ଯଥାଶୀଘ୍ର ଆଫଗାନିସ୍ଥାନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ

Share It

ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍‌ଜାକୁ ନେବାରେ ଲାଗିଛି। ଫଳରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଣୁ ସେମାନେ ଯଥାଶୀଘ୍ର ସମ୍ଭବ ଆଫଗାନିସ୍ତାନ ଛାଡ଼ିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଖୁବଶୀଘ୍ର ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ଭାରତୀୟମାନେ ସ୍ୱଦେଶ ଫେରିଆସିବାକୁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି। ଏଥିସହ ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତୀୟମାନଙ୍କୁ ତତ୍କାଳ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ସେ ସେଠାକାର କମ୍ପାନି କର୍ତ୍ତୃପକ୍ଷଙ୍କୁ ଅପିଲ କରିଛନ୍ତି। ସେହିଭଳି ଆଫଗାନିସ୍ତାନର ଚତୁର୍ଥ ସର୍ବ ବୃହତ ସହର ମଜାର-ଏ-ସରିଫର ଅଧିକାଂଶ ଅଞ୍ଚଳ ତାଲିବାନ ନିଜ କବ୍‌ଜାକୁ ନେଇ ସାରିଲାଣି। ଏଠାରେ ତାଲିବାନ ନିଜ ଆଇନ ଲାଗୁ କରି ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଛି।

ଏଣୁ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛନ୍ତି। ଭାରତୀୟ ନାଗରିକ ନିଜର ପାସପୋର୍ଟ ପ୍ରମାଣ ପତ୍ର ଦେଖାଇ ଏହି ବିମାନରେ ଦିଲ୍ଲୀ ଫେରିପାରିବେ। ଅନ୍ୟ ଏକ ଘଟଣାକ୍ରମେ ଆମେରିକା ସମର୍ଥନରେ ଆଫଗାନିସ୍ତାନ ବାୟୁସେନା ସୋମବାର ବିଳମ୍ବିତ ରାତ୍ରିରେ ବିଭିନ୍ନ ସ୍ଥାନରେ ଥିବା ତାଲିବାନ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏଥିରେ ଶତାଧିକ ତାଲିବାନ ପ୍ରାଣ ହରାଇଛନ୍ତି। ଦଣ୍ଡ, ଝେରିଆ, ତଖତାପୋଲ ଏବଂ କାନ୍ଦାହାର ପ୍ରଦେଶରେ ଥିବା ତାଲିବାନ ଶିବିର ଉପରେ ହୋଇଥିବା ଆକ୍ରମଣରେ ୪୭ ଜଣ ତାଲିବାନଙ୍କର ମୃତ୍ୟୁ ଘଟିଛି।

ସେହିଭଳି ହେଲମାଣ୍ଡ ପ୍ରଦେଶରେ ବିମାନ ଆକ୍ରମଣରେ ୩ ତାଲିବାନ କମାଣ୍ଡରଙ୍କ ସମେତ ୧୦ ଜଣ ପ୍ରାଣ ହରାଇଛନ୍ତି। ଲସ୍କର ଗହ ସିଟିରେ ଅନ୍ୟ ଏକ ବିମାନ ଆକ୍ରମଣରେ ୪୭ ଜଣ ତାଲିବାନଙ୍କ ମୃତ୍ୟୁ ଘଟିଛି।


Share It

Comments are closed.