ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗମ୍ଭୀର ଚୟନ କଲେ ଭାରତର ପ୍ଲେଇଙ୍ଗ ଏକାଦଶ


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୫ରୁ ଆରମ୍ଭ ହେବ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏହି ସିରିଜ ସହିତ ଭାରତରେ କୋଭିଡ-୧୯ ମହାମାରୀ ସମୟରେ ଆନ୍ତର୍ଜାତିକ ଖେଳ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଅନ୍ୟପଟେ ଷ୍ଟାଡିୟମଟି ଦର୍ଶକ ଶୂନ୍ୟ ରହିବ ବୋଲି ନିର୍ଣ୍ଣୟ ନିଆଯାଇଛି । ଦୁଇଟି ଦଳ ଏବଂ ଏମାନଙ୍କ ସହ ଜଡିତ ଥିବା ସମସ୍ତ ସଦସ୍ୟ ଜୈବ ବଳୟ ମଧ୍ୟରେ ରହିବେ । ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ପାଇଁ ଦଳରେ କେଉଁମାନେ ପ୍ଲେଇଙ୍ଗ ଏକାଦଶରେ ରହିବେ ତାହାକୁ ନେଇ ଗୌତମ ଗମ୍ଭୀର ନିଜର ରାୟ ରଖିଛନ୍ତି । ଗମ୍ଭୀର ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶର ଚୟନ କରିଛନ୍ତି ।

ଏହି ସିରିଜ ସହିତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଯିଏକି ଅଷ୍ଟ୍ରେଲିଆ ଗସ୍ତ ସମୟରେ ନିଜର ପ୍ରଥମ ମ୍ୟାଚ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ବିରାଟ ଚେନ୍ନାଇରେ ପହଞ୍ଚି ସାରିଛନ୍ତି ଏବଂ ସେ ବର୍ତ୍ତମାନ କ୍ୱାରେଣ୍ଟାଇନ ସମୟ ଅତିବାହିତ କରୁଛନ୍ତି । ରୋହିତ ଏବଂ ଶୁଭମନ ଓପନିଙ୍ଗ କରିବା ପାଇଁ ଗମ୍ଭୀର ମତ ଦେଇଥିବାବେଳେ ଅନ୍ୟପଟେ ଗିଲ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟରେ ପଦାର୍ପଣ କରିଥିଲେ ଓ ସେ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ଖୁବ ପ୍ରଭାବିତ କରିଥିଲେ ।
ତେବେ ଗମ୍ଭୀରଙ୍କ ମତରେ ପ୍ଲେଇଙ୍ଗ ଏକାଦଶ ପାଇଁ ଭାରତୀୟ ଦଳର ଖେଳାଳୀମାନେ ହେଲେ ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କେ ରାହାଣେ, ରିଷଭ ପନ୍ଥ, ଅକସର ପଟେଲ, ରବି ଅଶ୍ୱିନୀ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା , ମହମ୍ମଦ ସିରାଜ । ଗମ୍ଭୀରଙ୍କ ଏହି ପ୍ଲେଇଙ୍ଗ ଏକାଦଶରେ ହାର୍ଦ୍ଦିକ ପାଣ୍ଡିଆ, ମୟଙ୍କ ଅଗ୍ରୱାଲ, ୱାଶିଙ୍ଗଟନ ସୁନ୍ଦର, ଇଶାନ୍ତ ଶର୍ମା ଏବଂ ଶର୍ଦ୍ଧାଲ ଠାକୁରଙ୍କୁ ସ୍ଥାନ ମିଳି ନାହିଁ ।


Share It

Comments are closed.