ଇରାନର ପରମାଣୁ କେନ୍ଦ୍ର ଉପରେ ବଡ଼ ଆକ୍ରମଣ: ନାଟାଞ୍ଜ ସାଇଟ୍ କ୍ଷତିଗ୍ରସ୍ତ ହୋଇଥିବା IAEA ର ସୂଚନା

Share It

ଇରାନ: ଇରାନର ନାଟାଞ୍ଜ (Natanz) ସ୍ଥିତ ପରମାଣୁ କେନ୍ଦ୍ରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ନେଇ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ନିଶ୍ଚିତ କରିଛି। ନିକଟରେ ମିଳିଥିବା ସାଟେଲାଇଟ୍ ଚିତ୍ରଗୁଡ଼ିକୁ ଯାଞ୍ଚ କରିବା ପରେ ମିଳିତ ଜାତିସଂଘର ଏହି ପରମାଣୁ ନିରୀକ୍ଷକ ସଂସ୍ଥା ଏହି ସୂଚନା ଦେଇଛି। ‘ଆଲଜାଜିରା’ର ରିପୋର୍ଟ ଅନୁଯାୟୀ, ପରମାଣୁ କେନ୍ଦ୍ରର ପ୍ରବେଶ ପଥରେ ଥିବା କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ସେଠାରେ ବିକିରଣ (Radiation) ହେବାର କୌଣସି ଚିହ୍ନ ମିଳିନାହିଁ ଏବଂ ମୁଖ୍ୟ ଭୂତଳ ପରମାଣୁ କେନ୍ଦ୍ର ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ୧୨ ଦିନିଆ ଯୁଦ୍ଧ ସମୟରେ ମଧ୍ୟ ଏହି କେନ୍ଦ୍ରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସେହି ସମୟରେ ଆମେରିକା ମଧ୍ୟ ନାଟାଞ୍ଜ ସମେତ ଇରାନର ଅନ୍ୟ ଦୁଇଟି ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା।

ଗତ ରବିବାର ହୋଇଥିବା ଭୟଙ୍କର ଆକ୍ରମଣ ସମୟରେ ଆମେରିକା ଓ ଇସ୍ରାଏଲ୍ ମିଶି ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ହମଲା କରିଥିବା ନେଇ IAEA ରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଭିଯୋଗ କରିବା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଅନ୍ୟପଟେ ଇରାନ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଚାଲିଥିବା ଏହି ସଂଘର୍ଷରେ ମୃତାହତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଦ୍ୟତମ ସୂଚନା ମୁତାବକ, ଇରାନରେ ମୃତ୍ୟୁ ସଂଖ୍ୟା ଏବେ ୭୮୭ ରେ ପହଞ୍ଚିଛି।

ଗତ ରବିବାର ଇରାନ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ମିଳିତ ଆକ୍ରମଣରେ ଇରାନର ବାଲିଷ୍ଟିକ ମିସାଇଲ କେନ୍ଦ୍ର ଏବଂ ଅନେକ ନୌସେନା ଜାହାଜକୁ ଟାର୍ଗେଟ୍ କରାଯାଇଛି, ଯାହାକି ନିକଟ ବର୍ଷଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ସଂଘର୍ଷ ବୋଲି କୁହାଯାଉଛି।

ଇରାନର ବିଭିନ୍ନ ଅଞ୍ଚଳରେ ପ୍ରବଳ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ରାଜଧାନୀ ଟେହେରାନରେ ଆକାଶ ଧୂଆଁମୟ ହୋଇଯାଇଥିବା ବେଳେ ବଡ଼ ବଡ଼ କୋଠାଗୁଡ଼ିକ କମ୍ପୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଇରାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଅଶାନ୍ତ ପରିସ୍ଥିତି ଆରମ୍ଭ ହେବା ପରଠାରୁ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ସାମରିକ ଏବଂ ରାଜନୈତିକ ବ୍ୟକ୍ତିତ୍ୱ ରହିଛନ୍ତି।

ଟେହେରାନର ଅଧିକାରୀମାନେ ସର୍ବୋଚ୍ଚ ନେତାଙ୍କ ହତ୍ୟାକୁ ଏକ ବଡ଼ ଧରଣର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହାର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି।

ଏହି ସଂଘର୍ଷ ଏବେ ଇରାନ ସୀମା ବାହାରକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଇରାନ ପକ୍ଷରୁ ଅନେକ ଗଲ୍ଫ ଦେଶ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟ ଏଥିରେ ପ୍ରଭାବିତ ହୋଇଛି; ରିପୋର୍ଟ ଅନୁଯାୟୀ ଦୁବାଇ ବିମାନବନ୍ଦର ଏବଂ ବୁର୍ଜ ଖଲିଫାକୁ ଟାର୍ଗେଟ୍ କରାଯାଇଛି। ଏହା ବ୍ୟତୀତ ବାହାରିନ ଏବଂ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି।


Share It

Comments are closed.