ବିଶ୍ୱକପ୍ ଜିତିଲେ ସତ, ହେଲେ ଦଣ୍ଡ ପାଇଲେ ଅର୍ଶଦୀପ; କାହିଁକି ଲାଗିଲା ଜରିମାନା?

Share It

ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଆଇସିସି (ICC) ପକ୍ଷରୁ ବଡ଼ ଝଟକା ଲାଗିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ରେ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି।

ଆଇସିସିର ସୂଚନା ଅନୁସାରେ, ଅର୍ଶଦୀପ ଧାରା ୨.୯ ଉଲ୍ଲଂଘନ କରିଛନ୍ତି, ଯାହା କୌଣସି ଖେଳାଳିଙ୍କ ଉପରକୁ ବିପଜ୍ଜନକ ଭାବେ ବଲ୍ କିମ୍ବା କ୍ରିକେଟ୍ ଉପକରଣ ଫିଙ୍ଗିବା ସହ ଜଡ଼ିତ। ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭରରେ ଅର୍ଶଦୀପଙ୍କ ଏକ ଥ୍ରୋ ସିଧାସଳଖ ଡାରିଲ ମିଚେଲଙ୍କ ଦେହରେ ବାଜିଥିଲା। ପଡ଼ିଆରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପରେ ଦୁଇ ଖେଳାଳି ପରସ୍ପର ସହ ହାତ ମିଳାଇଥିଲେ ଏବଂ ଅର୍ଶଦୀପ ମଧ୍ୟ ମିଚେଲଙ୍କୁ କ୍ଷମା ମାଗିଥିଲେ।

ମ୍ୟାଚ୍ ପରେ ଅର୍ଶଦୀପ କହିଛନ୍ତି, “ମୁଁ ମିଚେଲଙ୍କ ପାଖକୁ ଯାଇ କ୍ଷମା ମାଗିଥିଲି। ମୁଁ ଫିଙ୍ଗିଥିବା ବଲଟି ହଠାତ୍ ସୁଇଂ କରି ତାଙ୍କ ଦେହରେ ବାଜିଥିଲା, ମୁଁ ତାଙ୍କୁ ସ୍ପଷ୍ଟ କରିଥିଲି ଯେ ମୁଁ ଜାଣିଶୁଣି ଏପରି କରିନାହିଁ।” ପରେ ଦୁହିଁଙ୍କୁ ବେଶ୍ ହସଖୁସିରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନକୁ ନେଇ ଅର୍ଶଦୀପ କହିଛନ୍ତି ଯେ, ଆମ ଦଳରେ ଅନେକ ମ୍ୟାଚ୍ ବିଜୟୀ ଖେଳାଳି ଅଛନ୍ତି, ତେଣୁ ଆମର ବିଶ୍ୱାସ ଥିଲା ଯେ ଆମେ ଭଲ ପ୍ରଦର୍ଶନ କରିବୁ। ବିଶ୍ୱକପ୍ ଜିତିବା ପରେ ସେ ବହୁତ ଖୁସି ଅଛନ୍ତି, କିନ୍ତୁ ଏହି ବଡ଼ ସଫଳତାର ଅନୁଭବକୁ ହଜମ କରିବା ପାଇଁ ତାଙ୍କୁ ଆହୁରି ୨-୩ ଦିନ ସମୟ ଲାଗିବ ବୋଲି ସେ ପ୍ରକାଶ କରିଛନ୍ତି।


Share It

Comments are closed.