ଗୁରୁତର ଆହତ ହେଲେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, କୋମାରେ ଥିବା ନେଇ ଚର୍ଚ୍ଚା!
ତେହେରାନ: ଇରାନର ନବ ନିଯୁକ୍ତ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏକ ବିମାନ ଆକ୍ରମଣରେ ଆହତ ହୋଇ ବର୍ତ୍ତମାନ ସଂକଟାପନ୍ନ ଅବସ୍ଥାରେ ଥିବା ଜଣାପଡିଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସେ ନିଜର ଗୋଟିଏ ଗୋଡ଼ ହରାଇଛନ୍ତି ଏବଂ କୋମାକୁ ଚାଲିଯାଇଛନ୍ତି। ୫୬ ବର୍ଷୀୟ ଏହି ନେତା ଯୁଦ୍ଧ ପରିସ୍ଥିତି ଜଟିଳ ହେବା ପରଠାରୁ ସାଧାରଣରେ ଦୃଶ୍ୟମାନ ହୋଇନାହାନ୍ତି। ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ପୁଅ ମୋଜତାବା ଆହତ ହୋଇଥିବା ନେଇ ସୂଚନା ଦେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁସାରେ, ମୋଜତାବାଙ୍କ ଶରୀରରେ ଗଭୀର ଆଭ୍ୟନ୍ତରୀଣ ଆଘାତ ଲାଗିଛି ଏବଂ ତେହେରାନର ଏକ ଅତି ସୁରକ୍ଷିତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।
ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଅପରେସନରେ ତାଙ୍କ ପିତା ତଥା ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ସେହି ସମାନ ଆକ୍ରମଣରେ ମୋଜତାବା ଆହତ ହୋଇଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ରେଡିଓ ସାକ୍ଷାତକାରରେ କହିଛନ୍ତି ଯେ, ମୋଜତାବା ଖାମେନେଇ ବୋଧହୁଏ ଜୀବିତ ଅଛନ୍ତି, କିନ୍ତୁ ସେ ଗୁରୁତର ଭାବେ ଆଘାତପ୍ରାପ୍ତ ବା ‘ଡ୍ୟାମେଜ୍’ ହୋଇଯାଇଛନ୍ତି। ବର୍ତ୍ତମାନ ଅତ୍ୟଧିକ ସୁରକ୍ଷା ମଧ୍ୟରେ ତାଙ୍କର ଜରୁରୀକାଳୀନ ଚିକିତ୍ସା ଜାରି ରହିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଏହି ପରିସ୍ଥିତି ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଇସ୍ରାଏଲ ବିରୋଧରେ ଶତ୍ରୁତା କରୁଥିବା ଗୋଷ୍ଠୀର ନେତାମାନେ ଚାଲିଥିବା ଏହି ଯୁଦ୍ଧ ମଧ୍ୟରେ କୌଣସି ପ୍ରକାର ସୁରକ୍ଷା ଆଶା କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଅଭିଯାନ ଆଶାଠାରୁ ଅଧିକ ଭଲ ଭାବେ ଆଗକୁ ବଢୁଛି ଏବଂ ଏହା ଇସ୍ରାଏଲର ସ୍ଥିତିକୁ ଆହୁରି ଶକ୍ତିଶାଳୀ କରିଛି। ତେବେ ମୋଜତାବା ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ବି ସନ୍ଦେହ ରହିଛି, କାରଣ ଇରାନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ।

Comments are closed.