ଆଜିଠୁ ରଣଜୀ ଟ୍ରଫି: ପ୍ରଥମ ରାଉଣ୍ଡ୍ରେ ଖେଳାଯିବ ୧୯ ମ୍ୟାଚ୍
ଦୀର୍ଘ ୨ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଛି । ଗୁରୁବାରରୁ ଭାରତୀୟ କ୍ରିକେଟ୍ର ମେରୁଦଣ୍ଡ ‘ରଣଜୀ ଟ୍ରଫି’ ମ୍ୟାଚ୍ ଖେଳାଯିବ। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେଲା ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା । ଅଭ୍ୟାସ କରିବାକୁ ସୁଯୋଗ ନପାଇ ଘରୋଇ କ୍ରିକେଟ ଖେଳାଳିମାନେ ମନୋବଳ ହରାଇ ବସିଥିଲେ । ବିସିସିଆଇ ରଣଜୀ ସିଜନ ଘୋଷଣା କରିବା ପରଠୁ ଉଦୀୟମାନ ଖେଳାଳିଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇ ଯାଇଛି ।
ଆଜିଠୁ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ୍ ଖେଳାଯିବ । ପ୍ରଥମ ପର୍ଯ୍ୟାୟରେ ୧୯ଟି ମ୍ୟାଚ୍ ରହିଛି । ଡିଫେଣ୍ଡିଂ ଚାମ୍ପିଅନ୍ ସୌରାଷ୍ଟ୍ର ଓ ୪୧ଥର ଚାମ୍ପିଅନ୍ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବା ସ୍ୱାଭାବିକ । ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନକୁ ଦେଖିବାକୁ ଦର୍ଶକଙ୍କ ସହ ଭାରତୀୟ ଦଳର ଚୟନକର୍ତ୍ତା ମଧ୍ୟ ଅପେକ୍ଷା କରି ରହିଛନ୍ତି । ଟେଷ୍ଟ କ୍ରିକେଟ୍ରୁ ଉଭୟଙ୍କ ସମୟ ଶେଷ ହେବାକୁ ଯାଉଥିବା ଅନେକ ମତ ପ୍ରକାଶ ପାଇଛି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ରହିଛି । ଏହି ମ୍ୟାଚ୍ ଉଭୟ ରାହାଣେ ଓ ପୂଜାରାଙ୍କ ଭାଗ୍ୟ ନିର୍ଦ୍ଧରାଣ କରିବ । ମୋଟ୍ ଉପରେ ଏଥର ରଣଜୀ ଟ୍ରଫିରେ ୬୪ଟି ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ୍କୁ ୬୨ ଦିନରେ ଶେଷ କରାଯିବ । ମୋଟ୍ ୩୮ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟେଜନ କରାଯିବ । ମୋଟ ୩୮ଟି ଦଳକୁ ୯ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରଥମ ୮ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ନବମ ଗ୍ରୁପ୍ରେ ରହିଛନ୍ତି ୬ଟି ଦଳ । ପ୍ରଥମ ୮ଟି ଗ୍ରୁପ୍ର ନାମ ‘ଏଲିଟ ଗ୍ରୁପ୍’ ଓ ନବମ ଗ୍ରୁପ୍ର ନାମ ‘ପ୍ଲେଟ୍ ଗ୍ରୁପ୍’ ରଖାଯାଇଛି । ଲିଗ୍ ପର୍ଯ୍ୟାୟ ପାଇଁ ମୋଟ୍ ୯ଟି ଷ୍ଟାଡିୟମ ଚୟନ କରାଯାଇଛି।
ରାଜକୋଟ୍ରେ ଏଲିଟ୍ ଗ୍ରୁପ୍-ଏ, କଟକରେ ଗ୍ରୁପ୍-ବି, ଚେନ୍ନାଇରେ ଗ୍ରୁପ୍-ସି, ଅହମ୍ମଦାବାଦରେ ଗ୍ରୁପ୍-ଡି, ତ୍ରିଭେନ୍ଦ୍ରମରେ ଗ୍ରୁପ୍-ଇ, ଦିଲ୍ଲୀରେ ଗ୍ରୁପ୍-ଏଫ୍, ହରିଆନାରେ ଗ୍ରୁପ୍-ଜି ଓ ଗୌହାଟୀରେ ଗ୍ରୁପ୍-ଏଚ୍ର ସମସ୍ତ ଲିଗ୍ ମୁକାବିଲା ଅନୁଷ୍ଠିତ ହେବ । କୋଲକାତାରେ ପ୍ଲେଟ୍ ଗ୍ରୁପ୍ର ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରତି ଗ୍ରୁପ୍ରେ ସ୍ଥାନ ପାଇଥିବା ଦଳ ଗୁଡ଼ିକ ପାଇଁ ନିଜ ନିଜ ଭେନ୍ୟୁ ନିକଟସ୍ଥ ଅଞ୍ଚଳରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ଅତିକ୍ରମ କରିପାରିବେ ନାହିଁ । ଓଡ଼ିଶା ଦଳ ଏଥର ଅହମ୍ମଦାବାଦରେ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ।
ଏଲିଟ୍ ଗ୍ରୁପ୍ ଡି’ରେ ଓଡ଼ିଶା ସ୍ଥାନ ପାଇଛି । ଗୁରୁବାର ଗୋଆ ବିପକ୍ଷରେ ଓଡ଼ିଶା ଅଭିଯାନ ଆରମ୍ଭ କରିବ । ଏହି ଗ୍ରୁପ୍ରେ ଅନ୍ୟ ଦୁଇ ଦଳ ଭାବେ ମୁମ୍ବାଇ ଓ ସୌରାଷ୍ଟ୍ର ରହିଛନ୍ତି । ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ଓଡ଼ିଶା ଦଳର କୋଚ୍ ରହିଛନ୍ତି । ଓଡ଼ିଶା ଦଳର ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତିଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବା ସ୍ୱାଭାବିକ । ଗତ ଆଇପିଏଲ୍ ନିଲାମରେ ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶୁଙ୍କୁ କିଣିଛି । ରଣଜୀ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଶୁଭ୍ରାଂଶୁ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ ଥିବା ପ୍ରମାଣ କରିବେ ।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସନ୍ଦିପ ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଅଂଶୁମାନ ରଥ, ରାଜେଶ ଧୂପର, ଅନୁରାଗ ଷଡ଼ଙ୍ଗୀ, ରାକେଶ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ପ୍ରଶାନ୍ତ ରଣା, ବସନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣି ସା, ରାଜେଶ ମହାନ୍ତି, ଆଶିଷ ରାଏ, ଜୟନ୍ତ ବେହେରା, ଶୁଭମ ନାୟକ, ପପୁ ରାଏ ।
Comments are closed.