକୂଳ ଏବଂ କମ ମୂଲ୍ୟରେ ଇସ୍ପାତ ଉପଲବ୍ଧ କରାଇ ଆତ୍ମନିର୍ଭର ଭାରତ ଅଭିଯାନରେ ନିଜର ମଜଭୁତ ଯୋଗଦାନ କରୁଛି ଜିନ୍ଦଲ ଷ୍ଟିଲ।

Comments are closed.