ଟି-୨୦ ବିଶ୍ୱକପ୍ ୨୦୨୬: ଚାମ୍ପିୟନ୍ ହେବା ପରେ ଭାରତ ଉପରେ ପଇସା ବର୍ଷା, ଜାଣନ୍ତୁ କେତେ କୋଟି ମିଳିଲା?

Share It

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟିମ୍ ଇଣ୍ଡିଆ କେବଳ ଐତିହାସିକ ଟାଇଟଲ୍ ଜିତିନାହିଁ, ବରଂ ଏହା ସହିତ କୋଟି କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ନିଜ ନାମରେ କରିଛି। ଏଥର ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନ୍ସିଲ୍ (ଆଇସିସି) ପକ୍ଷରୁ ଟି-୨୦ ବିଶ୍ୱକପ୍ ପାଇଁ ଏକ ରେକର୍ଡ ପରିମାଣର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ରାଶି ଥିଲା ୧୩.୫ ମିଲିୟନ୍ ଡଲାର (ଅର୍ଥାତ୍ ପ୍ରାୟ ୧୨୦ କୋଟି ଟଙ୍କା), ଯାହାକି ୨୦୨୪ ବିଶ୍ୱକପ୍ ତୁଳନାରେ ୨୦ ପ୍ରତିଶତ ଅଧିକ।

ବିଜେତା ଓ ଉପ-ବିଜେତାଙ୍କୁ କେତେ ମିଳିଲା? ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହେବା ସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ସର୍ବାଧିକ ଅର୍ଥରାଶି ମିଳିଛି। ଟ୍ରଫି ଉଠାଇବା ସହ ଭାରତୀୟ ଦଳକୁ ପ୍ରାୟ ୨୭.୪୮ କୋଟି ଟଙ୍କା (୩ ମିଲିୟନ୍ ଡଲାର) ର ବିପୁଳ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଫାଇନାଲରେ ପରାସ୍ତ ହୋଇ ରନର୍ସ-ଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଖାଲି ହାତରେ ଫେରିନାହିଁ। ସେମାନଙ୍କୁ ପ୍ରାୟ ୧୪.୬୫ କୋଟି ଟଙ୍କା (୧.୬ ମିଲିୟନ୍ ଡଲାର) ପୁରସ୍କାର ଆକାରରେ ମିଳିଛି।

ଅନ୍ୟ ଦଳଗୁଡ଼ିକ ପାଇଁ ପୁରସ୍କାର ବ୍ୟବସ୍ଥା ଆଇସିସି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ୨୦ଟି ଦଳ ପାଇଁ କିଛି ନା କିଛି ପୁରସ୍କାର ରାଶି ରଖିଥିଲା। ତେଣୁ ସେମିଫାଇନାଲ୍ ଏବଂ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଦଳଗୁଡ଼ିକୁ ମଧ୍ୟ ଅର୍ଥରାଶି ଦିଆଯାଇଛି:

  • ସେମିଫାଇନାଲ୍‌ରେ ହାରିଥିବା ଦଳ: ସେମିଫାଇନାଲରୁ ବିଦାୟ ନେଇଥିବା ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟେକଙ୍କୁ ପ୍ରାୟ ୭.୨୪ କୋଟି ଟଙ୍କା ମିଳିଛି।

  • ସୁପର୍-୮ ଦଳ: ଏହି ପର୍ଯ୍ୟାୟରେ ପହଞ୍ଚିଥିବା ଦଳଗୁଡ଼ିକୁ ପ୍ରାୟ ୩.୪୮ କୋଟି ଟଙ୍କା ଲେଖାଏଁ ମିଳିଛି।

  • ଗ୍ରୁପ୍ ପର୍ଯ୍ୟାୟ: ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଥିବା ଦଳଗୁଡ଼ିକୁ ମଧ୍ୟ ପ୍ରାୟ ୨.୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସଞ୍ଜୁ ଏବଂ ବୁମରାଙ୍କୁ ବ୍ୟକ୍ତିଗତ ପୁରସ୍କାର ଦଳଗତ ପୁରସ୍କାର ବ୍ୟତୀତ ଖେଳାଳିମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ୩୨୧ ରନ୍ ସଂଗ୍ରହ କରି ଶାନଦାର ପ୍ରଦର୍ଶନ କରିଥିବା ଭାରତର ତାରକା ବ୍ୟାଟର ସଞ୍ଜୁ ସାମସନ୍‌ଙ୍କୁ ‘ପ୍ଲେୟାର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଭାବେ ୨୫,୦୦୦ ଡଲାର (ପ୍ରାୟ ୨୧ ଲକ୍ଷ ଟଙ୍କା) ମିଳିଛି। ସେହିପରି ଫାଇନାଲରେ ୪ଟି ୱିକେଟ୍ ନେଇ ଘାତକ ବୋଲିଂ କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ‘ପ୍ଲେୟାର୍ ଅଫ୍ ଦି ମ୍ୟାଚ୍’ ଭାବେ ୧୦,୦୦୦ ଡଲାର (ପ୍ରାୟ ୮.୪ ଲକ୍ଷ ଟଙ୍କା) ପ୍ରଦାନ କରାଯାଇଛି।


Share It

Comments are closed.