ମହିଳା-ନେତୃତ୍ୱାଧୀନ କୃଷକ ଉତ୍ପାଦକ କମ୍ପାନୀ: ଜୀବିକା ଓ ଖାଦ୍ୟ ପ୍ରଣାଳୀକୁ ପରିବର୍ତନ କରୁଛନ୍ତି
ଦିପ୍ତୀ ସକ୍ସେନା ଓ ରଞ୍ଜିତା ପୁଷ୍କରଙ୍କ ଦ୍ୱାରା ଲିଖିତ
ମହିଳାମାନେ ହେଉଛନ୍ତି କୃଷିର ମେରୁଦଣ୍ଡ । ତଥାପି ସମାଜିକ, ଲିଙ୍ଗଗତ ମାନଦଣ୍ଡ ଓ ଆନୁଷ୍ଠାନିକ ପ୍ରତିବଦ୍ଧକ ଯୋଗୁଁ ସେମାନଙ୍କୁ କୃଷକ ଭାବେ ସ୍ୱୀକୃତି ମିଳୁନାହିଁ, ସେମାନଙ୍କ ନିକଟରେ ବିନିଯୋଗ (ସାର, କୀଟନାଶକ, ଉନ୍ନତ ବିହନ), ସେବା (ବିସ୍ତାର ଓ ପରାମର୍ଶଭିତିକ ସେବା, ପ୍ରଶିକ୍ଷଣ, ଯାନ୍ତ୍ରିକୀକରଣ), ବଜାର ଯୋଗାଯୋଗ ଓ ବଜାରରେ ମୂଲଚାଲ କରିବାର ଶକ୍ତି ଭଳି ଉତ୍ପାଦକ ଉତ୍ସଗୁଡିକ ପାଇଁ ସୀମିତ ପହଂଚ ରହିଛି । କ୍ଷୁଦ୍ରଚାଷୀ ପରିବାରଗୁଡିକ ନିକଟରେ ଉତ୍ପାଦନ, ପ୍ରକ୍ରିୟାକରଣ ଓ ମାର୍କେଟିଙ୍ଗ୍ କ୍ଷେତ୍ରରେ ଅର୍ଥନୈତିକ ଲାଭ ପାଇବା ପାଇଁ ବୃହତ୍ ବଜାର ଯୋଗ୍ୟ ବଳକା ଅଂଶ ନଥାଏ ।
ଏହି ଆହ୍ୱାନର ମୁକାବିଲା କରିବା ପାଇଁ କୃଷକ ସଂଗଠନଗୁଡିକ ଏକ ପ୍ରଭାବୀ ବ୍ୟବସ୍ଥା ରୂପେ ପରିଚିତ । କୃଷି ଓ ଗ୍ରାମୀଣ ସମବାୟ ସମିତିଗୁଡିକ ଅନେକ ଦଶନ୍ଧି ହେବ ରହିଛନ୍ତି । ଫାର୍ମର୍ ପ୍ରଡ୍ୟୁସର କମ୍ପାନୀ (ଏଫ୍ପିସି)ଗୁଡିକ ଏକ ନୂତନ ପିଢିର କୃଷି ସଂଗଠନ ଭାବେ କଳ୍ପିତ ହୋଇଥିଲେ ଯେଉଁମାନେ କି ଭାରତୀୟ କମ୍ପାନୀ ଆଇନ୍ ଅଧିନରେ ପଞ୍ଜୀକୃତ ବ୍ୟବସାୟିକ ସଂସ୍ଥା ଅଟନ୍ତି ଏବଂ ନିଜ ସଦସ୍ୟମାନଙ୍କ ମଧ୍ୟରେ ଲାଭ ଅର୍ଜନ କରିବା ଓ ବାଂଟିବା ପାଇଁ ଏକ ସୁଦୃଢ ବ୍ୟବସାୟ ଯୋଜନା ସହିତ ପରିଚାଳନା କରୁଛନ୍ତି ।
