ଓ୍ୱାଙ୍ଖଡେ ଟେଷ୍ଟ ଜିତିଲା ଭାରତ, ସିରିଜ୍ ଉପରେ ବି କଲା କବ୍ଜା
ଓ୍ୱାଙ୍ଖଡେ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଲା ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିନେଲା ବିରାଟ ବାହିନୀ ।
ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍ ପଟେଲ ୧୦ ୱିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ ୱିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କିୱି ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଥିଲା ।
ଦ୍ୱିତୀୟ ଇନିଂସରେ ମଧ୍ୟ କମାଲ କରିଥିଲେ ସ୍ପିନ୍ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ୱିନ । ପ୍ରଥମରୁ ୩ ୱିକେଟ ନେବାସହ ମୋଟ ୪ ଓ୍ୱିକେଟ୍ ନେଇଥିଲେ । ଏପରିକି ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍ ଏବଂ ୱିଲ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍ ଅର୍ଦ୍ଧଶତକ(୬୦ରନ) ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ, ଟମ୍ ବ୍ଲଣ୍ଡେଲ ଖାତା ଖୋଲି ପାରି ନଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।
Comments are closed.