ଆମେରିକା ଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ

Share It

ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଯାଇ କେନ୍ଦ୍ର ସରକାର ଆମେରିକାଠାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଆମେରିକା ସହିତ ଏ ସମ୍ପର୍କରେ ଦୀର୍ଘମାସ ଆଲୋଚନା ସହିତ ଆଭ୍ୟନ୍ତରୀଣ ସ୍ତରରେ ଆଲୋଚନା ପରେ ଭାରତର ପ୍ରତିରକ୍ଷା ବିଭାଗ ଏହି ଏମକ୍ୟୁ-୧ ପ୍ରିଡେଟର ଡ୍ରୋନ କିଣିବାକୁ ସ୍ଥିର କରିଛି । ଏହି ଚାଳକ ବିହୀନ ବିମାନ କ୍ଷେପଣାସ୍ତ୍ର ବହନ କରିବାକୁ ସମର୍ଥ । ଏହା ଦେଶର ସୀମାରେଖାକୁ ସୁରକ୍ଷା ପ୍ରଦାନ କରିବାର ଫଳପ୍ରଦ ହେବ ବୋଲି କୁହାଯାଇଛି ।
ଭାରତର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପରିଷଦର ମୁଖ୍ୟ ତଥା ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନି ବାହିନୀର ଉପମୁଖ୍ୟ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏହି ପ୍ରିଡେଟର କ୍ରୟକୁ ମଞ୍ଜୁରି ପ୍ରଦାନ କରିବା ଆଶା କରାଯାଉଛି । ଏହି ୩୦ଟି ଡ୍ରୋନ ମଧ୍ୟରୁ ୧୦ଟି ଡ୍ରୋନରେ ହେଲଫାୟାର କ୍ଷେପଣାସ୍ତ୍ର ଖଞ୍ଜାଯାଇ ତାହାକୁ ତିନି ବାହିନୀକୁ ହସ୍ତାନ୍ତର କରାଯିବ । ସବୁସ୍ତରରୁ ଅନୁମୋଦନ ମିଳିବା ପରେ ତାହା କ୍ରୟ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ନିକଟରେ ଉପସ୍ଥାପନ କରାଯିବ । ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହିତ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକୁ ଲକ୍ଷ୍ୟ ଭେଦ କରିବାରେ ସଫଳ ହେବ ବୋଲି କୁହାଯାଉଛି । ଏଗୁଡିକ ଆମେରିକା ନିକଟରୁ ଖରିଦ କରାଯିବା ପରେ ଭାରତରେ ତାହାର ରକ୍ଷଣାବେକ୍ଷଣ ଓ ମରାମତି ବ୍ୟବସ୍ଥାର ବିକାଶ କରାଯିବ । ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରକୁ ଭାରତ ଭଳି ଏକ ଅଣ ନାଟୋ ରାଷ୍ଟ୍ରକୁ ବିକ୍ରି କରିବାକୁ ରାଜି ହୋଇଛି । ଏହା ଦୀର୍ଘସମୟ ପର୍ଯ୍ୟନ୍ତ ୨୦ ହଜାର ଫୁଟ ଉଚ୍ଚତାରେ ଉଡାଣ କରିପାରିବ ଏବଂ ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୨୦୦ କିଲୋମଟର ରହିଛି । ଏକ ସମୟରେ ଏହା ଦୁଇଟି ହେଲଫାୟାର କ୍ଷେପଣାସ୍ତ୍ର ବହନ କରିପାରିବ । ଏ ବାବଦରେ ଭାରତ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାଯାଇଛି ।


Share It

Comments are closed.