ଆର୍ଥିକ ଓ ଉତ୍ପାଦକ ସମ୍ପତି ପାଇଁ ପହଂଚ ବ୍ୟବସ୍ଥା କରି ମହିଳା ସଂଗଠକମାନେ କିଭଳି ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିଥିଲେ ତାହା ଦର୍ଶାଇବା ଲାଗି ଏଭଳି ଅନେକ ପ୍ରମାଣ ରହିଛି । କୃଷି କ୍ଷେତ୍ରକୁ ପରିବର୍ତନ କରିବା ଲାଗି କୃଷି ସଂଗଠନଗୁଡିକ ପାଇଁ ଅନେକ ସମ୍ଭାବନା ରହିଥିବା ବେଳେ ସେମାନେ ସାଧାରଣତଃ କମ୍ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହି ଆହ୍ୱାନଗୁଡିକ ମୁଖ୍ୟତଃ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡିକ ପାଇଁ ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ ହୋଇଛି କାରଣ ମହିଳାମାନେ ସୀମିତ ସମ୍ପତି ଓ ଜମି ମାଲିକାନା, ଋଣ ପାଇଁ ପହଂଚ, ସେମାନଙ୍କ ଗତିବିଧି ଉପରେ କଟକଣା ଲଗାଉଥିବା ସାମାଜିକ ମାନଦଣ୍ଡ, ବଜାର ଯୋଗାଯୋଗ , ପରାମର୍ଶଦାତା ସେବା ଓ ଟେକ୍ନୋଲୋଜିଗୁଡିକ ପାଇଁ ପହଂଚ କ୍ଷେତ୍ରରେ ଲିଙ୍ଗଗତ ଅନ୍ତର ଆଦି ଅତିରିକ୍ତ ଆହ୍ୱାନଗୁଡିକର ସାମ୍ନା କରୁଛନ୍ତି । କାର୍ଯ୍ୟକ୍ଷମ ଏଫ୍ପିସିଗୁଡିକୁ ବଜାୟ ରଖିବା ପାଇଁ ବ୍ୟବସାୟରେ ବୃଦ୍ଧି ଓ ପରିମାଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ମଲ୍ଟି-କମୋଡିଟି ଓ ମଲ୍ଟି-ବିଜ୍ନେସ୍ ମଡେଲ୍ଗୁଡିକର ଅର୍ଥ ହେଉଛି ବୃହତ୍ ପୁଞ୍ଜୀକରଣ, ସଂଖ୍ୟା ଓ ରାଜସ୍ୱ ସୃଷ୍ଟି କରୁଥିବା ବିଶାଳ ଓ ବାରମ୍ବାର ସଂଗଠିତ ଟ୍ରାଞ୍ଜାକ୍ସନ ।
ଇଂଟରନ୍ୟାଶନାଲ ରାଇସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଆଇଆର୍ଆର୍ଆଇ) ରାଜ୍ୟରେ ମହିଳା ଏଫ୍ପିସିୁଡିକର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ମଡେଲ୍ଗୁଡିକର ଶୁଭାରମ୍ଭରେ ନିୟୋଜିତ ରହିଛି । ଏହା ଓଡିଶା ସରକାରଙ୍କ ଦ୍ୱାରା ସମର୍ଥିତ କଳାହାଣ୍ଡି ଜିଲ୍ଲାରେ ୩୦୦୦ ମହିଳା ଚାଷୀଙ୍କ ସହ ଏକ ଗ୍ରାମୀଣ ମହିଳା-ଉତ୍ପାଦକ ଉଦ୍ୟୋଗ ସ୍ଥାପନ କରିବା ଲାଗି ୨୦୧୮ରେ ଆକ୍ସେସ୍ ଲାଇଭ୍ଲିହୁଡ୍ସ କନ୍ସଲ୍ଟିଙ୍ଗ୍ ଇଣ୍ଡିଆ ସହିତ ସହଭାଗିତା