ଆଜି ଏଲିମିନେଟର, ବାଙ୍ଗାଲୋର ବିପକ୍ଷରେ ମଇଦାନକୁ ଓହ୍ଲାଇବ ଲକ୍ଷ୍ନୌ

Share It

ଚଳିତ ଆଇପିଏଲ୍‌ରେ ଆଜି ଏଲିମିନେଟର ମୁକାବିଲା ରହିଛି । ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ । ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ । ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ସୁଯୋଗ ପାଇବ । ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ସୁପରଜାଏଣ୍ଟ୍‌ସ ଚଳିତ ଆଇପିଏଲ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା । ବ୍ୟାଟିଂ ବିଭାଗରେ ଛୋଟ ମୋଟ ତ୍ରୁଟି ରହିଥିଲେ ହେଁ ଦଳଗତ ପ୍ରଦର୍ଶନ ବଳରେ ସୁପରଜାଏଣ୍ଟ୍‌ସ ୯ଟି ଲିଗ୍‌ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା । ପଦାର୍ପଣରେ ଫାଇନାଲ୍‌ ଖେଳିବାର ସୁଯୋଗକୁ ହାତଛଡ଼ା କରିବାକୁ ସୁପରଜାଏଣ୍ଟ୍‌ସ ଚାହିଁବ ନାହିଁ ।

ତେଣୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ ସହ ଟାଇଟଲ ଦୌଡ ଜାରି ରଖିବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ ହେଁ ଅନେକ ତାରକା ଖେଳାଳି ରହିଥିବାରୁ ବିଜୟ ସମ୍ଭାବନା ଅଧିକ ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ସୁପରଜାଏଣ୍ଟ୍‌କୁ ହରାଇ ସାରିଛି । ଅନେକ ଖେଳାଳି ଫର୍ମରେ ନ ଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ରାଜୁତି କରିପାରି ନଥିଲା । ହେଲେ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । କେବଳ ମ୍ୟାକ୍ସୱେଲ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିବ । ଉଭୟ ଦଳର ବୋଲିଂ ବିଭାଗ ସୁଦୃଢ । ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ରବି ବିଶ୍ନୋଇ ପ୍ରମୁଖ ସୁପରଜାଏଣ୍ଟ୍‌ସ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ୱାନିଣ୍ଡୁ ହସରଙ୍ଗା ଭଳି ବୋଲର ରହିଛନ୍ତି ।

ସୁପରଜାଏଣ୍ଟ୍‌ସ : କ୍ୱିଣ୍ଟନ ଡି କକ୍‌, ଲୋକେଶ ରାହୁଲ(ଅଧିନାୟକ), ଏଭିନ ଲୁଇସ, ଦୀପକ ହୁଡ଼ା, ମନନ ଭୋରା, ମାର୍କସ ଷ୍ଟଇନିସ,ଜାସନ ହୋଲ୍ଡର, କେ ଗୋଥମ, ମହସିନ ଖାନ, ଅଭେଶ ଖାନ, ରବି ବିଶ୍ନୋଇ ।

ରୟାଲ ଚ୍ୟାଲେଞ୍ଜର୍ସ : ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ୍‌, ଦିନେଶ କାର୍ତ୍ତିକ, ରଜତ ପତିଦର, ମହିପାଲ ଲୋମରର, ସାହବାଜ ଅହମ୍ମଦ, ହର୍ଷଲ ପଟେଲ, ୱାନିଣ୍ଡୁ ହସରଙ୍ଗା ।


Share It

Comments are closed.