ଓଡ଼ିଶାରେ ୧,୦୩,୦୯୦କୋଟି ଟଙ୍କାର ପୁଞ୍ଜି ନିବେଶ, ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ଆଶା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଦିନ ଦିଲ୍ଲୀ ଗସ୍ତ କରି ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ ନେଇ ୧୩ କମ୍ପାନି ସହ ମୁଖ୍ୟମନ୍ତ୍ରୀ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଏହି ଚୁକ୍ତି ୧,୦୩,୦୯୦କୋଟି ଟଙ୍କାର ପୁଞ୍ଜି ଆକର୍ଷିତ କରିଥିବାବେଳେ ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଗସ୍ତର ଦ୍ୱିତୀୟ ଦିନରେ ଆୟୋଜିତ ଚୁକ୍ତି ସ୍ବାକ୍ଷର ସମାରୋହରେ ମୁଖ୍ୟମନ୍ତ୍ରୀ ଶିଳ୍ପନେତୃତ୍ୱଙ୍କୁ ସମ୍ବୋଧିତ କରି କହିଛନ୍ତି, ଶିଳ୍ପକ୍ଷେତ୍ରରେ ଅଗ୍ରଗତି ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିବେଶ କରିବା ପାଇଁ ଏହା ହିଁ ସଠିକ୍ ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍(ଆଇଓସିଏଲ), ପେଟ୍ରୋନେଟ୍ ଏଲ୍ଏନ୍ଜି, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ ରିଜର୍ଭସ୍ ଲିମିଟେଡ୍ ଓ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନା ପରେ ପୁଞ୍ଜିନିବେଶ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆଇଓସିଏଲ ସହ ଚୁକ୍ତି ଅନୁସାରେ ୫୮,୦୪୨ କୋଟି ପୁଞ୍ଜି ନିବେଶ ପାରାଦୀପରେ ଡୁଆଲ୍ ଫିଡ୍ ନାପଥା କ୍ରାକର ଏବଂ ଡାଉନ୍ଷ୍ଟ୍ରମିମ୍ ୟୁନିଟ୍ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ଏହି ପ୍ରକଳ୍ପ ୨୪ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିସହ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ଶିଳ୍ପ ସୁଦୃଢ଼ୀକରଣ ଆଶା ଉଜ୍ଜୀବିତ ହୋଇଛି। ସେହିପରି କିରି ଇଣ୍ଡଷ୍ଟ୍ରି ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍ ସ୍ଥାପନ କରିବାକୁ ଥିବାବେଳେ ଏସ୍ଏଲ୍ଏମ୍ଜି ବେଭେରେଜ୍ସ ରାଜ୍ୟରେ ବେଭେରେଜ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପାଣିଜାହଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍ ପ୍ରସ୍ତୁତ ଅଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରୀ ସ୍ପେଶିଆଲିଟି ବାଲେଶ୍ୱରରେ ଟାୟାର ମ୍ୟାନୁଫ୍ୟାକଚରିଂ ୟୁନିଟ୍ ସ୍ଥାପନ କରିବ। ଆଇନକ୍ସ ଜିଏଫଏଲ କେମିକାଲ ୟୁନିଟ୍ ଏବଂ ବମ୍ବେ ଡାଇଙ୍ଗ ଏମଏଫଜି. କୋ. ଲିମିଟେଡ୍ ଟେକ୍ଟଟାଇଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବ। ଏହା ବ୍ୟତୀତ ଆସାସିଏଶନ ଅଫ୍ ଇଣ୍ଡିଆନ ମାନ୍ୟୁଫାକ୍ଚରସ ଅଫ୍ ମେଡିକାଲ ଡିଭାଇସେସ୍ (ଏଆଇଏମଇଡି), ଟଏ ଆସୋସିଏଶନ ଅଫ୍ ଇଣ୍ଡିଆ, ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଡିଆ ବିଜନେଶ୍ କାଉନସିଲ୍ ଏବଂ ଅନ୍ୟାନ୍ୟ କମ୍ପାନି ସହ ଆଲୋଚନା ଫଳପ୍ରଦ ହୋଇଛି। ଏହା ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ କରିବା ସହ ଅର୍ଥନୀତି ଅଭିବୃଦ୍ଧିକୁ ନୂଆରୂପ ଦେବ। ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହେବ। କେମିକାଲ, ପେଟ୍ରୋକେମିକାଲ, ବସ୍ତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ରପ୍ତାନୀ ବୃଦ୍ଧି କରିବ। ଚୁକ୍ତି ସ୍ବାକ୍ଷର ସମାରୋହରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ବାଗତ ଅଭିଭାଷଣ ଦେଇଥିବବେଳେ ଆଇଓସିଏଲ୍ ଚେୟାରମ୍ୟାନ ଏ ଏସ ସାହାଣୀ ମତ ରଖିଥିଲେ। ଶିଳ୍ପ ଓ ଏମଏସଏମଇ ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା ଭିଡ଼ିଓ ମାଧ୍ୟମରେ ତଥ୍ୟ ଉପସ୍ଥାପନା କରିଥିଲେ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ହରଦୀପ ସିଂହ ପୁରୀ ପ୍ରମୁଖ ରାଜ୍ୟରେ ଶିଳ୍ପ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ।
Comments are closed.