କରିଥିଲା । ଏହି ପଦେକ୍ଷପ ମହିଳା କୃଷକମାନଙ୍କର ଆୟକୁ ଦୁଇଗୁଣ କରିବା ଏବଂ କୃଷି-ବ୍ୟବସାୟୁଡିକୁ ଲାଭଦାୟକ ଓ ସ୍ଥାୟୀ ଭାବରେ ପ୍ରତିଷ୍ଠା ଓ ପରିଚାଳନା କରିବା ପାଇଁ ପରବର୍ତୀ ପିଢିର ଗ୍ରାମୀଣ ମହିଳା ନେତ୍ରୀମାନଙ୍କୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛି ।
ବର୍ତମାନ କଳାହାଣ୍ଡିର ଧର୍ମଗଡ ଓ କୋକସରା ବ୍ଲକ୍ରେ ପରିଚାଳନା କରୁଥିବା “ଆଦର୍ଶ ଧର୍ମଗଡ ଓମେନ୍ ଫାର୍ମର୍ସ ସର୍ଭିସେସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ (ଏଡିଡବ୍ଲ୍ୟୁଏଫ୍ଏସ୍ପିସିଏଲ୍)ର ୧୭.୪୨ ଲକ୍ଷ ଟଙ୍କାର ଏକ ଅଂଶଧନ ପୁଞ୍ଜି ସହିତ ୧୭୫୧ ଜଣ ସଦସ୍ୟ ରହିଛନ୍ତି । ବୃତିଗତ ପରିଚାଳନା ଅଧୀନରେ ଏହି କମ୍ପାନୀ ବ୍ୟବସାୟିକ ସମ୍ଭାବ୍ୟତାର ବ୍ୟବସ୍ଥିତ ମୂଲ୍ୟାଙ୍କନ ଉପରେ ଆଧାରିତ ଉଦ୍ୟୋଗ ବିକାଶ ଯୋଜନା ଦ୍ୱାରା ପରିଚାଳିତ ଅଣୁ-ଉଦ୍ୟୋଗଗୁଡିକର ସ୍ଥାପନା କରୁଛି । ଡବ୍ଲ୍ୟୁଏଫ୍ପିସି ବର୍ତମାନ ନିଜ ସମୁଦାୟଗୁଡିକରେ ଧାନ ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ, ପ୍ରମାଣୀକରଣ, ବ୍ରାଣ୍ଡେଡ୍ ଓ ସାର୍ଟିଫାଏଡ୍ ଧାନ ବିହନର ମାର୍କେଟିଙ୍ଗ୍ ସହ ଇନ୍ପୁଟ୍ ବ୍ୟବସାୟ ଓ ଗ୍ରୋସରୀ ବିକ୍ରିରେ ନିୟୋଜିତ ରହିଛି । ସେମାନେ ଖୁବ୍ଶୀଘ୍ର ଶସ୍ୟ ଓ କୁକୁଡା ଚାଷ କ୍ଷେତ୍ରରେ ପ୍ରବେଶ କରିବେ ।
ଏଡିଡବ୍ଲ୍ୟୁଏଫ୍ଏସ୍ପିସିଏଲ୍ ଚାଉଳ କିସମ (ଏମ୍ଟିୟୁ-୧୧୫୬, ବିନା ଧାନ ୧୧, ପୁଜା ଇତ୍ୟାଦି) ପାଇଁ ସଫଳତାର ସହିତ ଓଡିଶା ଷ୍ଟେଟ୍ ସିଡ୍ ଆଣ୍ଡ ଅର୍ଗାନିକ୍ ପ୍ରଡକ୍ଟସ ସାର୍ଟିଫିକେଶନ ଏଜେନ୍ସି (ଓଏସ୍ଏସ୍ଓପିସିଏ)ଠାରୁ ବିହନ ପ୍ରମାଣପତ୍ର ହାସଲ କରିବା ସହିତ ଏପ୍ରିଲ ୨୦୨୦ରେ ୧୫ ଲକ୍ଷ ଟଙ୍କାର ନିବେଶ ସହିତ ଏକ ଧାନ ବିହନ ପ୍ରକ୍ରିୟାକରଣ ୟୁନିଟ୍ର ପ୍ରତିଷ୍ଠା ମଧ୍ୟ କରିଛି । ୬ ଜଣ ମହିଳା ଓ ଜଣେ ପୁରୁଷଙ୍କ ଦ୍ୱାରା ପରିଚାଳିତ ଏହି ୟୁନିଟ୍ ପ୍ରତି ଘଂଟାରେ ଦୁଇ ଟନ୍ର ବିହନ ପ୍ରୋସେସ୍ କରିପାରିଥାଏ । ବିହନଗୁଡିକୁ ‘କ୍ରେୟୋ’ ବ୍ରାଣ୍ଡ ଅଧୀନରେ ବଜାରକୁ ଛଡାଯାଉଛି । ଏହି ଏଫ୍ପିସି ୨୦୨୦ରେ ରବି ବିହନ ପ୍ରକ୍ରିୟାକରଣ ପାଇଁ ନବକିଶାନଠାରୁ ୬୫ ଲକ୍ଷ ଟଙ୍କାର ଋଣ ହାସଲ କରିଛି ଏବଂ ନିଜ ଏଫ୍ପିସି ପାଇଁ ପାଣ୍ଠି ସଂଗ୍ରହ କରିବା ଲାଗି ଅନ୍ୟାନ୍ୟ ସ୍ଥାନୀୟ ଆର୍ଥିକ ସଂସ୍ଥାଗୁଡିକର ଅନୁସନ୍ଧାନ କରୁଛି । ଏହା ଦର୍ଶାଉଛି ଯେ, କିଭଳି ଏହି ଏଫ୍ପିସି କ୍ଷୁଦ୍ର ଓ ଅଦରକାରୀ ମହିଳା ଚାଷୀମାନଙ୍କ ଋଣ-ମୂଲ୍ୟ ବୃଦ୍ଧିକୁ ସଫଳତାର ସହିତ ପରିଚାଳନା କରୁଛି ।
କୋଭିଡ୍-୧୯ ମହାମାରୀ ସମୟରେ ଏହି ଏଫ୍ପିସିର ଖୁଚୁରା ସେବା ୨୦୦୦ ସଦସ୍ୟ ଓ ଅଣସଦସ୍ୟଙ୍କ ଘରକୁ ଖାଦ୍ୟ ସାମଗ୍ରୀ ଯୋଗାଣ କରିଥିଲା । ୭୧୩ ଜଣ ଏଫ୍ପିସି ସଦସ୍ୟ ଖରିଫ୍ ୨୦୨୦ ଫସଲ ପାଇଁ ଇନ୍ପୁଟ୍ ହାସଲ କରିଥିଲେ । ଏହି ଏଫ୍ପିସି ୨୦୧୯-୨୦ରେ ୨୬୭୨ କ୍ୱିଂଟାଲର ବିହନର ପ୍ରକ୍ରିୟାକରଣ କରିଥିଲା ଏବଂ ୨୦୨୦ରେ ବିହନ ବ୍ୟବସାୟରୁ ୧୪୧୨୮୩ ଟଙ୍କା ଏବଂ ଖାଦ୍ୟ ସାମଗ୍ରୀ ବିକ୍ରିରୁ ୪୧୦୦୦ ଟଙ୍କାର ଲାଭ ହାସଲ କରିଥିଲା ।
ଅନ୍ୟ ଏକ ଅଭିଯାନରେ ଆଇଆର୍ଆର୍ଆଇ ଆଇସିଏଆର୍-ସେଂଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓମେନ୍ ଇନ୍ ଆଗ୍ରିକଲ୍ଚର (ସିଆଇଡବ୍ଲ୍ୟୁଏ), ଭୁବନେଶ୍ୱର ସହିତ ସହଭାଗିତାରେ ୨୦୨୧ରେ ଏକ ଧାନ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବା ପାଇଁ ୧୦୦୦ରୁ ଅଧିକ ମହିଳା ଅଂଶଧାରକଙ୍କ ସହିତ କୋରାପୁଟ୍ରେ ପ୍ରଗତି ଦ୍ୱାରା ସ୍ଥାପିତ ‘ଚିତ୍ରିଡୋରା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍, କୋଟପାଡ୍,’କୁ ସମର୍ଥନ କରିଛି । କଳାଜୀରା, ବାସୁଭୋଗ, ଗୋବିନ୍ଦଭୋଗ, ଗୀତାଞ୍ଜଳି, ସମୁଦ୍ରବାଲି, ଲାଲ୍ବାଦ୍ଶାହ, ଧଳାମାଳି, ଏଚ୍ଏମ୍ଟି, ବିନା ଧାନ ୧୧, ସହଭାଗିଧାନ ଭଳି ଅର୍ଗାନିକ୍ ଓ ସୁଗନ୍ଧିତ ଚାଉଳ କିସମଗୁଡିକର ଉତ୍ପାଦନ ଓ ପ୍ରକ୍ରିୟାକରଣରେ ବର୍ତମାନ ପ୍ରାୟ ୩୦୦୦ ମହିଳା ନିୟୋଜିତ ଅଛନ୍ତି । ରାଇସ୍ ମିଲ୍ର ପ୍ରକ୍ରିୟାକରଣ କ୍ଷମତା ୦.୫ ଟନ୍/ଘଂଟା ରହିଛି ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଡବ୍ଲ୍ୟୁପିଏପ୍ସି ଦ୍ୱାରା ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯାଉଛି । ଡବ୍ଲ୍ୟୁପିଏଫ୍ସି ଅନ୍ୟାନ୍ୟ ବ୍ୟବସାୟ ଯେପରିକି କୁକୁଡା ଚାଷ, ଛେଳି ଚାଷ ଓ ମାଛ ଉତ୍ପାଦନ ଆଦିରେ ଶୀଘ୍ର ପ୍ରବେଶ କରିବା ପାଇଁ ଯୋଜନା ରଖିଛି ।
ଏଫ୍ପିସିଗୁଡିକର ସଫଳତାର ପ୍ରଭାବୀ ଓ ଗଭୀର ସୁଗମ ସର୍ହାତା, ଦୀର୍ଘ ବର୍ଷର ଓ ଉଚ୍ଚ ରାଜସ୍ୱ ପାଇଁ ଆବଶ୍ୟକ ସଂଖ୍ୟା ସୃଷ୍ଟି କରିବା ଲାଗି ବିବିଧ ବ୍ୟବସାୟ ଓ ସେବା ପୋର୍ଟଫୋଲିଓ, ଆବଶ୍ୟକୀୟ ଓ ପ୍ରାସଙ୍ଗିକ ନୂତନ ଜ୍ଞାନ , ଟେକ୍ନୋଲୋଜି, ସୂଚନା ଓ କୌଶଳ ପାଇଁ ପହଂଚ, ଋଣ ଓ ବୀମା ଭଳି ସେବା ହାସଲ କରିବା ପାଇଁ ଆନୁଷ୍ଠାନିକ ଯୋଗାଯୋଗ ଏବଂ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ନିର୍ଭର କରିଥାଏ । ସଫଳ ଏଫ୍ପିସିଗୁଡିକଠାରୁ ଶିଖିବା ପାଇଁ ସୁଯୋଗ ପ୍ରଦାନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗ୍ରାମାଂଚଳ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ପାଇଁ ଯୋଗଦାନ ଦେବା ଲାଗି ଏଫ୍ପିସିଗୁଡିକର ସ୍ଥାୟୀ ପରିଚାଳନା ପାଇଁ ଆର୍ଥିକ ଦକ୍ଷତା ଓ ସ୍ଥିରତା ଗୁରୁତ୍ୱପୂର୍ଣ୍ଣ ଅଟେ ।
Comments are closed.