ଆଜି ଅପରାହ୍ନ ୩ଟାରୁ ହେବ ଆଇପିଏଲ-୨୦୨୧ ନିଲାମୀ ପ୍ରକ୍ରିୟା

Share It

ଗୁରୁବାର ଆଇପିଏଲ୍‌-୧୪ ପାଇଁ ଚେନ୍ନାଇରେ ଆରମ୍ଭ ହେବ ଖେଳାଳି ନିଲାମ ପ୍ରକ୍ରିୟା । ବିକ୍ରି ହେବେ ଖେଳାଳି । ଫ୍ରାଞ୍ଚାଇଜମାନେ ନିଜ ମନମୁତାବକ ଖେଳାଳି ଦଳ ପାଇଁ କିଣିବେ । ଯେହେତୁ ୨୦୨୨ରେ ଦୁଇଟି ନୂଆ ଦଳ ସାମିଲ ହେବେ, ତେଣୁ ୨୦୨୧ ସଂସ୍କରଣ ପାଇଁ ମିନି ନିଲାମି ହେବ । ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି ।

ନିଲାମ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ୧୦ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌, ସାକିବ ଅଲ ହାସନ, ଜାସନ ରୟ ଏବଂ ମାର୍କ ଉଡଙ୍କ ଭଳି ଖେଳାଳି । ସେମିତି ୧.୫ କୋଟି ବେସ୍ ପ୍ରାଇସ ତାଲିକାରେ କୌଣସି ଭାରତୀୟ ନାହାନ୍ତି । ଏହି ତାଲିକାରେ ୧୨ ଜଣ ରହିଛନ୍ତି । ବଡ଼ ଖେଳାଳି ଏଥର ନଜରରେ ରହିବେ ।

୧ କୋଟି ତାଲିକାରେ ହନୁମା ବିହାରୀ ଓ ଉମେଶ ଯାଦବଙ୍କ ସହ ୯ ଜଣ ବିଦେଶୀ ଅଛନ୍ତି । ୭୫ ଲକ୍ଷ ବେସ୍ ପ୍ରାଇସ୍ ତାଲିକାରେ କେବଳ ୧୫ ଜଣ ବିଦେଶୀ ଏବଂ ୫୦ ଲକ୍ଷ ତାଲିକାରେ ମୋଟ୍‌ ୬୫ ଜଣ (୧୩ ଭାରତୀୟ, ୫୨ ବିଦେଶୀ) ଖେଳାଳିଙ୍କୁ ସାମିଲ କରାଯାଇଛି । ଅବଶିଷ୍ଟ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି ।

ଏହି ନିଲାମି ପାଇଁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଖରେ ହିଁ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି । ସେହିପରି ମୁମ୍ବାଇ ପାଖରେ ୧୫.୩୫ କୋଟି, ଚେନ୍ନାଇ ସୁପର କିଙ୍ଗ୍‌ସ ୨୨.୯୦ କୋଟି, କୋଲକାତା ନାଇଟ୍‌ ରାଇଡର୍ସ ୧୦.୭୫ କୋଟି, ସନରାଇଜର୍ସ ହାଇଦ୍ରାବାଦ ୧୦.୭୩ କୋଟି, ରାଜସ୍ଥାନ ରୟାଲ୍ସ ୩୪.୫୮ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୫.୯୦ କୋଟି ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୧୨.୯୦ କୋଟି ଟଙ୍କା ରହିଛି ।

ନିଜ ନିଜ ପାଖରେ ଥିବା ଏହି ବଳକା ଅର୍ଥରେ ହିଁ ଫ୍ରାଞ୍ଚାଇଜମାନେ ଖେଳାଳି କିଣି ପାରିବେ । ନିଲାମୀରେ ଏଥର ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି ।


Share It

Comments are closed.