ଭାରତ ଠାରୁ ହାରିବା ପରେ ନ୍ୟୁଜିଲାଣ୍ଡର ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ଖେଳାଳି ମହମ୍ମଦ ଆମିର
ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର କିୱି (ନ୍ୟୁଜିଲାଣ୍ଡ) ବୋଲରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ଖେଳାଯାଇଥିବା ଏହି ମହାମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ନିଜର ତୃତୀୟ ଟି-୨୦ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି।
ପାକିସ୍ତାନୀ ଟିଭି ଶୋ’ ‘ହାରନା ମନା ହୈ’ ରେ ଆଲୋଚନା ବେଳେ ଆମିର ନ୍ୟୁଜିଲାଣ୍ଡର ବୋଲିଂ ପରିବର୍ତ୍ତନ ତଥା ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମିର କହିଛନ୍ତି ଯେ ଭାରତୀୟ ଦଳ ନିଶ୍ଚିତ ଭାବରେ ପ୍ରଶଂସାର ଯୋଗ୍ୟ, କିନ୍ତୁ ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷ କରି ଯୁବ ବ୍ୟାଟର ଅଭିଷେକ ଶର୍ମାଙ୍କ ବିପକ୍ଷରେ ସ୍ପିନରଙ୍କ ପରିବର୍ତ୍ତେ ଜାକବ ଡଫିଙ୍କୁ ବୋଲିଂ ଦେବା ନିଷ୍ପତ୍ତିକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଅଭିଷେକ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରନ୍ତି ବୋଲି ଜଣାଥିଲେ ମଧ୍ୟ କିୱି ଦଳ ଭୁଲ୍ ନିଷ୍ପତ୍ତି ନେଇଥିଲା ବୋଲି ସେ ମତ ଦେଇଛନ୍ତି।
ଆମିର ବ୍ୟଙ୍ଗ କରି କହିଛନ୍ତି, “ନ୍ୟୁଜିଲାଣ୍ଡ ବୋଲରଙ୍କୁ ଶ୍ରେୟ ଦେବାକୁ ପଡିବ ଯେ ସେମାନେ ୱାଇଡ୍ ବୋଲିଂ କରୁଥିଲେ ଏବଂ ସେଠାରୁ ଛକା ଖାଉଥିଲେ! ଏହାର ଅର୍ଥ ନୁହେଁ ଯେ ଭାରତ ଶ୍ରେୟ ପାଇବାକୁ ଯୋଗ୍ୟ ନୁହେଁ, କିନ୍ତୁ ମୁଁ ସେମାନଙ୍କର ବୋଲିଂ ପରିବର୍ତ୍ତନକୁ ଆଦୌ ବୁଝିପାରିଲି ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ୨୦୦୫ ମସିହାରୁ ନ୍ୟୁଜିଲାଣ୍ଡ ଟିମ୍କୁ ଫଲୋ କରୁଛି, କିନ୍ତୁ ସେମାନଙ୍କୁ କେବେ ବି ଏତେ ଚାପରେ ଖେଳୁଥିବାର ଦେଖିନାହିଁ।”
ସୂଚନାଯୋଗ୍ୟ ଯେ, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା, ଯାହାକି ଟି-୨୦ ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଏକ ରେକର୍ଡ ସ୍କୋର ଅଟେ। ଅଭିଷେକ ଶର୍ମା (୨୧ ବଲରେ ୫୨ ରନ୍), ଈଶାନ କିଷନ (୨୫ ବଲରେ ୫୪ ରନ୍), ସଞ୍ଜୁ ସାମସନ୍ ଏବଂ ଶିବମ୍ ଦୁବେ (୮ ବଲରେ ୨୬* ରନ୍) ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ୨୫୬ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା।
Comments are closed.