ଆଫଗାନିସ୍ଥାନରେ ଭୟଙ୍କର ସ୍ଥିତି, ବାୟୁ ସେନାର C-17 ଗ୍ଲୋବମାଷ୍ଟର ବିମାନରେ ଫେରୁଛନ୍ତି ଭାରତୀୟ ଦୂତବାସର ସମସ୍ତ କର୍ମଚାରୀ
ତାଲିବାନ୍ କବଜାରେ ଆଫଗାନିସ୍ତାନ। ବର୍ତ୍ତମାନ ଆଫଗାନିସ୍ତାନରେ ଭୟାବହ ସ୍ଥିତି। ତାଲିବାନର ଅତ୍ୟାଚାରକୁ ନଜରରେ ରଖି ଆଫଗାନୀବାସୀ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତବାସର ସମସ୍ତ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସନୋ ବିମାନ ଆଫଗାନିସ୍ତାନରେ ପହଁଞ୍ଚିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦୂତବାସର ସମସ୍ତ କର୍ମଚାରୀ ଭାରତୀୟ ବାୟୁସେନା ବିମାନ ଯୋଗେ ଭାରତ ଫେରୁଥିବା ସୂଚନା ରହିଛି। ସମସ୍ତ ଜରୁରୀ କାଗଜ ପତ୍ରକୁ ସାଥିରେ ଧରି କାବୁଲ ବିମାନ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବିମାନ। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଉଛି। ଦିନ ୧ଟାରେ ବାୟୁ ସେନା ବିମାନଟି ହଂଡନ ଏୟାରବେସରେ ପହଁଞ୍ଚିବ ବୋଲି ଆକଳନ କରାଯାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କାବୁଲରେ ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଛି। ଯାହାକୁ ନଜରରେ ରଖି ଭାରତୀୟ ଦୂତବାସ କାର୍ଯ୍ୟାଳୟକୁ ସୋମବାରଠୁ ବନ୍ଦ କରାଯାଇଥିଲା। ଭାରତୀୟ ଅଧିକାରୀ ସ୍ୱଦେଶ ଫେରିବା ପରେ ଆଫଗାନ୍ କର୍ମଚାରୀ କାର୍ଯ୍ୟାଳୟ ଦାୟିତ୍ୱ ସମ୍ଭାଳିବେ ବୋଲି ସୂଚନା ରହିଛି। ଭାରତୀୟ ବାୟୁ ସେନା ବିମାନ ସି-୧୭ ଗ୍ଲୋବମାଷ୍ଟର କାବୁଲରେ ପହଁଞ୍ଚି ଦୂତବାସ କର୍ମଚାରୀ ଓ ଭାରତୀୟ ନାଗରିକଙ୍କୁ ନେଇ କାବୁଲରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି।
ଖବର ସରବରାହ ସଂସ୍ଥା ANIରେ ପ୍ରକାଶିତ ଏକ ଖବର ଅନୁଯାୟୀ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସମସ୍ତଙ୍କୁ ଭାରତ ଫେରାଇ ଆଣିବାକୁ ଭାରତ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ସେହିପରି ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ପାଖାପାଖି ୧୨୦ ଜଣ ଭାରତୀୟ ଫସି ରହିଛନ୍ତି। ସମସ୍ତଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଭାରତ ଅଣାଯିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।
Comments are closed.