ଆମେରିକାର ଯୁଦ୍ଧ ବିମାନକୁ ମାରି ଖସାଇଲା ଇରାନ,ଏବେ କ’ଣ କରିବେ ଟ୍ରମ୍ପ ?
ନୂଆ ଦିଲ୍ଲୀ: ଇରାନ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ F-15 ଲଢ଼ୁଆ ବିମାନର ଜଣେ ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବାରେ ଆମେରିକା ଏବଂ ଇସ୍ରାଏଲ୍ ସେନା ଲାଗିପଡ଼ିଛନ୍ତି। ଯଦି ନିଖୋଜ ପାଇଲଟଙ୍କୁ ଇରାନୀ ସେନା କୌଣସି କ୍ଷତି ପହଞ୍ଚାନ୍ତି, ତେବେ ଆମେରିକାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ସେ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି।
‘ଦି ଇଣ୍ଡିପେଣ୍ଡେଣ୍ଟ’ ପକ୍ଷରୁ ଏହି ପ୍ରଶ୍ନ ପଚରାଯିବାରୁ ଟ୍ରମ୍ପ କହିଛନ୍ତି ଯେ, “ମୁଁ ଏବେ ଏହା ଉପରେ କୌଣସି ମନ୍ତବ୍ୟ ଦେଇପାରିବି ନାହିଁ, କାରଣ ଆମେ ଆଶା କରୁଛୁ ଯେ ସେମିତି କିଛି ଘଟିବ ନାହିଁ।”
ଏହି F-15E ଷ୍ଟ୍ରାଇକ୍ ଇଗଲ୍ ବିମାନର ଦୁଇଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାରକାରୀ ଦଳ ବଞ୍ଚାଇ ଦେଇଛନ୍ତି, କିନ୍ତୁ ଦ୍ୱିତୀୟ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି। ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ବଡ଼ ଧରଣର ଆକ୍ରମଣ ସମୟରେ ଏହା ହେଉଛି ଇରାନ ସୀମା ମଧ୍ୟରେ ଖସିପଡ଼ିଥିବା ପ୍ରଥମ ଆମେରିକୀୟ ବିମାନ। ଅନ୍ୟପଟେ ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅପିଲ୍ କରାଯାଇଛି ଯେ, ଯଦି କୌଣସି ଶତ୍ରୁ ପାଇଲଟ୍ ଦେଖାଯାନ୍ତି, ତେବେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରନ୍ତୁ ଏବଂ ଏଥିପାଇଁ ପୁରସ୍କାର ଦିଆଯିବ।
ଆମେରିକା ଏବଂ ଇସ୍ରାଏଲର ରେସ୍କ୍ୟୁ ଟିମ୍ ତୁରନ୍ତ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ସନ୍ଧାନ ସମୟରେ ଦୁଇଟି ହେଲିକପ୍ଟର ଉପରକୁ ଗୁଳିମାଡ଼ ହୋଇଥିଲା, ଯେଉଁଥିପାଇଁ ସେମାନଙ୍କୁ ପଛକୁ ହଟିବାକୁ ପଡ଼ିଲା। ଏହି ଘଟଣାକୁ ନେଇ ହ୍ୱାଇଟ୍ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ମଧ୍ୟ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହି ଘଟଣା ବିଷୟରେ କିଛି ଲେଖିନାହାନ୍ତି। ତେବେ NBC ନ୍ୟୁଜକୁ ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ଇରାନ ସହ ଚାଲିଥିବା ଆଲୋଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି, “ନା, ଆଦୌ ନୁହେଁ। ଏହା ଏକ ଯୁଦ୍ହ ଏବଂ ଆମେ ଯୁଦ୍ଧ କରୁଛୁ।”

Comments are closed.