ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା ତାଲିକାର ଦ୍ୱିତୀୟ ସ୍ଥାନରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

Share It

କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ କୀର୍ତ୍ତିମାନକୁ ଭାରତର ଅନ୍ୟତମ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟପିବାରେ ସଫଳ ହୋଇଛନ୍ତି। କପିଳ ଦେବଙ୍କ ୪୩୪ ଟେଷ୍ଟ ୱିକେଟକୁ ଅଶ୍ୱିନ ପଛରେ ପକାଇ ଦେଇଛନ୍ତି। ଏଥିସହିତ ଅଶ୍ୱିନ ୮୫ତମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୩୫ ବର୍ଷୀୟ ଅଶ୍ୱିନ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ମୋହାଲି ଟେଷ୍ଟ ପୂର୍ବରୁ ଅଶ୍ୱିନ ଟେଷ୍ଟ କ୍ରିକେଟରେ ୪୩୦ଟି ୱିକେଟ ନେଇଥିଲେ। କପିଳ ଦେବଙ୍କ କୀର୍ତ୍ତିମାନକୁ ଟପିବା ଲାଗି ଅଶ୍ୱିନଙ୍କୁ ଆଉ ୫ଟି ୱିକେଟ ଆବଶ୍ୟକତା ଥିଲା। ଅଶ୍ୱିନ ପ୍ରଥମ ଇନିଂସରେ ୨ଟି ଓ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ନେଇଥିଲେ। ଏଥିସହିତ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୪୩୬ରେ ପହଞ୍ଚିଛି। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବ ୧୩୧ଟି ଟେଷ୍ଟ ମ୍ୟାଚରୁ ୪୩୪ଟି ୱିକେଟ ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୱିକେଟ ନେବା ତାଲିକାରେ ଅନୀଲ କୁମ୍ବଲେଙ୍କ ୬୧୯ଟି ୱିକେଟ ରହିଛି।


Share It

Comments are closed.