ଭୟଙ୍କର ହେଉଛି କରୋନା ସଂକ୍ରମଣ, ପ୍ରତି ମିନିଟରେ ଯାଉଛି ୨ ଜଣଙ୍କ ଜୀବନ

Share It

ଦେଶରେ କରୋନା ସଂକ୍ରମଣ ସୁନାମୀ ଭଳି ମାଡ଼ିଚାଲିଛି । ଭାରତରେ ପ୍ରତି ମିନିଟ୍‌ରେ ୨୪୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି । ସେହିଭଳି ଗୋଟିଏ ମିନିଟ୍‌ରେ ପ୍ରାୟ ୨ ଜଣ (୧.୯ ଜଣ) ପ୍ରାଣ ହରାଉଛନ୍ତି । ଏଥିରୁ ଜଣାପଡ଼ୁଛି କେତେ ଭୟଙ୍କର ରୂପ ନେଇଛି କରୋନାର ଦ୍ୱିତୀୟ ଲହରୀ । ଲଗାତାର ଚତୁର୍ଥ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଛି । ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଏହି ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୪୯,୬୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୨,୭୬୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଏହି ସମୟରେ ୨,୧୭,୧୧୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଭାରତରେ ପ୍ରତି ମିନିଟ୍‌ରେ ୧,୧୯୪ଟି ନମୁନା ପରୀକ୍ଷା କରାଯାଉଛି । ଗତ ୩ ଦିନରେ ଭାରତରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ଯାହାକି ଚିନ୍ତାର ବିଷୟ । କିଛିମାସ ପୂର୍ବରୁ ୧୦ ଲକ୍ଷ ସଂକ୍ରମିତ ହେବା ଲାଗି ୬୫ ଦିନ ସମୟ ଲାଗୁଥିଲା । ଏପରିକି ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ଲହରୀ ଯେତେବେଳେ ଶୀର୍ଷସ୍ତରରେ ରହିଥିଲା ସେତେବେଳେ ମଧ୍ୟ ୧୦ ଲକ୍ଷ ସଂକ୍ରମଣ ଚିହ୍ନଟ ହେବାକୁ ୧୧ ଦିନ ସମୟ ଲାଗିଥିଲା । ସେହିଭଳି ଗତ ଦୁଇମାସରେ ସକ୍ରିୟ ମାମଲା ସଂଖ୍ୟା ୧୫ ଗୁଣ ବଢ଼ିଛି । ଫେବ୍ରୁଆରୀ ମଧ୍ୟଭାଗରେ ସକ୍ରିୟ ରୋଗୀ ସଂଖ୍ୟା ଥିଲା ୧.୩ ଲକ୍ଷ । ବର୍ତ୍ତମାନ ତାହା ୨୬ ଲକ୍ଷ ଅତିକ୍ରମ କରିଛି । ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ୨୬ ପ୍ରତିଶତ ସକ୍ରିୟ ରୋଗୀ ରହିଥିଲା ବେଳେ ଏହା ତଳକୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ କେରଳ ଅଛନ୍ତି । ସଂକ୍ରମିତଙ୍କ ସଂଖ୍ୟ ଦ୍ରୁତଗତିରେ ବଢ଼ୁଥିବାରୁ ହସ୍ପିଟାଲରେ ଆଇସିୟୁ ବେଡ୍‌, ଅକ୍ସିଜେନ ଓ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ବଢ଼ିଛି । ଗତ ସପ୍ତାହରେ ଭାରତ ବିଶ୍ୱରେ ୩୦ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ଯୋଡିଥିବା ପରିସଂଖ୍ୟାନରୁ ଜଣାପଡିଛି ।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୧,୬୯,୬୦,୧୭୨କୁ ବୃଦ୍ଧି ପାଇଛି । ସେଥିରୁ ୧,୪୦,୮୫,୧୧୦ ଜଣ ଆରୋଗ୍ୟ ହୋଇସାରିଥିଲା ବେଳେ ୧,୯୨,୩୧୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ଏବେ ସକ୍ରିୟ ରୋଗୀସଂଖ୍ୟା ରହିଛି ୨୬,୮୨,୭୫୧ । ସକ୍ରିୟ ମାମଲା ମଧ୍ୟରୁ ୮ଟି ରାଜ୍ୟରେ ୬୯.୯୪ ଧ ରହିଛି । ସେହିଭଳି ନୂଆ ମୃ୍‌ତ୍ୟୁ ମାମଲା ମଧ୍ୟରୁ ୧୦ଟି ରାଜ୍ୟରେ ୮୦.୨୩ ଧ ରହିଛି । ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ଆଦୌ ମୃତ୍ୟୁ ଘଟିନାହିଁ । ଗତବର୍ଷ ଡିସେମ୍ବର ୨୯ରେ ଭାରତରେ ସଂକ୍ରମଣ ସଂଖ୍ୟା ୧ କୋଟି ଟପିଥିଲା । ଗତ ଏପ୍ରିଲ ୧୯ରେ ଏହି ସଂଖ୍ୟା ୧.୫ କୋଟି ପାର୍‌ ହୋଇଛି । ଅନ୍ୟପକ୍ଷରେ ଭାରତରେ ଏପର୍ଯ୍ୟନ୍ତ ୧୪ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆଗଲାଣି । ୯୯ ଦିନରେ ଏହି ଟିକା ଦିଆଯାଇଛି । ଯାହାଫଳରେ ଭାରତ ବିଶ୍ୱରେ ଦ୍ରୁତ ଟିକା ପ୍ରଦାନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ।

ସେପଟେ ଦେଶରେ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ ଦେଶରେ ୫୫୧ଟି ନୂଆ ପିଏସ୍‌ଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ଥିବା ସରକାରୀ ହସ୍ପିଟାଲରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିପାଇଁ ପିଏମ୍‌ କେୟାର ଫଣ୍ଡରୁ ଅନୁଦାନ ଯୋଗାଇ ଦିଆଯିବ । ଦେଶର ବିଭିନ୍ନ ସରକାରୀ ହସ୍ପିଟାଲରେ ୧୬୨ଟି ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ଲାଗି ପୂର୍ବରୁ ଚଳିତବର୍ଷ ପିଏମ୍‌ କେୟାର ପାଣ୍ଠିରୁ ୨୦୧.୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଇତିମଧ୍ୟରେ କେନ୍ଦ୍ର ସରକାର ତରଳିକୃତ ଅକ୍ସିଜେନକୁ କେବଳ ମେଡିକାଲ କାର୍ଯ୍ୟରେ ବ୍ୟବହାର ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନକରିବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁସବୁ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ରହିଛି ସେଠାରେ ଉତ୍ପାଦନ ବଢ଼ାଇବା ସହିତ ବର୍ତ୍ତମାନ ଗଚ୍ଛିତ ରହିଥିବା ଅକ୍ସିଜେନକୁ କେବଳ ମେଡିକାଲ କାର୍ଯ୍ୟରେ ବ୍ୟବହାର କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।


Share It

Comments are closed.