ଦିଲ୍ଲୀ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କେକେଆର

Share It

ଚଳିତ ଆଇପିଏଲ୍‌ର ୨୫ତମ ଲିଗ୍‌ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ଟି ନାଇଟ୍‌ ରାଇଡର୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୬ଟି ମ୍ୟାଚ୍‌ ଖେଳିସାରିଥିବା ନାଇଟ ରାଇଡର୍ସ ମାତ୍ର ୨ଟିରେ ବିଜୟୀ ହୋଇଛି । ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ନାଇଟ ରାଇଡର୍ସ ଗୁରୁବାର ବିଜୟ ସହ ଗୋଟିଏ ପାଦ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି । ୨୬ତାରିଖରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ହରାଇବା ପରଠୁ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି ।

ନାଇଟ୍‌ ରାଇଡର୍ସ ଇତି ମଧ୍ୟରେ ୨ ଦିନ ଜୋରଦାର ଅଭ୍ୟାସ କରିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ଅଭ୍ୟାସ ପାଇଁ ସମୟ ମିଳିନି । ତଥାପି ଆଜିର ମ୍ୟାଚ୍ କଡ଼ା ଟକ୍କର ଦେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରସ୍ତୁତ । ମଙ୍ଗଳବାର ଅନୁଷ୍ଠିତ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଳୀ କ୍ୟାପିଟାଲ୍ସ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ମାତ୍ର ୧ ରନ୍‌ରେ ପରାଜିତ ହୋଇଥିଲା ।ଆଜି ସମସ୍ତ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଦଳ ପ୍ରୟାସ କରିବ । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ସିମରନ ହେତମେୟର ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଂକେତ ।

ନାଇଟ୍‌ ରାଇଡର୍ସ ଓପନିଂ ବିଭାଗକୁ ନେଇ ଚିନ୍ତାରେ ରହିଛି । ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ନିତିଶ ରାଣାଙ୍କ ପ୍ରଦର୍ଶନରେ ଦିନକୁ ଦିନ ଅବନତି ଦେଖିବାକୁ ମିଳିଛି । ଫଳରେ ଆଜିର ମ୍ୟାଚ୍ ଦଳ ଓପନିଂ ବିଭାଗରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସେଭଳି କୌଣସି ସମସ୍ୟା ନାହିଁ । ତଥାପି ମାର୍କସ ଷ୍ଟଇନିସ ଫର୍ମକୁ ଫେରିବା ଅତ୍ୟନ୍ତ ଜରୁରୀ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ୍‌ ମଧ୍ୟରୁ ନାଇଟ ରାଇଡର୍ସ ୪ଟି ମ୍ୟାଚ୍‌ ଜିତିଛି । ତେଣୁ ନାଇଟ୍‌ ରାଇଡର୍ସର ପଲା ଭାରି ରହିବ ।

ସମ୍ଭାବ୍ୟ ଏକାଦଶ
ନାଇଟ୍‌ ରାଇଡର୍ସ: ଶୁଭମନ ଗିଲ, ନିତିଶ ରାଣା, ରାହୁଲ ତ୍ରିପାଠୀ, ସୁନିଲ ନାରାଏନ, ଇୟନ ମୋର୍ଗାନ(ଅଧିନାୟକ), ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ପ୍ୟାଟ୍‌ କମିନ୍ସ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଷ୍ଟିଭେନ ସ୍ମିଥ୍‌, ରିଶଭ ପନ୍ତ, ମାର୍କସ ଷ୍ଟଇନିସ, ସିମରନ ହେତମେୟର, ଅକ୍ଷର ପଟେଲ, କାଗିସୋ ରାବାଡା, ଅଭେଶ ଖାନ୍‌, ଅମିତ ମିଶ୍ରା, ଈଶାନ୍ତ ଶର୍ମା ।


Share It

Comments are closed.